ରାଜଧାନୀ ପଢ଼ିବାକୁ ଆସିଥିଲେ, ଏବେ ଓ୍ୱେଲଡିଂ ଦୋକାନରେ କାମ କରି ପେଟ ପୋଷୁଛନ୍ତି………

1 min read

ଭୁବନେଶ୍ୱର: କରୋନା ବେଳେ ଆର୍ଥିକ ସମସ୍ୟା ଯେମିତି ପିଛା ଛାଡ଼ୁନି । ଧନୀ-ଗରିବ ସମସ୍ତେ ଅବାଧ୍ୟ କରୋନା କବଳରେ ଅଳ୍ପେ ବହୁତେ ଛନ୍ଦି ହୋଇଛନ୍ତି । କିଏ କରୋନା କଷଣରେ ଧରାଶୟୀ ହୋଇଛି ତ କିଏ ଖୋଜିଛି ନୂଆ ରାହା  । କରୋନା କାଳରେ ନିଜ ଫାଇଟିଂ ସ୍ପିରିଟ  ଦେଖାଇଛନ୍ତି ଭୁବନେଶ୍ୱରର ତିନିଜଣ ଝିଅ । ସଟଡାଉନ୍ ଓ ଲକଡାଉନ୍ ଗୋଲକ ଧନ୍ଦାରେ ଛନ୍ଦି ହୋଇ ଏଇ ତିନିଜଣ ଫସି ଯାଇଥିଲେ ଭୁବନେଶ୍ୱରରେ । ଏମାନେ ହେଲେ ରୀନା, ଝରଣା ଓ ସୁମିତ୍ରା । ପରିବାରର ଆର୍ଥିକ ସ୍ଥିତି ଦୟନୀୟ ଥିବା ସତ୍ତ୍ୱେ ମଧ୍ୟ ଏମାନେ ଭୁବନେଶ୍ୱରେ ରହି ପାଠ ପଢନ୍ତି । ସମାଜରେ ପରିଚୟ ଖୋଜିବା ସହ ଦି ପଇସା ରୋଜଗାର କରି ନିଜ ଗୋଡ଼ରେ ନିଜେ ଠିଆ ହେବା  ପ୍ରୟାସରେ ରାଜଧାନୀକୁ ଟାଣି ହୋଇ ଆସିଥିଲେ ତିନି ହେଁ ।

ହେଲେ କରୋନା ସଂକ୍ରମଣ ବଢିବା ପରେ  ରାଜ୍ୟରେ କଟକଣା ଲାଗୁ ହେବା ହୋଇଛି । ସ୍କୁଲ କଲେଜ୍ ବନ୍ଦ ହେଲା । ଏମାନେ ଘରକୁ ଯିବାକୁ ଚାହିଁ ମଧ୍ୟ ଯାଇପାରି ନଥିଲେ । ପାଖରେ ଟଙ୍କା କ୍ରମଶଃ ସରିବା ଆରମ୍ଭ ହୋଇଥିଲା । ଘରର ସ୍ଥିତିକୁ ତିନି ଜଣ ଭଲ ଭାବେ ଜାଣନ୍ତି । ବିବଷ ପରିବାର ଉପରେ ଆହୁରି ବୋଝ ସାଜିବାକୁ ଉଚିତ୍ ମଣିନଥିଲେ ଏମାନେ । ରାଜଧାନୀ ଯେମିତି ପାଖକୁ ଟାଣି ଆଣିଛି ସେମିତି ପେଟକୁ ମୁଠେ ଫୁଟା ଚାଉଳ ବି ଦେବ । ହାତ ଗୋଡ଼ ଥିବା ଯାଏଁ ପେଟ ଅପୋଷା ରହିବନି । ଏକଥା କହିଛନ୍ତି ଝରଣା । କିଛି ଦିନ ଯାଏଁ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଏଇ ତିନି ଜଣ କାମ ଖୋଜିଥିଲେ ।

ଶେଷରେ ଭୁବନେଶ୍ୱରର ବିଡିଏ ନିକଟସ୍ଥ ଏକ ଓ୍ୱେଲଡ଼ିଂ ଦୋକାନରେ ତିନିଜଣଙ୍କୁ କାମ ମିଳିଛି । ନୂଆ କାମ ଆଉ ନୂଆ ଆହ୍ୱାନ । ହେଲେ କାମରେ ରଖିବା ପୂର୍ବରୁ ମାଲିକ କୁନ୍ଥୁକୁନ୍ଥୁ ହେଉଥିଲେ ମାତ୍ର ଏମାନଙ୍କ ମନୋବଳ ଆଗରେ ସେ ମଧ୍ୟ ହାର ମାନିଲେ । ଏବେ କିନ୍ତୁ ମାଲିକ ଏମାନଙ୍କ କାମରେ ସନ୍ତୁଷ୍ଟ  । ଭଲ କାମ କରୁଛନ୍ତି ଓ ପାଖାପାଖି ସବୁ କାମ ଶିଖିଲେଣି । ଲକଡାଉନରେ ପରିବାର ଉପରେ ନିର୍ଭରଶୀଳ ନହୋଇ ଆତ୍ମନର୍ଭରଶୀଳ ହୋଇଥିବା ଏହି ତିନି ଝିଅ ଏବେ ନିଜ କାମ ଓ ପାରିବାପଣିଆକୁ ନେଇ ଗର୍ବ କରୁଛନ୍ତି ।

Leave a Reply