ଛାତ୍ରୀ ଆତ୍ମହତ୍ୟା ଘଟଣା: କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ବାପା ଆଣିଲେ ସଙ୍ଗୀନ ଅଭିଯୋଗ
ବଲାଙ୍ଗୀର: ଏକ ଘରୋଇ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ କର୍ତ୍ତୃପକ୍ଷଙ୍କ ବିରୋଧରେ ପରିବାର ଲୋକେ ଆଣିଲେ ସଙ୍ଗୀନ ଅଭିଯୋଗ । ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି, ପ୍ରିନ୍ସପାଲ ଓ କିଛି ଷ୍ଟାଫ ନିର୍ଯାତନା ଦେଇଥିବାରୁ ଝିଅ ଆତ୍ମହତ୍ୟା କରିଥାଇପାରେ । ଏ ନେଇ ଟାଉନ ଥାନାରେ ସେ ଅଭିଯୋଗ କରିଛନ୍ତି ।
ଗତ ଗୁରୁବାର ହଷ୍ଟେଲରୁ ଝୁଲନ୍ତା ଅବସ୍ଥା ଯୁକ୍ତଦୁଇ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କ ପାଖରୁ ଏକ ସୁଇସାଇଡ୍ ନୋଟ୍ ପୋଲିସ ପାଇଥିବା ଜଣାପଡ଼ିଛି । ମୃତ ଛାତ୍ରୀଙ୍କ ଘର ତୁରେକେଲା ଅଞ୍ଚଳରେ ।
ସୂଚନା ଅନୁସାରେ, କିଛି ଦିନ ତଳେ ହଷ୍ଟେଲରେ ଜଣେ ଛାତ୍ରୀଙ୍କ ବାର୍ଥ ଡେ ପାର୍ଟି ଥିଲା । ଏହାର ଫଟୋ ମୃତ ଛାତ୍ରୀ ତାଙ୍କ ମୋବାଇଲରେ ଉଠାଇଥିଲେ । ସେହି ସବୁ ଫଟୋକୁ ଅନ୍ୟ ଜଣେ ଛାତ୍ରୀ ବି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ହଷ୍ଟେଲରେ ମୋବାଇଲ ବାରଣ ଥିବାରୁ ପ୍ରିନ୍ସପାଲ ସମସ୍ତଙ୍କ ମୋବାଇଲ ନେଇ ଯାଇଥିଲେ ଓ ସବୁ ଛାତ୍ରୀଙ୍କୁ ତାଗିଦ କରିଥିଲେ । ଏପରିକି ଆଉ ନିୟମ ଉଲ୍ଲଂଘନ କଲେ କଲେଜରୁ ବାହାର କରିଦେବାକୁ ଧମକ ଦେଇଥିଲେ ବୋଲି ଜଣାପଡ଼ିଛି । ସେହି ଦିନ ଛାତ୍ରୀ ଜଣକ କଲେଜ ନ ଯାଇ ହଷ୍ଟେଲରେ ରହିଥିଲେ । ଖାଇବା ସମୟ ହେବା ସତ୍ତ୍ଵେ ସେ ଆସି ନଥିଲେ । ହଷ୍ଟେଲ କର୍ମଚାରୀ ଡାକିବାକୁ ଯାଇ ଦେଖିଥିଲେ, ଭିତର ପଟୁ କବାଟ ବନ୍ଦ ଅଛି । ପୋଲିସ ଉପସ୍ଥିତିରେ କବାଟ ଭଙ୍ଗା ଯାଇଥିଲା । ସଂପୃକ୍ତ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।
ସେପଟେ ହଷ୍ଟେଲର ଫଟୋକୁ ନେଇ ପ୍ରଶ୍ନ ଉଠିଛି । ତାକୁ ଏଡିଟ୍ କରାଯାଇଥିବା କୁହାଯାଉଥିଲେ ମଧ୍ୟ ସବୁ ଦିଗକୁ ଦେଖି ତଦନ୍ତ କରାଯାଉଥିବା କହିଛନ୍ତି ବଲାଙ୍ଗୀର ଏସଡିପିଓ ।