ସୋସିଆଲ ମିଡିଆରେ ସକ୍ରିୟ ରୁହ, ବିରୋଧୀଙ୍କ ବିଭ୍ରାନ୍ତକର ତଥ୍ୟକୁ ପ୍ରତିରୋଧ କର: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜୁ ଛାତ୍ର ଜନତା ଦଳର ସଦସ୍ୟମାନେ ସୋସିଆଲ ମିଡିଆରେ ଅଧିକରୁ ଅଧିକ ସକ୍ରିୟ ହୁଅନ୍ତୁ । ବିରୋଧୀଙ୍କ ବିଭ୍ରାନ୍ତିକର ତଥ୍ୟକୁ ପ୍ରତିରୋଧ କରନ୍ତୁ । ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ବିରୋଧୀ ମିଛ କାହାଣୀରେ ବିଶ୍ବାସ କରନ୍ତି । କିନ୍ତୁ ଆମେ ପ୍ରକୃତ ତଥ୍ୟ ସହିତ ବିରୋଧୀଙ୍କ ସାମ୍ନା କରିବା ଓ ଲୋକଙ୍କୁ ମୌଳିକ ଅଧିକାର ପ୍ରଦାନ କରିବା । ବିଜୁ ଛାତ୍ର ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ପରାମର୍ଶ ଦେବା ସହିତ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ଛାତ୍ରମାନେ ଦେଶର ଓ ସମାଜର ଭବିଷ୍ୟତ । ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ରାଜ୍ୟର ଶିକ୍ଷା ଭିତ୍ତିଭୂମିକୁ ରାଜ୍ୟ ସରକାର ମଜଭୁତ କରିଛନ୍ତି । ଶିକ୍ଷା ଓ ତାଲିମ ଉପରେ ଗୁରୁତ୍ବ ଦିଆଯାଉଛି । ରାଜ୍ୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଦେଶରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି । ୨ ହଜାର ମସିହାରେ ରାଜ୍ୟରେ ୬ଟି ବିଶ୍ବବିଦ୍ୟାଳୟ ଥିଲା । ଆଜି ୧୮ଟି ବିଶ୍ବବିଦ୍ୟାଳୟ ହୋଇଛି । ୨ ହଜାର ମସିହାରେ ୩ଟି ସରକାରୀ ମେଡିକାଲ କଲେଜ ଥିଲା । ଏବେ ୧୧ଟି ସରକାରୀ ମେଡିକାଲ କଲେଜ ହୋଇଛି । ସେହିପରି ସାମାଜିକ କାର୍ଯ୍ୟକ୍ରମରେ ନିୟୋଜିତ ହୋଇ ରକ୍ତଦାନ ଓ ବୃକ୍ଷରୋପଣ କରୁଥିବାରୁ ବିଜୁ ଛାତ୍ର ଜନତା ଦଳ ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକାରିଣୀରେ ପାରିତ ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯାଇଥିଲା । ବୈଠକରେ ରାଜନୈତିକ, ସାଙ୍ଗଠନିକ, ସଂକଳ୍ପ ଓ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଛି ।

ଓଡ଼ିଶାରେ ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି । ନବୀନ ଓଡ଼ିଶା ଗଠନ ପାଇଁ ଛାତ୍ରଛାତ୍ରୀମାନଙ୍କ ଭୂମିକା କ’ଣ ରହିବ, ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଗୁରୁମନ୍ତ୍ର ଦେଇଥିଲେ । ଆଦର୍ଶ ବିଦ୍ୟାଳୟ ଓ ୫ ହଜାର ହଷ୍ଟେଲ ନିର୍ମାଣ ସହିତ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ । ସେ କହିଛନ୍ତି, ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଛାତ୍ରବୃତ୍ତି ହ୍ରାସ କରୁଛି  । ସେଥିପାଇଁ ବିଜୁ ଛାତ୍ର ଜନତା ଦଳ ଆନ୍ଦୋଳନକୁ ଓହ୍ଲାଇବ । ଟ୍ରାଇବାଲ ୟୁନିଭର୍ସିଟି ସ୍ଥାପନ ପାଇଁ କେନ୍ଦ୍ର ପାଖରେ ଦାବି କରାଯିବ । କେନ୍ଦ୍ର ନ ଶୁଣିଲେ ଜୋରଦାର ଆନ୍ଦୋଳନ କରାଯିବ ।