କରାଟେ କିଙ୍ଗ କ୍ରିଷ୍ଣା: ଗୁପୁଚୁପ ଠେଲାରୁ ପୋଲିସ ଚାକିରି

ଖୋର୍ଦ୍ଧା/ଭୁବନେଶ୍ବର: ଆଗରେ ଥିଲା ସ୍ବପ୍ନ, ସାଥୀରେ ଥିଲା ଅଭାବ । ଯେତେବେଳେ ସାରା ସହର ଶୋଇଯାଉଥିଲା ସେତେବେଳେ ଚେଇଁ ଉଠୁଥିଲେ ବସ୍ତିର ଜଣେ ଯୁବକ । ଡିବିରି ଆଲୁଅର ଶିଖା ଦେଖାଉଥିଲା ଏକ ଉଜ୍ବଳ ଭବିଷ୍ୟତର ଆଶା । ନୂଆଣିଆଁ ଚାଳ ଛପର ଉପରୁ ଉଇଁ ଆସୁଥିଲା ସୁନେଲି ସୂର୍ଯ୍ୟ । ଦୁର୍ଭାଗ୍ୟକୁ ପଞ୍ଚ୍‌ ମାରି ସ୍ବପ୍ନକୁ ପୂରଣ କରିବାକୁ ରାତିର ନିର୍ଜନତାରେ ପାଦ ଖୋଜୁଥିଲା ସଫଳତାର ବାଟ । ଗୁପଚୁପ୍ ବିକାଳୀରୁ ଅନ୍ତର୍ଜାତୀୟ କରାଟେ କିଙ୍ଗ୍ ଆଉ ତା’ପରେ ଓଡ଼ିଶା ପୋଲିସରେ ଚାକିରି । ଏ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର କ୍ରିଷ୍ଣା ଶିକାରୀ । କେମିତି ଥିଲା କ୍ରିଷ୍ଣଙ୍କ ସଂଘର୍ଷର କାହାଣୀ, ଆସନ୍ତୁ ଜାଣିବା…

କ୍ରିଷ୍ଣା ତାଙ୍କର ଗୋଟିଏ ଗୋଟିଏ ପଞ୍ଚରେ ଅଭାବ ଅସୁବିଧା ବାଟ ଭାଙ୍ଗି ଚାଲି ଯାଆନ୍ତି । ତାଙ୍କ ହାତ ଉଠିଲେ ହତାଶା ଯେମିତି ମୁଣ୍ଡ ନୁଆଁଇ ଦିଏ । ଆଉ ତାଙ୍କ ବ୍ଳାକ୍ ବେଲ୍ଟକୁ ଦେଖିଲେ ଜୀବନ ଆକାଶରୁ କଳାହାଣ୍ଡିଆ ମେଘ ଯେମିତି ଲୁଚିଯାଏ । ଅଭାବିର ବସ୍ତିରୁ ଅନ୍ତର୍ଜାତୀୟ କରାଟେ ପ୍ଳେୟାର । ଆଉ ଏବେ ଓଡ଼ିଶା ପୋଲିସର କନେଷ୍ଟବଳ ।

ଏତେ ସହଜ ନଥିଲା କ୍ରିଷ୍ଣାଙ୍କ ସଂଘର୍ଷରୁ ସଫଳ ଯାତ୍ରା । ଜନ୍ମରୁ ଯୁବାବସ୍ଥା ଯାଏଁ କେତେବେଳେ ଭୋକ ସହ ଯୁଦ୍ଧ କରିଛନ୍ତି ତ ଆଉ କେତେବେଳେ ଭୋକ ପାଖରେ ଆତ୍ମସମର୍ପଣ କରିଛନ୍ତି । ବାପାଙ୍କ ସହ ମିଶି ରାସ୍ତାକଡ଼ରେ ଗୁପଚୁପ୍ ବି ବିକିଛନ୍ତି ।

ଖଟା ପାଣି ପରସି ଗ୍ରାହକଙ୍କ ମିଠାମିଠା କଥାରେ ପେଟ ସିନା ପୁରୁଥିଲା, ହେଲେ ସ୍ବପ୍ନ ପୂରଣର ଭୋକ ମରୁ ନଥିଲା । ଖେଳକୁଦରେ କ୍ରିଷ୍ଣାଙ୍କର ଥିଲା ଢେର୍ ଆଗ୍ରହ । ସଞ୍ଜ ହେଲେ ଗୁପଚୁପ୍ ଆଉ ରାତିରେ ଷ୍ଟ୍ରିଟ୍ ଲାଇଟ୍ ତଳେ କରାଟେ ଶିକ୍ଷା । ସ୍ବପ୍ନର ବାଟ କଢାଇ ନେଉଥିଲା ସେହି ଷ୍ଟ୍ରିଟ ଲାଇଟର ଆଲୁଅ ।

ବାଲୁଗାଁରୁ ଭୁବନେଶ୍ବର ଉତ୍କଳ କରାଟେ ସ୍କୁଲରେ ପହଞ୍ଚିଥିଲେ କ୍ରିଷ୍ଣା । ମେଣ୍ଟର୍ ସାଜିଥିଲେ ସ୍କୁଲର ସମ୍ପାଦକ ଡ଼ ହରି ପ୍ରସାଦ ପଟ୍ଟନାୟକ । ଆଉ ୟା ପରେ କ୍ରିଷ୍ଣାଙ୍କୁ ସମ୍ଭାଳେ କିଏ । ଜାତୀୟ ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ମେଡାଲ୍ ପରେ ମେଡାଲ୍ ଆଣି ଚାଲିଲେ କ୍ରିଷ୍ଣା । ଅଲ ଇଣ୍ଡିଆ ଓପନ କରାଟେ ଚାମ୍ପିୟନସିପରେ ୧୨ଟି ସ୍ବର୍ଣ୍ଣ ସାଙ୍ଗକୁ ଇଣ୍ଟରନ୍ୟାସନାଲ ଓପନ ଚାମ୍ପିୟନସିପରେ ମଧ୍ୟ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ସେ ।

ଖେଳକୁଦରେ ଓଡ଼ିଶାକୁ ଗର୍ବିତ କରିଥିବା କ୍ରିଷ୍ଣାଙ୍କୁ ସ୍ପୋର୍ଟସ୍ କୋଟାରେ କ୍ରିଷ୍ଣାଙ୍କୁ ରାଜ୍ୟ ସରକାର ଦେଇଛନ୍ତି ପୋଲିସ ବିଭାଗରେ ଚାକିରି ।

ବସ୍ତି ପିଲାଙ୍କ ମଧ୍ୟ ଅପରାଧ ପ୍ରବଣତା ବଢ଼ି ଚାଲିଛି । ସରକାର ଅପରାଧ ମୁକ୍ତ ବସ୍ତି ପାଇଁ ସଚେତନତା ସୃଷ୍ଟି କରୁଛନ୍ତି । ଅସାମାଜିକ ବାଟରେ ପାଦ ଦେଉଥିବା ବସ୍ତିର ଯୁବବର୍ଗଙ୍କ ପାଇଁ କ୍ରିଷ୍ଣା ହେଉଛନ୍ତି ଉଦାହରଣ । ଇଚ୍ଛାଶକ୍ତି ଓ ଦୃଢ଼ ଆତ୍ମବିଶ୍ବାସ କେମିତି ସଫଳତା ଦେଇଥାଏ କୁପଥରେଯାଉଥିବା ବସ୍ତିର ପିଲା ତାଙ୍କ ପାଖରୁ ଶିଖିବାର ଆବଶ୍ୟକତା ରହିଛି ।

Leave a Reply