୧୫ ବର୍ଷ ହେଲା ପେଟ ପାଇଁ ରାସ୍ତାକଡ଼ରେ ସଂଘର୍ଷ କରୁଛନ୍ତି ସୁନି

ବାଲିଗୁଡ଼ା: ରାସ୍ତା କଡ଼ରେ ଜୀବନ ସହ ସଂଗ୍ରାମ କରୁଛନ୍ତି ସୁନି ମେହେର । ଦୁଇ ପିଲା ଓ ପରିବର ଲୋକଙ୍କ ପେଟକୁ ଦାନା ଦେବାକୁ ୧୫ ବର୍ଷ ହେଲା ରାସ୍ତା କଡ଼ରେ । ଜୋତା ପଲିସ ଓ ମରାମତି କରି ଯେତିକି ରୋଜଗାର କରୁଛନ୍ତି, ସେଥିରେ ଅତି ଦୟନୀୟ ଅବସ୍ଥାରେ ଚଳୁଛନ୍ତି ପୂରା ପରିବାର । ସରକାରୀ ସହାୟତା ବୋଲି ମିଳୁଛି ମାସକୁ ମାତ୍ର ୫ କିଲୋ ଚାଉଳ । ସେଥିରେ ପୂରା ମାସ ଚଳିବା ସମ୍ଭବ ହେଉନାହିଁ ।

ଏମିତି କିଛି ଘଟଣା ଦେଖିବାକୁ ମିଳେ କନ୍ଧାମାଳ ଜିଲ୍ଲା ଦାରିଙ୍ଗବାଡ଼ି ଡାକବଙ୍ଗଳା ଛକରେ । ଖରା ହେଉ କି ବର୍ଷା ଅବା ଶୀତ ରାସ୍ତା କଡ଼ରେ ବସି ଜୋତା ପଲିସ କରିଥାନ୍ତି ସ୍ବାମୀ ପରିତ୍ୟକ୍ତା ସୁନି ମେହେର । ତାଙ୍କ ପରିବାରର ସାହାରା ପାଲଟିଛି ଏହି ଜୋତା ପଲିସ ଓ ମରାମତି ଦୋକାନ ।

୧୫ ବର୍ଷ ପୂର୍ବେ ସୁନି ମେହେରଙ୍କୁ ସ୍ବାମୀ ଛାଡି ଚାଲି ଯାଇଥିଲେ । ଏହାପରେ ପିଲାଙ୍କ ପେଟକୁ ଦାନା ଦେବାକୁ ବାହାରି ଆସିଥିଲେ ସୁନି । ବନ୍ଦ ପଡ଼ିଥିବା ବାପାଙ୍କ ଜୋତା ମରାମତି ଦୋକାନକୁ ସଜାଡି ଘର ଚଳାଇବାକୁ ଭିଡ଼ିଥିଲେ ଅଣ୍ଟା । ଅନ୍ୟ ଭଉଣୀମାନେ ମଧ୍ୟ ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି ।

କେବଳ ଜୋତା ପଲିସ କି ମରାମତି ନୁହେଁ, ଏହାସହ ବ୍ୟାଗ୍ ଓ ଅନ୍ୟ କିଛି ସାମଗ୍ରୀ ମଧ୍ୟ ବିକ୍ରି କରୁଛନ୍ତି । ସେଥିରୁ ଯାହା ସ୍ବଳ୍ପ ରୋଜଗାର ହେଉଛି ଘର ଚଳୁଛି, ହେଲେ ନା’କୁ ମାତ୍ର । ଯଦି କୌଣସି କାରଣରୁ ଦୋକାନ ବନ୍ଦ ତେବେ ଘରେ ଚୂଳି ଜଳିବା ଚିନ୍ତା ।

ସୁନି କୁହନ୍ତି, ‘ସ୍ବାମୀ ମୋତେ ଛାଡ଼ି କେଉଁଆଡେ ପଳାଇଲେ । ବାପା ବି ୧୫ ବର୍ଷ ହେଲା ଆଖି ବୁଜିଲେଣି । ସେତେବେଳେ ମୁଁ ଦୁଇ ପିଲାଙ୍କ ପେଟକୁ ଦାନା ଦେବାକୁ ଏହି କାମ କରୁଥିଲି । ସେବେଠାରୁ କରୁଛି । ୫ କେଜି ଚାଉଳ ଛଡ଼ା ଅନ୍ୟ କିଛି ସରକାରୀ ସହାୟତା ମିଳୁନାହିଁ ।’

ସୁନିଙ୍କ ଏମିତି ଦୟନୀୟ ସ୍ଥିତି ଉପରେ ସ୍ଥାନୀୟ ପ୍ରଶାସନ ନଜର ଦେଇ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି ।

Leave a Reply