ଦିବ୍ୟାଙ୍ଗ ବଣ୍ତା ବୃଦ୍ଧଙ୍କ ଉପରେ କଠୋର ପ୍ରଶାସନ

ମାଲକାନଗିରି: ଦିବ୍ୟାଙ୍ଗ ବଣ୍ତା ବୃଦ୍ଧଙ୍କ ଉପରେ କଠୋର ପ୍ରଶାସନ। ଆଧାର କାର୍ଡ ନାହିଁ ବୋଲି ଭତ୍ତା କାଟିଦେଲା ପ୍ରଶାସନ । ଭତ୍ତା ପାଇଁ ବ୍ଲକ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡ଼ା ପଞ୍ଚାୟତର ପଡ଼େଇଗୁଡ଼ା ଗାଁରେ । ସେହି ଗାଁର ସୋମା କିର୍ଷାନୀ, ବୟସ ୯୦ ବର୍ଷ । ସୋମା ପିଲାଟି ଦିନରୁ ଶାରୀରିକ ଭିନ୍ନକ୍ଷମ ଅଟନ୍ତି । ପୂର୍ବରୁ ଭତ୍ତା ମିଳୁଥିଲା । ଡିଜିଟାଲାଇଜେସନ ହେବା ପରେ ଆଧାର କାର୍ଡ ନଥିବାରୁ ଭତ୍ତା କାଟିଦେଇଛନ୍ତି ସରକାରୀ ଅଧିକାରୀ । ୨ ବର୍ଷ ହେଲାଣି ସରକାରୀ ଦସ୍ତାବିଜରୁ ନାଁ ଉଭାନ ହୋଇଯାଇଛି ।

ପେନସନ ଖାତାରେ ଗତ ୨୦୨୨ ଜୁନରେ ଶେଷ ଭତ୍ତା ପାଇଥିଲେ ବଣ୍ତା ଭିନ୍ନକ୍ଷମ ବୃଦ୍ଧ ସୋମା କିର୍ଷାନୀ । ଶାରିରୀକ ଭିନ୍ନକ୍ଷମ ହୋଇଥିବାରୁ ଆଧାର କାର୍ଡ ପାଇଁ ବରମ୍ବାର ଆସିବା ପରେ ମଧ୍ୟ ବୃଦ୍ଧଙ୍କ ଆଙ୍ଗୁଠି ଓ ଆଖି ସଂଯୋଗୀକରଣ ହୋଇପାରୁନାହିଁ । ଆଧାର କାର୍ଡ ନଥିବାରୁ ସୋମାଙ୍କ ଭତ୍ତା ବନ୍ଦ କରିବା ସହ କଠୋର ହୋଇଛି ଖଇରପୁଟ ବ୍ଲକ ପ୍ରଶାସନ । ୨ ବର୍ଷ ୬ ମାସ ହେଲାଣି ବଣ୍ତା ବୃଦ୍ଧଙ୍କ ଭତ୍ତା ଅର୍ଥ ଦେଉନାହିଁ ଖଇରପୁଟ ବ୍ଲକ ପ୍ରଶାସନ । ଅଭାବ ସଂସାରରେ ନିଜର ଗୁଜରାଣ ମେଣ୍ଟାଇବାକୁ ଭିନ୍ନକ୍ଷମ କିଛି ମାତ୍ରାରେ ଅଭାବ ପୂରଣ କରୁଥିବା ବେଳେ ଦୀର୍ଘ ଦିନ ଧରି ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ସୋମା । ତେବେ ଶିଘ୍ର ଭତ୍ତା ପ୍ରଦାନ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ବଣ୍ତାଘାଟିର କଥା ଏତିକିରେ ସରିନି । ବାରମ୍ବାର ଭତ୍ତା ପାଇଁ ଅଧିକାଂଶ ବୟସ୍କ ବୃଦ୍ଧବୃଦ୍ଧା ସରକାରୀ ଫନ୍ଦିଫିକର ମଧ୍ୟରେ ହଇରାଣ ହେଉଛନ୍ତି । ସୋମାଙ୍କୁ ଶିଘ୍ର ତାଙ୍କର ସମସ୍ତ ପୂର୍ବ ବକେୟା ଭତ୍ତା ଟଙ୍କା ପ୍ରଦାନ ସହିତ ଆଗକୁ ଭତ୍ତା ପ୍ରଦାନରେ ନିରିହ ଲୋକେ ଯେପରି ହଇରାଣ ନହୁନ୍ତି ସେଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି ।