ଶ୍ରୀମନ୍ଦିର ଉପରେ ଡ୍ରୋନ ଓ ଭିତର ଫଟୋ ଭାଇରାଲ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ
1 min read
ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ ଓ ଭିତରେ ମୋବାଇଲ ଫୋନ ନେଇ ଫଟୋ ଭାଇରାଲ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ବର୍ତ୍ତମାନର ଦଣ୍ଡବିଧାନ ପର୍ଯ୍ୟାପ୍ତ ନୁହେଁ, ଏଥିପାଇଁ କଠୋର ଆଇନ ଆବଶ୍ୟକ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । ଏ ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ପ୍ରସ୍ତାବ ପାରିତ ହେଲା ପରେ ଟେମ୍ପୁଲ ଆକ୍ଟ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ବୈଠକରେ ଚଳିତବର୍ଷ ରଥଯାତ୍ରା ସୁରୁଖୁରେ ଅନୁଷ୍ଠିତ ହେବା ନେଇ କରାଯାଇଛି ଆଲୋଚନା । ସେପଟେ ରତ୍ନଭଣ୍ଡାର ମରାମତି ଅଗ୍ରଗତି ନେଇ ମଧ୍ୟ ଆଲୋଚନା କରାଯାଇଛି । ବାହାର ଓ ଭିତର ରତ୍ନଭଣ୍ଡାର ମଝିରେ ୫ଟି ବିମ୍ ଲାଗିଥିଲା । ତାହା କଳଙ୍କ ଲାଗି ଖରାପ ହୋଇ ଯାଇଛି । ତେଣୁ ଲୁହା ବିମକୁ କଢ଼ାଯାଇ ଷ୍ଟେନଲେସ୍ ଷ୍ଟିଲ୍ ବିମ୍ ଖଞ୍ଜା ଯାଇଛି । ଦୁର୍ବଳ ପଥର ବଦଳା ଯାଉଛି । କେମିକାଲ ୱସିଂ ଚାଲିଛି । ବାହାର ରତ୍ନଭଣ୍ଡାରକୁ ଡିପ୍ଲାଷ୍ଟରିଂ ସମୟରେ ପଥର ଖରାପ ବାହାରୁଛି । ପରେ ଚଟାଣ ମରାମତି ହେବ । ଅକ୍ଷୟ ତୃତୀୟା ବେଳକୁ ମରାମତି ଓ ସଂରକ୍ଷଣ ଶେଷ ହୋଇପାରେ ।
ପଣା ସଂକ୍ରାନ୍ତିରେ ଓଡିଆ ନବବର୍ଷର କ୍ୟାଲେଣ୍ଡର ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି କରୁଛି । ପଣା ସଂକ୍ରାନ୍ତି କିମ୍ବା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିରର ନୂଆ ୟୁଟୁବ୍ ଚ୍ୟାନେଲ । ଗୁଣ୍ଡିଚା ମନ୍ଦିର ସମ୍ମୁଖରେରେ କରାଯିବ ସୂଚନା କେନ୍ଦ୍ର । ଏଲଇଡି ଡିସପ୍ଲେ ମାଧ୍ୟମରେ ଗୁଣ୍ଡିଚା ମନ୍ଦିର ସମ୍ପର୍କିତ ତଥ୍ୟ ଜାଣିପାରିବେ ଶ୍ରଦ୍ଧାଳୁ ।
ସେହିପରି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ହୋଇଛି । କୋଠଭୋଗରେ ଜୈବିକ ପଦ୍ଧତିରେ ବ୍ୟବହାର ହେବ ଅମୃତ ଅନ୍ନ । ୟୁନିଫର୍ମ ପଲିସି ପରିଚାଳନା କମିଟିରେ ପାସ୍ ହୋଇଛି । ରାଜ୍ୟ ସରକାରଙ୍କ ଅନୁମୋଦନ ହେବା ପରେ ଲାଗୁ ହେବ । ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଛି । ଏକ୍ସପର୍ଟ ଡାଇଗ୍ରାମ ଦେଖାଇଛନ୍ତି ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।