spot_img

Latest Posts

ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରିବା ପରେ ବାହାରେ ଛଡ଼ାଯାଉ: ସୁପ୍ରିମକୋର୍ଟ

ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରିବା ପରେ ବାହାରେ ଛଡ଼ାଯାଉ। ଟିକାକରଣ ଓ କୃମିନାଶକ ଔଷଧ ଦେବା ପରେ ଯେଉଁ ସ୍ଥାନରୁ ଧରାଯାଇଥିଲା ସେଠାରେ ଛଡ଼ାଯାଉ। ପାଗଳା, ଜଳାତଙ୍କରେ ପୀଡ଼ିତ ଆଗ୍ରେସିଭ୍ କୁକୁରଙ୍କୁ ଚିକିତ୍ସା କରିବା ସହ ସେମାନଙ୍କୁ ଅଲଗା ସ୍ଥାନରେ ରଖାଯାଉ। ବୁଲାକୁକୁରଙ୍କୁ ସର୍ବସାଧାରଣ ସ୍ଥାନରେ ଖାଇବାକୁ ଦିଆ ନଯାଉ ବୋଲି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ବୁଲାକୁକୁର ପ୍ରସଙ୍ଗରେ ଜଷ୍ଟିସ ବିକ୍ରମ ନାଥ, ସନ୍ଦୀପ ମେହଟ୍ଟା ଓ ଏନଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟରେ କହିଛନ୍ତି- କେବଳ ଦିଲ୍ଲୀ ଏନସିଆର ଲାଗି ନୁହେଁ ବରଂ ସାରା ଦେଶ ଲାଗି ଏହା ପ୍ରଯୁଜ୍ୟ ହେଉ। କୁକୁରଙ୍କୁ ଖାଇବାକୁ ଦେବା ଲାଗି ନିର୍ଦ୍ଦିଷ୍ଟ ସ୍ଥାନ ରଖାଯାଉ। କୁକୁରଙ୍କୁ ଯେଉଁମାନେ ପୋଷ୍ୟଭାବେ ଗ୍ରହଣ କରିବେ ସେମାନେ ଲିଖିତ ଆବେଦନ କରନ୍ତୁ। କିନ୍ତୁ ପରେ ସେମାନେ ପୋଷ୍ୟ କୁକୁରଙ୍କୁ ରାସ୍ତାକୁ ଛାଡ଼ିପାରିବେ ନାହିଁ। ଏଥିଲାଗି ବ୍ୟକ୍ତିବିଶେଷ ସ୍ତରରେ ୨୫ ହଜାର ଓ ଏନଜିଓ ସ୍ତରରେ ୨ ଲକ୍ଷ ଟଙ୍କା ଜମା କରିବାକୁ ପଡିବ। ଏହି ଅର୍ଥ ଜରିଆରେ କୁକୁରଙ୍କ ଲାଗି ଭିତ୍ତିଭୂମି ଓ ସେମାନଙ୍କ ରହିବା ଲାଗି ବ୍ୟୟ ହେବ। ବୁଲାକୁକୁର ପ୍ରସଙ୍ଗରେ ଏକ ଜାତୀୟ ନୀତି ପ୍ରସ୍ତୁତ କରିବା ଲାଗି ପରାମର୍ଶ ଦେଇଛନ୍ତି କୋର୍ଟ। ଦିଲ୍ଲୀ ଏନସିଆରରେ ୮ ଲକ୍ଷ ବୁଲାକୁକୁରଙ୍କ ନେଇ ଦେଖାଦେଇଥିବା ସମସ୍ୟା ପରିପ୍ରେକ୍ଷୀରେ ଆଗତ କେତେକ ପିଟିସନର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି କୋର୍ଟ। ଗତ ୨୦୨୪ରେ ଦିଲ୍ଲୀରେ ୨୫ ହଜାର ଲୋକଙ୍କୁ କୁକୁର କାମୁଡିଥିବାବେଳେ କେବଳ ଗତ ଜାନୁଆରୀରେ ପ୍ରାୟ ୩ ହଜାର ଲୋକ କୁକୁର କାମୁଡାରେ ଆହତ ହେଉଥିଲେ।

ପ୍ରାଣୀ ଅଧିକାର କର୍ମୀ ଯୁକ୍ତି ଦର୍ଶାଇଥିଲେ ଯେ ଦେଶରେ ଲକ୍ଷ ଲକ୍ଷ ବୁଲାକୁକୁର ରହିଛନ୍ତି। ସେମାନଙ୍କ ରହିବା ଲାଗି ବ୍ୟବସ୍ଥା କରିବା ସମ୍ଭବ ନୁହେଁ। ଗତ ଅଗଷ୍ଟ ୮ରେ ଜଷ୍ଟିସ ଜେ.ବି. ପାର୍ଦ୍ଦିୱାଲା ଓ ଜଷ୍ଟିସ ଆର. ମହାଦେବନ ଯେଉଁ ରାୟ ଦେଇଥିଲେ ତାହା ପ୍ରାଣୀ ପ୍ରଜନନ ନିୟନ୍ତ୍ରଣ ବା ଏବିସି ନିୟମର ଉଲ୍ଲଂଘନ କରୁଛି। କୋର୍ଟ କହିଥିଲେ- ୮ ସପ୍ତାହ ମଧ୍ୟରେ ସମସ୍ତ ବୁଲାକୁକୁରଙ୍କୁ ଧରାଯାଇ ଆଶ୍ରୟସ୍ଥଳୀରେ ରଖାଯାଉ। ଏହାକୁ ନେଇ ଦେଶବ୍ୟାପୀ ପ୍ରତିବାଦ ହେବା ପରେ ରାୟ ବଦଳାଇଥିଲେ କୋର୍ଟ।

ଭୁବନେଶ୍ବରରେ ବିଏମସି କୁକୁର ଗଣନା କରିବ। ଉଭୟ ବୁଲା କୁକୁର ଓ ପୋଷା କୁକୁରଙ୍କ ଗଣନା କରାଯିବ। କାନରେ ଟ୍ୟାଗ ଲାଗିବ। BMC ପାଖରେ ରହିବ କୁକୁରଙ୍କ ସମସ୍ତ ତଥ୍ୟ। ପୋଷା କୁକୁରର ମାଲିକ କିଏ ଓ ବୁଲା କୁକୁର କେଉଁଠୁ ଯାଇଛନ୍ତି, ଟ୍ୟାଗରେ ସେସବୁ ତଥ୍ୟ ରହିବ। ବନ୍ଧ୍ୟାକରଣ ଓ ଟିକାକରଣ ହେଇଛି କି ନାହିଁ ସମସ୍ତ ତଥ୍ୟ ରହିବ ଚିପରେ। ଏହା ଦ୍ଵାରା କୁକୁରାଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣି ହେବ। ବନ୍ଧ୍ୟାକରଣ ପରେ କୁକୁର ସଂଖ୍ୟା ବଢୁଛି କି କମୁଛି, ନଜରରେ ରହିବ। ଭୁବନେଶ୍ଵରରେ ୮୫ ହଜାରରୁ ଅଧିକ କୁକୁର ଅଛନ୍ତି। ଟ୍ୟାଗ୍ ଲାଗିଲେ ସମସ୍ତ କୁକୁରଙ୍କର ତଥ୍ୟ ରହିବ ଓ କୁକୁର ତଥା ଲୋକେ ସୁରକ୍ଷିତ ରହିବେ ବୋଲି କହିଛନ୍ତି ମେୟର।  ସେମାନେ କଥା କହିପାରନ୍ତିନି। ସେମାନେ ମଣିଷର ଅତୀବ ବିଶ୍ବାସୀ। ପ୍ରତ୍ୟେକ୍ଷ ଓ ପରୋକ୍ଷରେ ମଣିଷ ଲାଗି ଅଶେଷ ଉପକାର ସାଧନ କରିଥାନ୍ତି। ହେଲେ ସେମାନେ ସର୍ବଦା ଅବହେଳିତ। ସୁପ୍ରିମକୋର୍ଟଙ୍କ ରାୟ ପରେ ବଦଳିପାରେ ବୁଲାକୁକୁରଙ୍କ ଭାଗ୍ୟ।

Latest Posts

Don't Miss