ଏକାଠି ହେବେ ଜଳ ବିବାଦ ପାଇଁ କାମ କରୁଥିବା ସଙ୍ଗଠନ, ମହାନଦୀ ଲଢ଼େଇ ପାଇଁ ପ୍ରସ୍ତୁତ ହେବ ରଣନୀତି

ଭୁବନେଶ୍ବର: ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ପୁଣି ଥରେ ତେଜୁଛି ରାଜ୍ୟ ରାଜନୀତି । ପୂର୍ବରୁ ଏହି ପ୍ରସଙ୍ଗକୁ ନେଇ ଆନ୍ଦୋଳନ, ବୟାନବାଜି ହୋଇଥିଲେ ମଧ୍ୟ ଏ ଯାଏଁ କିଛି ବି ସମାଧାନର ବାଟ ବାହାରି ପାରିନାହିଁ। ମହାନଦୀ ଜଳ ବିବାଦ ପାଇଁ ଗଠିତ ଟ୍ରିବୁନାଲରେ ସମାଧାନର ପନ୍ଥା ବାହାରିବା ବଦଳରେ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି । କେନ୍ଦ୍ର, ଓଡ଼ିଶା ଓ ଛତିଶଗଡ଼ରେ ବିଜେପି ସରକାର ଥିବାରୁ ଆଲୋଚନା ମାଧ୍ୟମରେ ସମାଧାନ ସମ୍ଭବ ହେବ ବୋଲି ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ କୁହାଯାଇଛି । ସେଥିପାଇଁ ମହାନଦୀ ବଞ୍ଚାଓ ଆନ୍ଦୋଳନ ସହ ଅନ୍ୟ ଜଳ ବିବାଦ ପାଇଁ ଲଢେଇ କରୁଥିବା ସଂଗଠନ ଆସନ୍ତାକାଲି ମିଳିତ ଭାବେ ବୈଠକ କରିବାକୁ ଯାଉଛନ୍ତି । ଏଥିରେ ମହାନଦୀ ପାଇଁ ଆଗାମୀ ଲଢେଇ ବିଷୟରେ ରଣନୀତି ପ୍ରସ୍ତୁତ ହେବ ବୋଲି ଜଣାପଡିଛି ।

ଛତିଶଗଡ଼, ଓଡ଼ିଶା ଓ କେନ୍ଦ୍ରରେ ବିଜେପି ସରକାର । ଡବଲ ନୁହେଁ ଟ୍ରିପଲ ଇଞ୍ଜିନ ଆଣିବ କି ମହାନଦୀ ଜଳ ବିବାଦ ସମାଧାନର ଫର୍ମୁଲା ? କାରଣ ଜୁନରେ ଶୁଖିଲା ପଡିଛି ଓଡିଶାର ଲାଇଫ ଲାଇନ ।

ଓଡ଼ିଶାର ହକ ପାଇଁ ତତ୍ପର ରାଜ୍ଯର ବିଭିନ୍ନ ସାମଜିକ ସଂଗଠନ । ରାଜନୈତିକ ସ୍ତରରେ କିଭଳି ତତ୍ପରତା ପ୍ରକାଶ ପାଇବ ସେଥିପାଇଁ ଆସନ୍ତାକାଲି ନଦୀ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ମହାନଦୀ ସୁରକ୍ଷା ଅଭିଯାନ ସହ ଅନ୍ୟାନ୍ୟ ସାମାଜିକ ସଂଗଠନ ମିଳିତ ଭାବେ ଏକ ଶିବିର କରିବେ । ଏଥିରେ ଆଗାମୀ ରଣନୀତି ସମ୍ପର୍କରେ ନିଷ୍ପତ୍ତି ନେବେ । ମହାନଦୀ ସମସ୍ୟାର ସମାଧାନ ପାଇଁ ହୋଇଥିବା ଟ୍ରିବ୍ଯୁନାଲରେ ବିଚାର ପ୍ରକ୍ରିୟା ବିଳମ୍ବିତ ହୋଇଚାଲିଛି । ଏପରିକି ଏ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ଦାଖଲ ହୋଇପାରି ନାହିଁ । ତେଣୁ ମହାନଦୀ ସମସ୍ୟାର ସମାଧାନ ପାଇଁ ଓଡ଼ିଶାର ନୂଆ ବିଜେପି ସରକାରର ସହଯୋଗ କାମନା କରିବାକୁ ଯୋଜନା କରିଛନ୍ତି ସାମାଜିକ ସଂଗଠନ ।

ଓଡିଶା ସମେତ ଛତିଶଗଡ଼ ଓ କେନ୍ଦ୍ରରେ ବିଜେପି ସରକାର ଥିବାରୁ ଆଲୋଚନା ମାଧ୍ୟମରେ ଓଡ଼ିଶାର ହକ ହାସଲ କରିବାକୁ ଦାବି କରାଯାଇଛି । ଏଥିସହିତ ଓଡ଼ିଶାର ଅନ୍ୟାନ୍ୟ ସବୁ ନଦୀର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ନଦୀ ନୀତି ଆଣିବାକୁ ଦାବି କରାଯିବ ବୋଲି କହିଛନ୍ତି ମହାନଦୀ ବଞ୍ଚାଓ ଆନ୍ଦୋଳନର ମୁଖପାତ୍ର ପ୍ରସନ୍ନ ବିଶୋୟୀ ।

ଓଡ଼ିଶାରେ ବିଜେପି ସରକାର ଆସିବା ପରେ ମହାନଦୀ ପ୍ରସଙ୍ଗକୁ ନେଇ ରାଜନୈତିକ ଆରୋପ ପ୍ରତ୍ଯାରୋପ ମଧ୍ୟ ଆରମ୍ଭ ହୋଇଛି । ସେପଟେ ଓଡିଶା ତଥା ପରିବେଶ ସୁରକ୍ଷା ପାଇଁ ବହୁ ଗୁରୁତ୍ୱ ରଖୁଥିବା ମହାନଦୀ ପ୍ରସଙ୍ଗର ସ୍ଥାୟୀ ସମାଧାନ ପାଇଁ ନାଗରିକ ସୁରକ୍ଷା ମଞ୍ଚ ଦାବି ରଖିଛି । ନଦୀ ନାହିଁ ତ ଜୀବନ ନାହିଁ ବୋଲି ମଞ୍ଚ ପକ୍ଷରୁ କୁହାଯିବା ସହ ସରକାର ଆତ୍ମୀୟତାର ସହ ଏହି ସମସ୍ୟାର ସମାଧାନ କରି ଓଡ଼ିଶାବାସୀଙ୍କୁ ନ୍ୟାୟ ଦେବାକୁ ଦାବି କରାଯାଇଛି । ସେପଟେ ସମୀକ୍ଷକଙ୍କ କହିବା କଥା ଏବେ ଏଭଳି ଏକ ସମୟ ଯେତେବେଳେ ମହାନଦୀ ପ୍ରସଙ୍ଗର ସମାଧାନ କରିବାକୁ ଥିବା ଓଡିଶା, ଛତିଶଗଡ଼ ଓ କେନ୍ଦ୍ରରେ ବିଜେପି ସରକାର ରହିଛି । ଏ ସମସ୍ୟାର ସମାଧାନ ରାଜନୈତିକ ସ୍ତରରେ ହିଁ ହେବ । ତେଣୁ କେନ୍ଦ୍ର ସରକାର ହସ୍ତକ୍ଷେପ କରି ଏହାର ସମାଧାନ କରିବା ଆବଶ୍ୟକ ବୋଲି ସମୀକ୍ଷକମାନେ କହିଛନ୍ତି ।

ବହୁ ବର୍ଷ ଧରି ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ଓଡ଼ିଶାରେ ଆନ୍ଦୋଳନ ହେଉଛି । କିନ୍ତୁ ଛତିଶଗଡ଼ ତାର ନିଜ ସ୍ୱାର୍ଥ ସାଧନ କରୁଥିବା ବେଳେ ଓଡିଶାକୁ ହକ ମିଳିପାରୁନାହିଁ । ବର୍ତ୍ତମାନ ରାଜନୈତିକ ସ୍ଥିତି ବଦଳିଥିବାରୁ ଏହି ସମସ୍ୟାର ସମାଧାନ ନେଇ ଲୋକେ ଆଶାବାଦୀ ହୋଇପଡିଛନ୍ତି ।