ଗୋଟିଏ ବ୍ୟାଙ୍କରେ ଆକାଉଣ୍ଟ, ଅନ୍ୟ ବ୍ୟାଙ୍କରୁ ଟଙ୍କା ଉଠାଉଛନ୍ତି କି ? ସାବଧାନ…

ନୂଆଦିଲ୍ଲୀ: ଗ୍ରାହକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ବ୍ୟାଙ୍କମାନେ ବିଭିନ୍ନ ସୁବିଧା ସୁଯୋଗ ଦେଉଛନ୍ତି। ଏଥିରେ ଏଟିଏମ୍ ମଧ୍ୟ ଅନ୍ୟତମ। ଯଦି ଆପଣ ଖାତା ଖୋଲିଥିବା ବ୍ୟାଙ୍କର ଏଟିଏମ୍ ବ୍ୟତୀତ ଅନ୍ୟ ବ୍ୟାଙ୍କ ଏଟିଏମରୁ ପଇସା ଉଠାଣ କରୁଥାନ୍ତି ଓ ଏଥିପାଇଁ ଆପଣଙ୍କୁ କିଛି ଦେୟ ଦେବାକୁ ପଡୁନି ଭାବୁଥାନ୍ତି ତେବେ ଏହା ଭୁଲ। ଏପର୍ଯ୍ୟନ୍ତ ଏଥିରେ କିଛି ରିହାତି ଥିଲା। ହେଲେ ଆଗକୁ ଆଉ ଏହି ସୁବିଧା ଆଉ ମିଳିବନି।
ବ୍ୟାଙ୍କମାନେ ଗ୍ରାହକଙ୍କ ଲାଗି ନିଜ ଏଟିଏମରୁ ମାସିକ ୫ଟି ଉଠାଣ ନିଶୁଳ୍କ କରିଛନ୍ତି। ଏହା ପରବର୍ତ୍ତୀ ପ୍ରତ୍ୟେକ ଉଠାଣ ବାବଦରେ ବ୍ୟାଙ୍କ ଏକ ନିଶ୍ଚିତ ଶୁଳ୍କନିଅନ୍ତି। ସେହିପରି ଅନ୍ୟ ବ୍ୟାଙ୍କ ଏଟିଏମରୁ ୩ଟି ଉଠାଣ ଶୁଳ୍କମୁକ୍ତ ରଖିଥିଲେ। ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ୧ ଅଗଷ୍ଟ ୨୦୨୧ରୁ ଇଣ୍ଟରଚେଞ୍ଜ ଶୁଳ୍କକୁ ୧୫ଟଙ୍କାରୁ ୧୭ ଟଙ୍କାକୁ ବଢାଇ ଦେଇଛନ୍ତି । ତେବେ ଇଣ୍ଟରଚେଞ୍ଜ ଶୁଳ୍କ କଣ ଆସନ୍ତୁ ଜାଣିବା।
ଯଦି କୌଣସି ବ୍ୟାଙ୍କର ଗ୍ରାହକ ଅନ୍ୟ ବ୍ୟାଙ୍କ ଏଟିଏମରୁ କାର୍ଡ ଦ୍ୱାରା ଟଙ୍କା ଉଠାଣ କରନ୍ତି ସେତେବେଳେ ସେ ଯେଉଁ ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଉଥାନ୍ତି ତାହା ତାଙ୍କଲାଗି ମର୍ଚାଣ୍ଟ ବ୍ୟାଙ୍କ ହୋଇଥାନ୍ତି। ଏଣୁ ମର୍ଚାଣ୍ଟ ବ୍ୟାଙ୍କକୁ ସେବା ଲାଗି ଏକ ନିଶ୍ଚିତ ଶୁଳ୍କ ପୈଠ କରିବାକୁ ହୋଇଥାଏ। ଯାହାକୁ ମର୍ଚାଣ୍ଟ ଶୁଳ୍କ କୁହାଯାଏ। ଗ୍ରାହକଙ୍କୁ ଏହି ଇଣ୍ଟରଚେଞ୍ଜ ଶୁଳ୍କ ଏକ ନିଶ୍ଚିତ ଉଠାଣ ସୀମା ପରେ ଦେବାକୁ ହୋଇଥାଏ।
ଏଟିଏମ ସ୍ଥାପନା ଓ ଏହାର ରକ୍ଷଣାବେକ୍ଷଣା ଖର୍ଚ୍ଚ ବୃଦ୍ଧି ଯୋଗୁ ଅପରେଟରମାନେ ଶୁଳ୍କ ବୃଦ୍ଧି ଦାବି କରିଆସୁଥିଲେ। ତେବେ ବ୍ୟାଙ୍କମାନେ ଏଥିପାଇଁ ରାଜି ହେଉ ନଥିଲେ। ତେବେ ଆରବିଆଇ ଜୁନ ୨୦୧୯ ମସିହାରେ ଏଟିଏମ୍ ଚାର୍ଜ ଓ ଫିସ୍ ବାବଦେ ସମୀକ୍ଷା ଲାଗି ଏକ କମିଟି ଗଠନ କରିଥିଲେ। କମିଟିଙ୍କ ସୁପାରିଶ ସମୀକ୍ଷା ପରେ ଏଟିଏମ ଟ୍ରାଞ୍ଜାକ୍ସନ ଶୁଳ୍କ ବୃଦ୍ଧି ଲାଗି ନିଷ୍ପତ୍ତି ନିଆଯାଇଛି।