ବଡ଼ ନିଷ୍ପତ୍ତି, ଫେରିବେ କୋଟାରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ୱର: କରୋନା, ଲକଡାଉନ୍ ଯିଏ ଯେଉଁଠି ଯେମିତି ଓଳିଏ ଖାଇଲେ, ଓଳିଏ ନଖାଇ ପଡ଼ି ରହିଛନ୍ତି । ପାଠ ପଢ଼ିବାକୁ ଯାଇ ରାଜସ୍ଥାନରେ ଫସିଛନ୍ତି ପ୍ରାୟ ୯୭୫ ଜଣ ଓଡ଼ିଆ ଛାତ୍ରଛାତ୍ରୀ । ରାଜସ୍ଥାନରେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ସେଠାରୁ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଏନେଇ ପ୍ରବାସୀ ଓଡ଼ିଆଙ୍କ ଦାୟିତ୍ୱରେ ଥିବା ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

ଫସିଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ଲାଗି ସରକାର ବ୍ୟବସ୍ଥା କରୁଛନ୍ତି । ସେମାନଙ୍କୁ କୋଟାରୁ ସ୍ୱତନ୍ତ୍ର ବସ୍ ଯୋଗେ ଓଡ଼ିଶା ଆଣିବାକୁ ସରକାର ପଦକ୍ଷେପ ନେଇଛନ୍ତି । ଗାଡ଼ି ପରମିଟ୍ ସହ ଅନ୍ୟ ସବୁ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାର ଏନେଇ ରାଜସ୍ଥାନ ସରକାର ଓ କୋଟା ପ୍ରଶାସନ ମଧ୍ୟ ବିସ୍ତୃତ ଆଲୋଚନା କରିଛନ୍ତି ।

ଏଯାବତ୍ ରାଜସ୍ଥାନରେ ୨ ହଜାର ୩୯୩ଟି କରୋନା ପଜିଟିଭ୍ କେସ୍ ଚିହ୍ନଟ ହୋଇଥିବା ବେଳେ କୋଟାରେ ୧୯୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । କେବଳ କୋଟାର ସ୍ଥିତି ଆମ ରାଜ୍ୟ ସ୍ଥିତି ଠାରୁ ଉଦବେଗଜନକ ରହିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାର ସେଠାରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ନେଇଥିବା ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

Leave a Reply