ଚୀନ୍କୁ ଆମେରିକାର କଡ଼ା ଟକ୍କର, ହାଇପରସୋନିକ ମିସାଇଲର ସଫଳ ପରୀକ୍ଷଣ କଲା ଆମେରିକା

ନୂଆଦିଲ୍ଲୀ: ସୁପରପାଓ୍ୱାରଙ୍କ ସୁପରସୋନିକ ରେସ୍। ଚୀନକୁ ଆମେରିକାର ଟକ୍କର। ହାଇପରସୋନିକ ମିସାଇଲକୁ ସଫଳତାର ସହ ପରୀକ୍ଷା କରିଛି ଆମେରିକା। ଏହି ଟେକ୍ନୋଲୋଜି ବର୍ତ୍ତମାନ ସୁଦ୍ଧା କେବଳ ଚୀନ ଓ ଋଷ ନିକଟରେ ରହିଛି। ମିସାଇଲ ପରୀକ୍ଷା ନେଇ ସୂଚନା ଦେଇଛି ଆମେରିକା ନୌସେନା ବିଭାଗ। ଏହି ହାଇପରସୋନିକ ମିସାଇଲକୁ ଭିର୍ଜିନିଆର ଓ୍ୱାଲପ୍ସ ସ୍ଥିତ ନାସା ଫାସିଲିଟି ସେଣ୍ଟରରେ ପରୀକ୍ଷା କରାଯାଇଛି। ଏହି ସ୍ୱତନ୍ତ୍ର ଧରଣର କ୍ଷେପଣାସ୍ତ୍ର ଶବ୍ଦର ୫ ଗୁଣଠାରୁ ଅଧିକ ବେଗରେ ଗତି କରିପାରୁଛି। କ୍ଷେପଣାସ୍ତ୍ରକୁ ରାଡାର ପରଦାରେ ଠାବ କରିବା ସମ୍ଭବ ହୋଇପାରୁ ନଥିବାରୁ, ବର୍ତ୍ତମାନ ହାଇପରସୋନିକ ମିସାଇଲ ଏକ ନୂଆ ବିପଦ ଭାବେ ଉଭା ହୋଇଛି।
କିଛିଦିନ ତଳେ ଚୀନ ଆଣବିକ ସାମର୍ଥ୍ୟ ସମ୍ପନ୍ନ ସୁପରସୋନିକ ମିସାଇଲ ପରୀକ୍ଷା କରିଥିବା ବେଳେ, ଏହାକୁ ଟକ୍କର ଦେବା ଲାଗି ଆମେରିକା ଏହି ହାଇପରସୋନିକ ମିସାଇଲ ପରୀକ୍ଷା କରିଛି। ଚୀନର ପରୀକ୍ଷଣ ନେଇ ନିରସ୍ତ୍ରୀକରଣ ସଂକ୍ରାନ୍ତ ସମ୍ମିଳନୀର ଆମେରିକା ପ୍ରତିନିଧି ରବର୍ଟ ଉଡ ଚିନ୍ତା ବ୍ୟକ୍ତ କରିଥିଲେ। ରିପୋର୍ଟ ଅନୁସାରେ, ଚୀନ ପରୀକ୍ଷା କରିଥିବା କ୍ଷେପଣାସ୍ତ୍ର ଯଦିଓ ଏକ ସର୍କିଟ ଶେଷ କରିଥିଲା, ତଥାପି ଏହା ଟାର୍ଗେଟରେ ଲକ୍ଷ୍ୟଭେଦ କରିପାରି ନଥିଲା। ଯଦି ଗୋଟିଏ ରାଷ୍ଟ୍ର ନିଜ ରାଷ୍ଟ୍ରକୁ ଟାର୍ଗେଟ କରିବାକୁ ଉଦ୍ୟମ କରୁଛି, ତେବେ ଏହାର ପ୍ରତିରୋଧ କରିବା ଆବଶ୍ୟକ ବୋଲି କହିଛନ୍ତି ରବର୍ଟ।
୨୦୧୯ରେ ଚୀନ ଆଣବିକ ଶକ୍ତି ସମ୍ପନ୍ନ ଡିଏଫ୧୭ ମଧ୍ୟମ ଦୂରଗାମୀ ହାଇପରସୋନିକ ମିସାଇଲର ପରୀକ୍ଷା କରିଥିଲା। ଏହା ସର୍ବାଧିକ ୨୦୦୦ କିଲୋମିଟର ଦୂରରେ ଲକ୍ଷ୍ୟଭେଦ କରୁଥିଲା। ପରେ ଏହାର ଅଧିକ ଗବେଷଣା କରାଯାଇ ଅତ୍ୟାଧୁନିକ ମିସାଇଲ ନିର୍ମାଣ କରାଯାଇଛି। ଋଷ ମଧ୍ୟ ଜିର୍କନ ନାମକ ଏକ ହାଇପରସୋନିକ ମିସାଇଲ କିଛି ଦିନ ତଳେ ପରୀକ୍ଷଣ କରିଥିଲା। ଆସନ୍ତା ୨୦୨୫ ସୁଦ୍ଧା ଆମେରିକା ବିଭିନ୍ନ ସ୍ଥାନରେ ହାଇପରସୋନିକ ମିସାଇଲ ମୁତୟନ କରିବ ବୋଲି ପେଣ୍ଟାଗନ ପ୍ରକାଶ କରିଛି।