ପାକିସ୍ତାନର ସେହି ରାଷ୍ଟ୍ରପତିଙ୍କ କାହାଣୀ, ରାତି ୧୦ ପରେ ଯାହାଙ୍କ ଆଦେଶ କେହି ମାନୁନଥିଲେ..

ପାକିସ୍ତାନକୁ ୧୦୦ ପୁରିନି । କିନ୍ତୁ ମାତ୍ର ୭୦ ରୁ କିଛି ଅଧିକ ବର୍ଷ ମଧ୍ୟରେ ଏହି ଦେଶ ଦୁଇ ଫାଳ ହୋଇଯାଇଛି । ପୁଣି ଏହି ଦେଶ ଏମିତି ଶାସକଙ୍କୁ ଦେଖିଛି ଯିଏ କ୍ଷମତାକୁ ଆସିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପିଟି ପିଟି ମାରି ଦେବାକୁ ଆଦେଶ ଦିଏ ଓ ପରେ ଲୋକ ଦେଖାଣିଆ ଭାବେ ପୂର୍ବତନ ପିଏମ୍‌ଙ୍କୁ ସ୍ୱର୍ଗତ କରିବା ପାଇଁ ଫାଶୀ ଖୁଣ୍ଟରେ ଟଙ୍ଗାଇ ଦିଆଯାଏ ।

ପୁଣି ପାକିସ୍ତାନ ଏମିତି ବି ରାଷ୍ଟ୍ରପତି ଦେଖିଛି ଯାହାଙ୍କ ଆଦେଶକୁ ରାତି ୧୦ ପରେ କେହି ମାନୁନଥିଲେ । ଖୋଦ ପାକ୍ ସେନାମୁଖ୍ୟ କଡ଼ା ଆଦେଶ ଦେଇଥିଲେ ମହାମହିମ ରାଷ୍ଟ୍ରପତି ଯଦି ରାତି ୧୦ ପରେ କିଛି ଆଦେଶ ଦେଉଛନ୍ତି ତେବେ ତାକୁ ପାଳନ କରାଯିବ ନାହିଁ । ସେହି ମହାମହିମ ରାଷ୍ଟ୍ରପତିଙ୍କ ନାମ ଥିଲା ୟାହିଆ ଖାନ୍ । ତେବେ ୟାହିଆଙ୍କ ଆଦେଶକୁ ରାତି ୧୦ ପରେ କ’ଣ ପାଇଁ କେହି ମାନୁନଥିଲେ ତାହା ଜାଣିବା ଆଗରୁ ଆସନ୍ତୁ ଜାଣିବା ଏହି ୟାହିଆଙ୍କ ନାମରେ ଆଉ କ’ଣ ସବୁ ରେକର୍ଡ ରହିଛି ।

ୟାହିଆଙ୍କ ଅମଳରେ ହିଁ ପାକିସ୍ତାନ ଦୁଇ ଫାଳ ହୋଇଥିଲା । ମାନେ ୧୯୭୧ ଡିସେମ୍ବର ୧୬ ତାରିଖ ଦିନ ବାଂଲାଦେଶ ଜନ୍ମ ପଛରେ ୟାହିଆଙ୍କ ଅବଦାନ ବହୁତ ଥିଲା । ଆୟୁବଙ୍କୁ ହଟାଇ ୟାହିଆ ରାଷ୍ଟ୍ରପତି ହୋଇଥିଲେ । ଆୟୁବଙ୍କ ନେତୃତ୍ୱରେ ପାକିସ୍ତାନ ଭାରତ ସହ ୧୯୬୫ ମସିହା ଯୁଦ୍ଧ ହାରିଥିଲା । ତ’ ୟାହିଆ ଏମିତି ପରିସ୍ଥିତି ସୃଷ୍ଟି କଲେ ଯେ, ଆୟୁବଙ୍କୁ କ୍ଷମତା ଛାଡିବାକୁ ପଡିଥିଲା ।

ଆୟୁବଙ୍କ ପରେ ୟାହିଆ ପାକିସ୍ତାନର ସର୍ବେସର୍ବା ହୋଇଗଲେ । ସାମରିକ ବିଦ୍ରୋହରେ କ୍ଷମତା ଦଖଲ କଲେ । ସିନ୍ଧର ମୌକା ଦେଖି ଚୌକା ମାରୁଥିବା ଜୁଲଫକିର ଅଲ୍ଲୀ ଭୁଟ୍ଟୋ, ୟାହିଆଙ୍କ ପାଖ ଲୋକ ହୋଇଗଲେ । ଏହି ସମୟରେ ପାକିସ୍ତାନରେ ନିର୍ବାଚନ ହୁଏ । ପୂର୍ବ ପାକିସ୍ତାନରେ ବଙ୍ଗବନ୍ଧୁ ଶେଖ୍‌ ମୁଜବିରଙ୍କ ନେତୃତ୍ୱରେ ଆୱାମୀ ଲିଗ୍ ପ୍ରଚଣ୍ଡ ବହୁମତ ପାଏ । ଜାତୀୟ ସଂସଦରେ ଏତେ ଆସନ ଯେ, ନିଜ ବଳର ସରକାର ଗଠନ କରି ପାରିଥାନ୍ତେ । କିନ୍ତୁ ପଶ୍ଚିମ ପାକିସ୍ତାନ ବିଶେଷ କରି ପଞ୍ଜାବୀଙ୍କ ପାଇଁ ଜଣେ ବଂଗାଳୀ ରାଷ୍ଟ୍ରପତି ହେବା ଅସହନୀୟ ଥିଲା । ତେଣୁ ଶେଖ୍‌ ବନ୍ଦୀ ହୁଅନ୍ତି । ପୂର୍ବ ପାକିସ୍ତାନରେ ବିଦ୍ରୋହ ହୁଏ । ଭାରତ ଉପରେ ପାକିସ୍ତାନ ଆକ୍ରମଣ କରେ । ଆଉ ଏହା ପରେ ଖାଲି ଇତିହାସ ବଦଳେନି ଭୂଗୋଳ ବି ବଦଳି ଯାଏ । ଗୋଟିଏ ନୂଆ ଦେଶ ବାଂଲାଦେଶ ଜନ୍ମ ନିଏ ।

yahia khan

କିନ୍ତୁ ଏସବୁ ଏତେ ସହଜ ନଥିଲା । ୟାହିଆଙ୍କ ଅତ୍ୟାଚାରର କାହାଣୀ ଆଜି ମଧ୍ୟ ବାଂଲାଦେଶୀଙ୍କୁ ବିବ୍ରତ କରେ । ୟାହିଆଙ୍କ ଆଦେଶରେ ୩୦ ଲକ୍ଷ ବଂଗାଳୀଙ୍କ ହତ୍ୟା ହୋଇଥିଲା । ଡାକ୍ତର, ଇଂଜିନିୟର, ଲେଖକ ଥିଲେ ୟାହିଆ ଓ ପାକ୍ ସେନା ଟାର୍ଗେଟରେ । କୁହାଯାଏ ୧୦ ଲକ୍ଷରୁ ଅଧିକ ମହିଳାଙ୍କ ସହ ବଳାତ୍କାର ହୋଇଥିଲା । ୟାହିଆ ପୂର୍ବ ପାକିସ୍ତାନ ହରାଇବା ପରେ ଦେଶରେ ମାର୍ଶାଲ ଲ’ ଲାଗୁ କରିଥିଲେ । ମାର୍ଶାଲ ଲ’ ଲାଗୁ କରିବା ପାଇଁ ତାଙ୍କୁ ଜଣେ ହାଇ ସୋସାଇଟି କଲଗର୍ଲ ପରାମର୍ଶ ଦେଇଥିଲେ । ଏହି କଲଗର୍ଲଙ୍କୁ ପାକ୍ ମିଡିଆ ଜେନରାଲ ରାଣୀ ବୋଲି କହୁଥିଲା । ଯାହାଙ୍କ ପ୍ରକୃତ ନାମ ଥିଲା ଅକଲିମ୍ ଅଖ୍‌ତର ।

ୟାହିଆ ସୁରା ଓ ସାକିର ସୌକିନ୍ ଥିଲେ । ମଦ ଧୁମ୍ ପିଉଥିଲେ । ସଂଧ୍ୟା ୮ରୁ ଆରମ୍ଭ ହେଉଥିଲା ପାନୀୟ ପର୍ବ । ସରୁଥିଲା ରାତି ୧୦ରେ । ମଦ ନିଶାରେ ୟାହିଆ ଏଣୁ ତେଣୁ ଆଦେଶ ଦେଉଥିଲେ । ତେଣୁ ପାକିସ୍ତାନରେ ୟାହିଆ ରାତି ୧୦ ପରେ ଦେଉଥିବା ଆଦେଶକୁ କେହି ମାନୁ ନଥିଲେ । ପାକ୍ ସେନା ମୁଖ୍ୟ ସେତେବେଳେ ନିଜ ତଳିଆ ଅଫିସରଙ୍କୁ ବିଶେଷ ଆଦେଶ ଦେଇଥିଲେ, ରାଷ୍ଟ୍ରପତି ରାତି ୧୦ ପରେ ଯାହା କହିବେ ବା ଆଦେଶ ଦେବେ ତାକୁ କେହି ଶୁଣିବେ ନାହିଁ । କାରଣ ନିଶାରେ ଦେଇଥିବା ଆଦେଶକୁ ସେ ନିଶା ଛାଡିବା ପରେ ଭୁଲି ଯାଉଥିଲେ ।

Leave a Reply