STFର ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ମୃତ

1 min read

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ମୃତ । ଉତ୍ତରପ୍ରଦେଶର ୧ ନମ୍ବର ଅପରାଧୀ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ମୃତ୍ୟୁ STFର ଏନକାଉଣ୍ଟରରେ ହୋଇଛି । ପୋଲିସ ସହ ଗୁଳିବିନିମୟ ବେଳେ ଗମ୍ଭୀର ଭାବେ ଆଘାତ ହୋଇଥିବା ବିକାଶ ଦୁବେର ମୃତ୍ୟୁ ହୋଇଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି । ଏନେଇ ସୂଚନା ଦେଇଛି କାନପୁର ପୋଲିସ । ତେବେ, ଏହି ଗୁଳିବିନିମୟରେ କେତେ ଜଣ ପୋଲିସ ଆହତ ହୋଇଛନ୍ତି ଜଣାପଡ଼ିନାହିଁ । ବିକାଶ ଦୁବେ ଶରୀରରେ କେତେ ରାଉଣ୍ଡ ଗୁଳି ବାଜିଛି ଜଣାପଡ଼ିନାହିଁ ।

ଜୁଲାଇ ୩ରେ କାନପୁର ପୋଲିସର ଏକ ଟିମ୍ ବିକାଶ ଦୁବେକୁ ଧରିବାକୁ ରେଡ୍ କରିଥିଲା । ବିଳମ୍ବିତ ରାତିରେ ହୋଇଥିବା ଏହି ରେଡ୍ ବେଳେ ବିକାଶ ଦୁବେ ସହଯୋଗୀଙ୍କ ସହ ପୋଲିସ୍ ଉପରେ ଆକ୍ରମଣ କରିଥିଲା । ଏଥିରେ ଡେପୁଟି ଏସପିଙ୍କ ସମେତ ୮ ପୋଲିସ ସହିଦ ହୋଇଥିଲେ । ତାପରେ ଖସି ଯାଇଥିଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ । ପୋଲିସ ବିଭିନ୍ନ ସ୍ଥାନରେ ରେଡ୍ ଜାରି ରଖିଥିଲା ।

୨ ଦିନ ମଧ୍ୟରେ ଉତ୍ତରପ୍ରଦେଶ ପୋଲିସ ବିକାଶ ଦୁବେର ୩ ସହଯୋଗୀଙ୍କୁ ଏନକାଉଣ୍ଟର କରିଥିଲା । ଗୁରୁବାର ଜୁଲାଇ ୯ ତାରିଖରେ ବିକାଶ ଦୁବେକୁ ଉଜ୍ଜୟିନୀରୁ ଗିରଫ କରିଥିଲା ମଧ୍ୟପ୍ରଦେଶ ପୋଲିସ । ପରେ ବିକାଶ ଦୁବେକୁ ମଧ୍ୟପ୍ରଦେଶ ପୋଲିସ ଉତ୍ତରପ୍ରଦେଶ STFକୁ ହସ୍ତାନ୍ତର କରିଥିଲା । ଆଜି ଭୋରରୁ ୟୁପି STF କଡ଼ା ସୁରକ୍ଷା ଭିତରେ ମୋଷ୍ଟ ୱାଣ୍ଟେଡ୍ ବିକାଶ ଦୁବେକୁ କାନପୁର ଅଣାଯାଉଥିଲା ।

bikash arrest

ପ୍ରବଳ ବର୍ଷା ମଧ୍ୟରେ STFର କଡ଼ା ସୁରକ୍ଷା ଭିତରେ ଆଜି ଭୋରରୁ ବିକାଶ ଦୁବେକୁ କାନପୁର ଅଣାଯାଉଥିଲା । କାନପୁର ଟୋଲ୍ ଗେଟ ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ବିକାଶ ଦୁବେ ବସିଥିବା STF ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାର ସୁଯୋଗ ନେଇ ବିକାଶ ଦୁବେ ପୋଲିସ ଠାରୁ ରିଭରବଲ ଛଡ଼ାଇ ଖସିଯିବାକୁ ଉଦ୍ୟମ କରିଥିଲା । ପୋଲିସ ତାକୁ ଘେରିଯିବା ପରେ ଗୁଳିବିନିମୟ ହୋଇଥିଲା । ପ୍ରାୟ ୪ କିଲୋମିଟର ପୋଲିସ ବିକାଶ ଦୁବେର ପିଛା କରିଥିଲା ।

ତାପରେ ପୋଲିସ ବିକାଶ ଦୁବେକୁ ଏନକାଉଣ୍ଟର କରିଥିଲା । ତୁରନ୍ତ ତାକୁ ରକ୍ତାକ୍ତ ଅବସ୍ଥାରେ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ମୃତ ଘୋଷଣା କରିଥିବା କାନପୁର ଏସପି ସୂଚନା ଦେଇଛନ୍ତି । ତେବେ, ଏହି ଗୁଳିବିନିମୟ ଓ ଦୁର୍ଘଟଣାରେ କେତେଜଣ ପୋଲିସ ଆହତ ହୋଇଛନ୍ତି ପୋଲିସ ସୂଚନା ଦେଇନାହିଁ ।

ମଧ୍ୟପ୍ରଦେଶ ପଳାଇ ଯାଇ ଏନକାଉଣ୍ଟରରୁ ବର୍ତ୍ତିଗଲା କି ବିକାଶ ଦୁବେ ?

Leave a Reply