୧୫ ଶହ ଟଙ୍କାରୁ ୨ ହଜାର କୋଟି, ଜାଣନ୍ତୁ MDH ମାଲିକଙ୍କ ପରଦା ପଛର କାହାଣୀ

1 min read

ନୂଆଦିଲ୍ଲୀ: ଆଉ ନାହାଁନ୍ତି ପ୍ରସିଦ୍ଧ ମସଲା MDHର ମାଲିକ ମହାଶୟ ଧରମପାଲ ଗୁଲାଟି । ୯୭ ବର୍ଷ ବୟସରେ ମାତା ଚନନ ଦେବୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ଏହି ପ୍ରସିଦ୍ଧ ବିଜନେସମ୍ୟାନ ।

୧୯୨୩ ମସିହା ମାର୍ଚ୍ଚ ମାସ ୨୭ ତାରିଖରେ ସିଆଲକୋଟ ବା ପାକିସ୍ତାନରେ ଜନ୍ମ ହୋଇଥିଲେ ଧରମପାଲ । ଦେଶ ବିଭାଜନ ପରେ ଧରମପାଲ ଏବଂ ତାଙ୍କ ପରିବାର ଭାରତ ଆସିଯାଇଥିଲେ । ସାଙ୍ଗରେ ଆଣିଥିଲେ ୧୫୦୦ ଟଙ୍କା । ପ୍ରଥମେ ଜଣେ ଘୋଡ଼ା ଗାଡ଼ି ଚାଳକ ଭାବରେ କାମ ଆରମ୍ଭ କଲେ । ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ପରିବାର କରୋଲବାଗର ଆଜମଲ ଖାନ ରୋଡରେ ମସଲା ଦୋକାନ ଆରମ୍ଭ କରିବା ପାଇଁ ସମସ୍ତ ସାମଗ୍ରୀ ଠୁଳ କଲେ । ମହାସିଆନ ଦି ହାଟି ବା ଏମଡିଏଚ୍ ତାଙ୍କ ବାପା ମହାଶୟ ଚୁନିଲାଲ ଗୁଲାଟିଙ୍କ ଦ୍ୱାରା ସ୍ଥାପିତ ହେଲା । ଧୀରେ ଧୀରେ ବିଜନେସ ବଢିଲା ଏବଂ ଏବେ ଭାରତ ଏବଂ ଦୁବାଇରେ ଏମଡିଏଚର ୧୮ଟି ଫ୍ୟାକ୍ଟ୍ରି ରହିଛି । ଯେଉଁଠାରୁ ବିଶ୍ୱର ବିଭିନ୍ନ ସ୍ଥାନକୁ ମସଲା ରପ୍ତାନୀ ହେଉଛି ।

କମ୍ପାନୀ ଏବେ ୬୨ଟି ପ୍ରଡକ୍ଟ ବିକ୍ରି କରୁଛି ଏବଂ ଉତ୍ତର ଭାରତରେ ୮୦ ପ୍ରତିଶତ ମାର୍କେଟ ଶେୟାର ଥିବା ଦାବି କରୁଛି । ଗୁଲାଟି ବିଶ୍ୱର ପ୍ରାୟ ପୁରୁଣା ବିଜ୍ଞାପନ ତାରକା । ଥରେ ବିଜ୍ଞାପନ ସୁଟିଂରେ ଝିଅର ବାପା ଚରିତ୍ରରେ ଅଭିନୟ କରୁଥିବା ଆକ୍ଟର କୌଣସି କାରଣରୁ ତାହା କରିପାରିଲେ ନାହିଁ । ଯାହାପରେ ନିଜେ ଗୁଲାଟିଙ୍କୁ ନିର୍ଦ୍ଦେଶକ ଏହି ଚରିତ୍ରରେ ଅଭିନୟ କରିବା ପାଇଁ ପ୍ରସ୍ତାବ ଦେଲେ । ଏହାଦ୍ୱାରା କିଛି ଟଙ୍କା ବଞ୍ଚିଯିବ ଭାବି ଗୁଲାଟି ଏମଡିଏଚ ମସଲା ବିଜ୍ଞାପନରେ ଝିଅର ବାପା ଚରିତ୍ରରେ ଅଭିନୟ କରିଥିଲେ ବୋଲି ଏକ ସାକ୍ଷାତକାରରେ କହିଥିଲେ । ତାହା ପରଠାରୁ ସେ ଦେଶର ପ୍ରତି ଘରେ ଘରେ ପରିଚିତ ହୋଇଗଲେ ।

ପଞ୍ଚମ ଶ୍ରେଣୀରୁ ପାଠପଢା ଛାଡ଼ିଥିବା ଗୁଲାଟି ଏଫଏମସିଜି ସେକ୍ଟରରେ ଅଧିକ ଇନକମ କରୁଥିବା ସିଇଓ ଭାବରେ ବେଶ୍ ଜଣାଶୁଣା ।
ସ୍ପାଇସ କିଙ୍ଗ୍ ଭାବରେ ଜଣାଶୁଣା ଗୁଲାଟି ୨୦୧୯ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ।

Leave a Reply