ମାଡ଼ି ଆସୁଛି ବାତ୍ୟା ‘ଦାନା’: କେଉଁଠି କରିବ ଲ୍ୟାଣ୍ଡଫଲ୍, କେତେ ରଚିବ ବିନାଶ ?

1 min read

ଭୁବନେଶ୍ବର: ପୁଣି ଆସିଛି ଅକ୍ଟୋବର । ଆଉ ପୁଣି ଓଡ଼ିଶାବାସୀଙ୍କୁ ଘାରିଛି ବାତ୍ୟା ଭୟ । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ‘ଦାନା’ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆଜି ରାତିରେ ଲଘୁଚାପ ସୃଷ୍ଟି ହୋଇ ୨୩ ତାରିଖ ସକାଳ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ନେବ ବାତ୍ୟାର ରୂପ । ୨୪ ତାରିଖରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ଆକଳନ କରିଛି ଆଇଏମଡି । ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ଅଣଚାଷ ପବନ ହେବାର ପୂର୍ବାନୁମାନ କରାଯାଇଛି ।

ମାଡ଼ି ଆସୁଛି ବାତ୍ୟା ‘ଦାନା’ । ୨୩ରୁ ୨୭ ତାରିଖ ଯାଏଁ ନିର୍ଧୁମ୍ ବର୍ଷା । ଘଣ୍ଟାପ୍ରତି ୧୦୦ରୁ ୧୨୦ କି.ମି. ବେଗରେ ବହିବ ପବନ । ରେଡ୍ ଆଲର୍ଟରେ ୪ ଜିଲ୍ଲା । ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ । ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ହୋଇପାରେ ଲ୍ୟାଣ୍ଡଫଲ । ଆଜି ଏ ନେଇ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ । ଆଇଏମଡିର ଆକଳନ ଅନୁସାରେ ଗତକାଲି ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ରାତି ମଧ୍ୟରେ ଲଘୁଚାପର ରୂପ ନେବ । ୨୨ ତାରିଖ ସକାଳେ ଏହା ଅବପାତର ରୂପ ନେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୨୩ ତାରିଖ ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପରେ ଆହୁରି ଘନୀଭୁତ ହୋଇ ଏକ ଭୀଷଣ ବାତ୍ୟାର ରୂପ ନେଇ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଇଏମଡି ।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆଜିଠାରୁ ରାଜ୍ୟର ପାଗ ପରିବର୍ତ୍ତନ ହେଲାଣି । ଆକାଶ ମେଘାଚ୍ଛନ୍ନ ରହିଛି । ୨୨ ତାରିଖରୁ କିଛି ଜିଲ୍ଲାରେ ଆରମ୍ଭ ହେବ ବର୍ଷା । ୨୩ରୁ ବଢିବ ବର୍ଷାର ପରିମାଣ । ପ୍ରବଳ ବର୍ଷା ହେବ ବୋଲି ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୪ ତାରିଖରେ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ଭୀଷଣ ବର୍ଷା ହୋଇପାରେ । ଏହି ସବୁ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କେନ୍ଦ୍ରାପଡା, କଟକ, ନୟାଗଡ, କନ୍ଧମାଳ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।

ସମ୍ଭାବ୍ୟ ବାତ୍ୟା ‘ଦାନା’ ପ୍ରଭାବରେ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ଅଛି । ପ୍ରଭାବିତ ହୋଇପାରେ ରେଳ ଓ ସଡ଼କ ପରିବହନ । ବଡ଼ ବଡ଼ ଗଛ  ଭାଙ୍ଗିବାର, ବିଦ୍ୟୁତ ଖୁଣ୍ଟ ଉପୁଡ଼ିବାର ସମ୍ଭାବନା ରହିଛି । ବନ୍ଦର ଓ ଜାହାଜ ଚଳାଚଳ ନେଇ ମଧ୍ୟ ସତର୍କତା ଜାରି କରାଯାଇଛି । ପ୍ରବଳ ବର୍ଷା ହେବାର ଥିବାରୁ ତଳିଆ ଅଞ୍ଚଳରେ ସୃଷ୍ଟି ହୋଇପାରେ ଜଳବନ୍ଦୀ ପରିସ୍ଥିତି । ଏପରିକି ଗ୍ରାମାଞ୍ଚଳରେ ଉପୁଜି ପାରେ ବନ୍ୟା ସ୍ଥିତି । ସେହିପରି ବର୍ଷା ପବନରେ କ୍ଷତିଗ୍ରସ୍ତ ହେବ ପାଚିଲା ଧାନ । ସମୁଦ୍ରରେ ବଡ଼ ବଡ଼ ଜୁଆର ଆସିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି ।

୬ ବର୍ଷ ପରେ ଅକ୍ଟୋବର ମାସରେ ପୁଣି ଓଡ଼ିଶାକୁ ବାତ୍ୟା ହିଟ୍ କରିବାର ଆଶଙ୍କା ସୃଷ୍ଟି ହୋଇଛି । ବାତ୍ୟା ପାଇଁ ପାଗ ଅନୁକୂଳ ରହିଥିବାରୁ ଉପକୂଳ ଜିଲ୍ଲାଗୁଡିକ ଅଧିକ କ୍ଷତିଗ୍ରସ୍ତ ହୋଇପାରନ୍ତି ।