ଆସୁଛି ବାତ୍ୟା ‘ଦାନା’: ୨୩ ତାରିଖ ପୂର୍ବରୁ ପୁରୀ ଛାଡ଼ିବାକୁ ଶ୍ରଦ୍ଧାଳୁଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ଓଡ଼ିଶାରେ ମାଡ଼ ହେବ ସାମ୍ଭାବ୍ୟ ବାତ୍ୟା ‘ଦାନା’ । ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିବା ସହ ଘଣ୍ଟାପ୍ରତି ୧୦୦ରୁ ୧୨୦ କିମି ବେଗରେ ରଚିବ ତାଣ୍ଡବ । ଏମିତି ସ୍ଥିତିରେ ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହାସହ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇଛନ୍ତି । ଏହି କ୍ରମରେ ୨୩ ତାରିଖ ପୂର୍ବରୁ ପୁରୀ ଛାଡି ନିଜ ନିଜ ଘରକୁ ଚାଲିଯିବାକୁ ଶ୍ରଦ୍ଧାଳୁଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ବାତ୍ୟା ମୁକାବିଲା ପାଇଁ ହେଲିକପ୍ଟର ଓଡ଼ିଶା ଅଣାଯିବ । ଆସନ୍ତା ୨୩ ତାରିଖରେ ଏହା ଓଡ଼ିଶାରେ ପହଞ୍ଚିବ । ପୂର୍ବରୁ ଅନୁଭବ ଥିବା ଜିଲ୍ଲପାଳ ଯେଉଁ ଜାଗାରେ ଥିଲେ ବି ପୂର୍ବ ଜାଗାକୁ ଯାଇ ଜିଲ୍ଲପାଳଙ୍କୁ ଗାଇଡ଼ କରିବେ । ସେହିପରି ପଶୁମାନଙ୍କୁ ଅସ୍ଥାୟୀ ଥଇଥାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଓଡ୍ରାଫ ଟିମ ବାତ୍ୟା ପୂର୍ବରୁ ସେମାନଙ୍କୁ ଦିଆଯାଇଥିବା ସ୍ଥାନରେ ପହଞ୍ଚିବେ ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ଏନଡିଆରଏଫ ଟିମ ଆସନ୍ତାକାଲିଠାରୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ଯିବେ । ୨୪ ଘଣ୍ଟା ବିଜୁଳି ଯୋଗାଣ ଓ ବିକଳ୍ପ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା, ବ୍ଲକ ଓ ବିଭିନ୍ନ ବିଭାଗରେ କଣ୍ଟ୍ରୋଲ ରୁମ ଖୋଲିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହାସହ ବାତ୍ୟାକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ବନ୍ଦ ରଖାଯିବ । ଯେତେଦିନ ପର୍ଯ୍ୟନ୍ତ ବାତ୍ୟାର ପ୍ରଭାବ ରହିବ ଜିଲ୍ଲାପାଳମାନେ ନିଜ ଅଞ୍ଚଳର ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିପାରିବେ । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ଅଧିକାର ଦିଆଯାଇଛି ।