ବାତ୍ୟା ‘ଦାନା’ ପ୍ରଭାବ: ଘର କାନ୍ଥ ପଡ଼ି ଜଣେ ଗୁରୁତର

ନିମାପଡ଼ା: ଆଜି ରାତିରେ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । ଭଦ୍ରକର ଚାନ୍ଦାବାଲିରେ ଏହା ଲ୍ୟାଣ୍ଡଫଲ୍ କରିବ । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି ରହିବ । ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ବାତ୍ୟା ‘ଦାନା’ର ପ୍ରାକ ପ୍ରଭାବ ଦେଖିବାକୁ ମିଳିଛି ।

ବାତ୍ୟା ଦାନାର ପ୍ରଭାବରେ ଘର କାନ୍ଥ ପଡି ଜଣେ ଗୁରୁତର ହୋଇଛନ୍ତି । ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଓ ତୁହାକୁ ତୁହା ପବନର ବେଗ ବଢୁଥିବା ବେଳେ ନିମାପଡ଼ା ପୌର ପରିଷଦ ଏକ ନମ୍ବର ୱାର୍ଡ ପାଟପୁର ଗ୍ରାମର କାଳନ୍ଦୀ ପରିଡାଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା କାନ୍ଥ । ତାଙ୍କର ଗୋଟିଏ ଗୋଡ ଭାଙ୍ଗି ଯାଇଥିବା ବେଳେ ଶରୀର ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

ପରିବାର ଲୋକେ କାଳନ୍ଦିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିମାପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରୁ ତାଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।