ମାଡ଼ି ଆସୁଛି ‘ଅମ୍ପାନ’: ସ୍ଥଳଭାଗ ଛୁଇଁଲା ବେଳକୁ ୧୭୫ କି.ମି ବେଗରେ ପବନ ବହିବା ଆଶଙ୍କା

ଭୁବନେଶ୍ୱର: ଅତି ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ବାତ୍ୟା ‘ଅମ୍ଫାନ’ । ଆସନ୍ତାକାଲି ଅପରାହ୍ନ କିମ୍ବା ସନ୍ଧ୍ୟାରେ ସୁନ୍ଦରବନରେ ଲ୍ୟାଣ୍ଡଫଲ୍‌ କରିବ ‘ଅମ୍ଫାନ’ । ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ରହିବ ୧୬୫ରୁ ୧୭୫ କିମି ରହିବ । ସେହିପରି ସର୍ବାଧିକ ବେଗ ଘଣ୍ଟାପ୍ରତି ୧୯୫ କିମି ରହିପାରେ । ବର୍ତ୍ତମାନ ଦକ୍ଷିଣ ପାରାଦୀପ ଠାରୁ  ୫୭୦ କିଲୋମିଟର ଦୂରରେ ରହୁଥିବା ବେଳେ ଦୀଘା ଠାରୁ ୭୨୦ କିଲୋମିଟର ଦୂରରେ ରହିଛି । ସମୁଦ୍ର ମଧ୍ୟରେ ‘ଅମ୍ଫାନ’ର ବେଗ ବାରମ୍ବାର ପରିବର୍ତ୍ତନ ହେଉଛି । ଗତ ୬ଘଣ୍ଟା ହେଲା ଘଣ୍ଟାକୁ ୧୪ କିଲୋମିଟର ବେଗରେ ଉତ୍ତର ଓ ଉତ୍ତରପୂର୍ବ ଦିଗରେ ଗତି କରୁଛି ‘ଅମ୍ଫାନ୍‌’  । ଆଜି ସଂଧ୍ୟା ବେଳକୁ ଏହା ଏକ୍ସଟ୍ରମିଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇପାରେ। ସମୁଦ୍ରରେ ମଧ୍ୟ ଜୁଆରର ବେଗ ବଢିବ । ଆସନ୍ତାକାଲି ପବନର ବେଗ ୧୧୦ରୁ ୧୩୫ କିଲୋମିଟର ପର୍ଯ୍ୟନ୍ତ ରହିବ । ଓଡିଶାର ଉପକୂଳବର୍ତ୍ତି ଅଞ୍ଚଳରେ ବାତ୍ୟାର ପ୍ରଭାବ ପଡିବ । ବିଶେଷ କରି ୬ଟି ଜିଲ୍ଲାରେ ଅଧିକ ବର୍ଷା ହେବ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ସେହିପରି ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।

Leave a Reply