ବଢି ଚାଲିଛି ପଥରମାଫିଆଙ୍କ ଦୌରାତ୍ମ୍ୟ । ଦିନ ଦ୍ବିପ୍ରହରେ ଲୁଟି ଚାଲିଛନ୍ତି ପାହାଡ । ବିଭିନ୍ନ ଅଞ୍ଚଳକୁ ବେଆଇନ ଭାବେ କରୁଛନ୍ତି ଚାଲାଣ । ଗଞ୍ଜାମ ଜିଲ୍ଲାର ଗାଁରୁ ସହର ପର୍ଯ୍ୟନ୍ତ ପଥର ମାଫିଆମାନେ ଯେଉଁଠି ଚାହିଁବେ ସେଠାରେ ପଥର ଲୁଟ କରୁଥିବା ଦେଖୁବାକୁ ମିଳିଛି । ଜିଲ୍ଲାର ଅଧିକାଂଶ ପାହାଡ଼ ଏବେ ପଥର ମାଫିଆମାନଙ୍କ ଯୋଗୁଁ ଲଣ୍ଡା ହୋଇଗଲାଣି। ଯେଉଁ ଯେଉଁ ସ୍ଥାନରେ କ୍ରସର ୟୁନିଟ ଅଛି, ସେ ନିକଟରେ ଥିବା ପାହାଡ଼ରୁ ବେଆଇନ ଭାବେ ପଥର ମାଫିଆମାନେ ପାହାଡ଼ ଫୁଟାଇ ପଥର ଲୁଟ କରି କ୍ରସରମାନଙ୍କୁ ଯୋଗାଉଥିବାର ନଜିର ରହିଛି। ଖଣି ବିଭାଗ କାଁ ଭାଁ କିଛି ପାହାଡ଼ ଦୀର୍ଘ ବର୍ଷ ପାଇଁ ସ୍ଵଳ୍ପ ମୂଲ୍ୟରେ ଲିଜ୍ ଦେଇଛନ୍ତି। ଏହାର ସୁଯୋଗ ନେଇ ପଥର ମାଫିଆମାନେ ବିଭିନ୍ନ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରି ପାହାଡ଼ ଫୁଟାଇ ପଥର ଲୁଟୁଛନ୍ତି। ଖଣି ବିଭାଗ ଅଧିକାରୀମାନେ ବଟି ନେଇ ଏଭଳି ବେଆଇନ ଲୁଟକୁ ଅନୁମତି ଦେଇଥିବା ଅଭିଯୋଗ ହୋଇଛି । ପାହାଡ଼ ଫୁଟାଇବା ପଥର ନେବା ଦ୍ଵାରା ନିକଟରେ ଥିବା ଜନବସତି ଚାଷ ଜମି ସମ୍ପୂର୍ଣ ନଷ୍ଟ ହେଉଥିବବାର ଅଭିଯୋଗ ହୋଇଆସୁଛି।
ଦିନ ହେଉକି ରାତି ପଥର ଅବାଧରେ ଫୁଟାଇଲେ ମଧ୍ଯ ମାଫିଆମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଜିଲ୍ଲାରେ ବିଭାଗୀୟ ମନ୍ତ୍ରୀ ଥାଇ ବି ଏଭଳି ଖଣିଜ ଦ୍ରବ୍ଯ ଲୁଟ ହୋଇଚାଲିଛି । ଜିଲ୍ଲାରେ ଛତୁ ଫୁଟିବା ଭଳି କ୍ରସର ୟୁନିଟ ଖୋଲା ଯାଇଛି । ଯାହାକି ସରକାରୀ ନିୟମର ଖୋଲାମ ଖୋଲି ଉଲଘଂନ । ଆଗରୁ ପୋଲିସ ହେଉ କି ତହସିଲ ଚଢ଼ାଉ କରୁଥିଲେ କିନ୍ତୁ ବର୍ତମାନ ଖଣି ବିଭାଗ ହସ୍ତାନ୍ତର ହେବା ଦିନ ଠାରୁ ପଥର ମାଫିଆମାନେ ଆଉ କାହାରିକୁ ଭୟ କରୁ ନାହାନ୍ତି । ଅନ୍ୟପକ୍ଷରେ ଜିଲ୍ଲାରେ କେତୋଟି କ୍ରସର ୟୁନିଟ୍ ଅଛି, ଏହାର ହିସାବ କାହା ପାଖରେ ନାହିଁ। ଆଉ କିଛି ଦିନ ପରେ ଜିଲ୍ଲାରେ ଥିବା ଅନେକ ପାହାଡ଼ ବିଲୁପ୍ତ ହୋଇଯିବ ବୋଲି ପରିବେଶ ପ୍ରେମୀମାନେ ମତ ପ୍ରକାଶ କଲେଣି।

