ବ୍ଲାକ ମନଡେ: ଆମେରିକାରେ ହଇଚଇ, ଭାରତରେ  ମାତ୍ର କେଇ ଘଣ୍ଟାରେ ସ୍ବାହା ହୋଇଗଲା ୧୯ ଲକ୍ଷ ୪୦ ହଜାର କୋଟି ଟଙ୍କା

1 min read

ନନ୍ଦିଘୋଷ ବ୍ୟୁରୋ: ୧୮୦ ଦେଶ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଲାଗୁ ପରେ ସବୁଠି ଆଶଙ୍କା ଓ ଆତଙ୍କ । ବିଶ୍ବରେ ବାଣିଜ୍ୟିକ ଯୁଦ୍ଧର ଆଶଙ୍କା କରି ସବୁ ଦେଶର ସେୟାର ବଜାର କ୍ରାସ୍ ହେବାରେ ଲାଗିଛି । ଆଜି ଭାରତରେ ବ୍ଲାକ୍ ମନଡେରେ ହୋଇଛି ବ୍ଲଡ୍ ବାଥ । ଦଲାଲ ଷ୍ଟ୍ରିଟରେ ନିବେଶକ ହରାଇଛନ୍ତି ପାଖାପାଖି ୨୦ ଲକ୍ଷ କୋଟି ଟଙ୍କା । BSE ସେନସେକ୍ସ, ନିଫଟି ଏବଂ ଅନ୍ୟାନ୍ୟ ଇନଡେକ୍ସ ୩ ପ୍ରତିଶତରୁ ୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛନ୍ତି । କୋଭିଡ ସମୟଠାରୁ ଅଧିକ ଫଲ୍ ଆମେରିକାର ନାସଡାକରେ ହୋଇଥିବା ବେଳେ,  ଜାପାନ୍ ମାର୍କେଟ୍ ୧୬ ମାସର ଲୋ’ ସମ୍ମୁଖୀନ ହୋଇଛି । ଆଗକୁ ସ୍ଥିତି ଆହୁରି ଚିନ୍ତାଜନକ ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ବିଶେଷଜ୍ଞ ।

ଭାରତୀୟ କ୍ୟାପିଟାଲ୍ ମାର୍କେଟ୍ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଇମ୍ପାକ୍ଟ । ଚୀନର ଟାରିଫ୍ ରିଟାଲିଏସନର ପରିଣାମ ଭୋଗୁଛନ୍ତି ସମଗ୍ର ବିଶ୍ବ । ସବୁ ଆମେରିକୀୟ ପ୍ରଡକ୍ଟ ଉପରେ ୩୪ ପ୍ରତିଶତର ଟାରିଫ୍ ଲଗାଇଛି ଚୀନ୍ । ଆଜି ସୋମବାର ଭାରତୀୟ ସେୟାର ବଜାର ଡିପ ଡାଉନରେ ଓପନ୍ ହୋଇଥିଲା । ପ୍ରି ମାର୍କେଟରେ ସେନସେକ୍ସରେ ୫.୨୯ ପ୍ରତିଶତର ଫଲ୍ ସହ ୭୧,୩୭୯ ପଏଣ୍ଟରୁ କାରବାର ଆରମ୍ଭ ହୋଇଥିଲା । ମୋଟ୍ ଉପରେ ସେନସେକ୍ସରେ ୪୦୦୦ ପଏଣ୍ଟର ଫଲ୍ ଦେଖିବାକୁ ମିଳିଥିଲା। କାରବାର ଶେଷ ବେଳକୁ ପାଖାପାଖି ୩ ପ୍ରତିଶତ ଫଲରେ ୭୩,୩୨୧ ପଏଣ୍ଟରେ କ୍ଲୋଜ୍ ହୋଇଛି BSE ସେନସେକ୍ସ । ସେହିପରି ନିଫଟିରେ ମଧ୍ୟ ୧୧୫୦ ପଏଣ୍ଟର ଫଲ୍ ସହ ମିଡ କ୍ୟାପ ଖସିଥିଲା ୨୧୦୦ ପଏଣ୍ଟ । ଆଜିର କ୍ରାସରେ ନିବେଶକ ୧୯ ଲକ୍ଷ ୪୦ ହଜାର କୋଟି ଟଙ୍କା ହରାଇଛନ୍ତି।  BSEର ମାର୍କେଟ୍ କ୍ୟାପିଟାଲାଇଜେସନ୍ ୩୮୩.୯୫ ଲକ୍ଷ କୋଟିକୁ ହ୍ରାସ ପାଇଛି । ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୬୦ ପଇସା ହ୍ରାସ ହୋଇଥିବା ବେଳେ ନିଫଟି ବ୍ୟାଙ୍କରେ ୧୫୦୦ ପଏଣ୍ଟର ହ୍ରାସ ହୋଇଛି ।

ଗ୍ଲୋବାଲ୍ ଟ୍ରେଡ୍ ୱାର ଓ ବୈଶିକ ମାନ୍ଦାବସ୍ଥା ଆଡକୁ ଆମେରିକା ଏବଂ ଇଉରୋପ ଯାଉଥିବା ବିଶେଷଜ୍ଞ ମତ ଦେଇଛନ୍ତି । ଆଜିର କ୍ରାସରେ ଭାରତର ସିମେନ୍ସ କଂପାନୀ ସେୟାରରେ ୪୩ ପ୍ରତିଶତର ହ୍ରାସ ହୋଇଛି । ଟପ୍ ଲୁଜର୍ସଙ୍କ ମଧ୍ୟରେ ଅଛନ୍ତି SAPL, ଟ୍ରେଣ୍ଟ ଲିମିଟେଡ, ୱାଖରଡିଟି ଲିମିଟେଡ, ଟାଟା ଷ୍ଟିଲ, ସାରଦା ଏନର୍ଜି ଏଣ୍ଡ ମିନେରାଲ୍ସ, ଲାୟଡ୍ସ ମେଟାଲ ଏଣ୍ଡ ଏନର୍ଜି ପ୍ରମୁଖ କଂପାନୀ । ସେହିପରି ଟାଟା ମୋଟର୍ସ ସେୟାରରେ ୫.୫୫ ପ୍ରତିଶତ, ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରାରେ ୪.୦୫ ପ୍ରତିଶତ, ଜିନ୍ଦଲ ଷ୍ଟିଲରେ ୬.୩୫ ପ୍ରତିଶତ, ହିଣ୍ଡାଲକୋ ୬ ପ୍ରତିଶତ,  ଇନଫୋସିସରେ ୪ ପ୍ରତିଶତ, ଇରି଼ଡାରେ ୭ ପ୍ରତିଶତ, ସେଲରେ ୭ ପ୍ରତିଶତ, HFCLରେ ୬.୦୮ ପ୍ରତିଶତ, ଏଲ ଏଣ୍ଡ ଟିରେ ୬.୦୭ ପ୍ରତିଶତ, DLFରେ ୭ ପ୍ରତିଶତ, ଇଣ୍ଡିଆ ହୋଟେଲରେ ୬ ପ୍ରତିଶତ, ବେଦାନ୍ତରେ ୭ ପ୍ରତିଶତର ଫଲ୍ ହୋଇଛି । ଗତ ୪ ମାସରେ ଭାରତୀୟ ବଜାରରୁ FII ୧.୫ ଟ୍ରିଲିୟନର ଉଠାଣ କଲେଣି ।

୧୯୮୭ ପରେ ଏହାକୁ ବ୍ଲାକ୍ ମନଡେ ୨.୦ ବୋଲି ଅବିହିତ କରାଯାଉଛି । ଶୁକ୍ରବାର ଆମେରିକାର ଡାଓ ଜୋନ୍ସରେ ୨୦୦୦ ପଏଣ୍ଟର ଫଲ୍ ପରିଲକ୍ଷିତ ହୋଇଥିଲା । ନାସଡାକ୍ ଖସିଥିଲା ୫ ପ୍ରତିଶତ । ଏହାର ପ୍ରଭାବରେ ନିକେଇରେ ୬.୪୮ ପ୍ରତିଶତ ଓ ହାଙ୍ଗ ସେଙ୍ଗରେ ୯.୧୪ ପ୍ରତିଶତର ହ୍ରାସ ହୋଇଛି । ସେପଟେ ନିବେଶକଙ୍କୁ ୱେଟ ଏଣ୍ଡ ୱାଚ୍ ଷ୍ଟ୍ରାଟେଜି ଆପଣାଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।