ସ୍ବାମୀ ଶବ ପାଇଁ ସଉତୁଣୀ ହାତାହାତି, ଶବ ବ୍ୟବଚ୍ଛେଦ ଗୃହରେ ହାଇ ଡ୍ରାମା

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ ପରିସର । ଦୁଇ ମହିଳାଙ୍କ ମଧ୍ୟରେ ତୁମ୍ବିତୋଫାନ । ମୃତକଙ୍କୁ ନିଜର ସ୍ବାମୀ କହି ଦୁଇ ମହିଳାଙ୍କ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ ଗଲା କଥା । ଦୁଇ ମହିଳାଙ୍କ ଏହି ହାଇଡ୍ରାମା କ୍ୟାପିଟାଲ ହସ୍ପିଟାଲ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିଥିଲା । ଏହାସହ ଦେଖଣାହାରୀଙ୍କ ପାଇଁ ମନୋରଞ୍ଜନର ଖୋରକ ମଧ୍ୟ ଯୋଗାଇ ଥିଲା ।

ଘଟଣା ବରଗଡ଼ ଥାନାରେ ମୃତ ପ୍ରଦୀପ ସାହୁଙ୍କ ମୃତ୍ୟୁ ମାମଲା । ଗତକାଲି ରାତିରେ ଏକ ଚୋରି ଯୋଜନା କରୁଥିବା ବେଳେ ପୋଲିସ ପ୍ରଦୀପକୁ ଧରିଥିଲା । ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ବ୍ୟବଚ୍ଛେଦ ଗୃହକୁ ଅଣା ଯାଇଥିଲା ଶବ । ଏହି ସମୟରେ ବ୍ୟବଚ୍ଛେଦ ଗୃହ ପାଖରେ ପହଞ୍ଚି ଥିଲେ ଦୁଇ ମହିଳା । ଉଭୟ ମୃତ ପ୍ରଦୀପଙ୍କୁ ନିଜ ସ୍ବାମୀ ବୋଲି ଦାବି କରିଥିଲେ । ଏପରିକି ମୃତକ ତାଙ୍କ ସ୍ବାମୀ ବୋଲି ପ୍ରମାଣ ମଧ୍ୟ ଦେଖାଇବାକୁ ଲାଗିଥିଲେ । ଏଇଠି ଆରମ୍ଭ ହୋଇଥିଲା ଦୁଇ ମହିଳାଙ୍କ ମଧ୍ୟରେ ତୁମ୍ବିତୋଫାନ ।

ତେବେ ପୋଲିସ ସୂଚନା ଅନୁସାରେ ଚିଲିକା ଭୂଷଣ୍ଡପୁରର ପ୍ରଦୀପ ସାହୁ ସେହି ଗାଁ ନିକଟରେ ବିବାହ କରିଥିଲେ । ପ୍ରଥମ ସ୍ତ୍ରୀଙ୍କର ଦୁଇ ପୁଅ ଅଛନ୍ତି । ବଡ଼ପୁଅ ପୁରୀରେ ଫଳ ଦୋକାନ କରିବା ପରେ ପରିବାର ସହ ପ୍ରଦୀପ ପୁରୀରେ ରହୁଥିଲେ । ତେବେ ସେଠାରେ ତାଙ୍କ ନାଁରେ ମାମଲା ବଢିବା ପରେ ପରିବାରକୁ ଛାଡି ଭୁବନେଶ୍ବର ଚାଲି ଆସିଥିଲେ ।

ଭୁବନେଶ୍ବର ଆସିବା ପରେ ପ୍ରଥମେ ସତ୍ୟନଗର, ପରେ ରସୁଲଗଡ଼ ଓ ତା’ପରେ କପିଳେଶ୍ବର ଅଞ୍ଚଳରେ ଘରଭଡା ନେଇ ରହୁଥିଲେ । ଏହାସହ ଭୁବନେଶ୍ବରରେ ଦ୍ବିତୀୟ ବିବାହ କରିଥିଲେ ପ୍ରଦୀପ । ସେତିକି ନୁହେଁ ବିବାହ କରିବା ସହ ପରିଚୟ ଲୁଚାଇବା ପାଇଁ ଦେବେନ୍ଦ୍ର ଚୌଧୁରୀ ନାଁରେ ଆଧାର କାର୍ଡ କରିଥିଲେ । ଯାହାର ଗୁମର ଖୋଲିସ ପୋଲିସ ।