spot_img

Latest Posts

ଏଯାଏଁ ମିଳିଲାନି ମୃତ ଅଟୋ ଚାଳକ ବିଷ୍ଣୁଙ୍କ ପରିବାରକୁ ସହାୟତା

ବାପା ! କୁଆଡ଼େ ଗଲ ? ଆମେ କେମିତି ଚଳିବୁ ? ଘର ଚଳୁନି…ଆମ ପାଠ ପଢ଼ିବା କଣ ବନ୍ଦ ହୋଇଯିବ ? ତୁମେ ଗଲା ପରଠୁ ଆମେ ଏବେ ବେସାହାରା। କାନ୍ଦି କାନ୍ଦି ବୋଉ ଆଖିରୁ ଲୁହ ଶୁଖିଲାଣି।…. ୫୭ ବର୍ଷୀୟ ବିଷ୍ଣୁ ଚରଣ ପାତ୍ର। ପେଶାରେ ଥିଲେ ଅଟୋ ଚାଳକ। ଗତ ୩ ତାରିଖରେ ରୁପାଲି ଛକରେ ଆମ ବସ ଧକ୍କାରେ ଚାଲିଗଲା ଜୀବନ। ପରିବାରର ଥିଲେ ଏକମାତ୍ର ରୋଜଗାରିଆ ବ୍ଯକ୍ତି। ଘରେ ବିଧବା ପତ୍ନୀ ଓ ଦୁଇଟି ପୁଅ ଓ ଝିଅ। କେମିତି ଚାଲିବ ସଂସାର ? ଘର ଚଳିବାକୁ ଟଙ୍କାଟିଏ ନାହିଁ। ନାହିଁ କାହାରି ସହାୟତା। ବାଲିଅନ୍ତା ବ୍ଲକ ଭିଙ୍ଗାରପୁର ଗାଁର କୈବର୍ତ୍ତ ସାହିର ଅଟୋ ଚାଳକ ବିଷ୍ଣୁ ଚରଣ ପାତ୍ରଙ୍କ ଅକାଳ ମୃତ୍ଯୁରେ ଭାଙ୍ଗି ପଡ଼ିଛନ୍ତି ପରିବାର ସଦସ୍ୟ ।

ଘର ପରିବାର କହିବାକୁ ଗଲେ ବିଧବା ପତ୍ନୀ, ଦୁଇଟି ପୁଅ ଓ ଝିଅ। ଝିଅଟି ବିଜ୍ଞାନରେ ଗ୍ରାଜୁଏଟ୍ ପଢ଼ୁଥିବା ବେଳେ, ପୁଅଟି ଯୁକ୍ତ ଦୁଇ ଛାତ୍ର। ସରକାର ଘୋଷଣା କରିଥିବା ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଏଯାଏଁ ମିଳିନି । ଗତ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣିରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଦୁଃଖ ଜଣାଇଥିଲେ। ହେଲେ ଏ ପର୍ଯ୍ୟନ୍ତ ତାଙ୍କ ପରିବାରକୁ ସହାୟତା ରାଶି ବାବଦରେ ଟଙ୍କାଟିଏ ବି ମିଳିନି। ଦୁଇ ପିଲାଙ୍କ ଭବିଷ୍ୟତ ଅନ୍ଧାର ହୋଇଯାଇ ପଡ଼ିଥିବା ବେଳେ ବିଧବା ପତ୍ନୀ ଏବେ ସରକାରଙ୍କ ସହାୟତାକୁ ଚାତକ ପରି ଚାହିଁ ବସିଛନ୍ତି। ଦିନକୁ ଦିନ ବଢ଼ୁଛି ଆମ ବସ ଦୁର୍ଘଟଣା। ସ୍ଥିତି ଏମିତି ହେଲାଣି ଆମ ବସ ଏବେ ଯମ ବସ ପାଲଟିଥିବା ନେଇ ଲୋକଙ୍କ ମନରେ ଧାରଣା ହୋଇଗଲାଣି। ଦୁର୍ଘଟଣାରେ ବିଷ୍ଣୁଙ୍କ ଜୀବନ ଗଲା। ଅତିଶୀଘ୍ର ସହାୟତା ରାଶି ବିଷ୍ଣୁଙ୍କ ପରିବାରକୁ ମିଳିଲେ ବଞ୍ଚିଯିବ ୩ଟି ଜୀବନ।

Latest Posts

Don't Miss