ଏବେ ବି ବଞ୍ଚିଛି ମାନବିକତା, ଟଙ୍କା ଭର୍ତ୍ତି ବ୍ୟାଗ୍‌ ଫେରାଇଲେ ରମାକାନ୍ତ

ପଟ୍ଟାମୁଣ୍ଡାଇ: ହଜି ନାହିଁ ମାନବିକତା । ଏବେ ବି ସମାଜରେ ଅନେକ ଲୋକଙ୍କ ମଧ୍ୟରେ ମାନବିକତା ବଞ୍ଚି ରହିଛି । ଏମିତି ବି ଲୋକ ଅଛନ୍ତି, ଯାହା ପାଖରେ ମାନବିକତା ହିଁ ସବୁଠୁ ଶ୍ରେଷ୍ଠ ଶକ୍ତି । ମାନବିକତା ଆଗରେ ଧନସମ୍ପତିର ଲୋଭ କିମ୍ବା ସ୍ୱାର୍ଥ ଦେଖାଯାଏ ନାହିଁ । ଏହି ଉକ୍ତିକୁ ପୁଣି ଥରେ ପ୍ରମାଣିତ କରି ଦେଖାଇଛନ୍ତି କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟର ୪ର୍ଥ ଶ୍ରେଣୀ କର୍ମଚାରୀ ରମାକାନ୍ତ କର । କେନ୍ଦ୍ରାପଡ଼ା ସୁନେଇଲୋ ଗ୍ରାମରେ ସେ ବାସ କରନ୍ତି ।

ଗତ ଶୁକ୍ରବାର ପାଟକୁରା ଥାନା ବାରତୁଙ୍ଗା ଗ୍ରାମର ସୁଧାଂଶୁ ଶେଖର ବସନ୍ତିଆ ନମକ ଜଣେ ବ୍ୟକ୍ତି ଗାଡି କିଣିବା ପାଇଁ ହୋଣ୍ଡା ସୋ’ରୁମ ଆସିଥିଲେ । ସେ ଏକ ବ୍ୟାଗ୍‌ରେ ୭୯ ହଜାର ଟଙ୍କା ଧରି ଆସିଥିଲେ । ଆଉ ଅଜାଣତଃରେ ସେହି ଟଙ୍କା ବ୍ୟାଗ୍‌ଟି ତାଙ୍କ ହାତରୁ ଖସିପଡ଼ିଥିଲା । ତେବେ କିଛି ସମୟ ପରେ ସେ ଟଙ୍କା ନଥିବା ଜାଣିବାକୁ ପାଇଥିଲେ । ପରେ ଏଣେତେଣେ ସେ ତାଙ୍କ ଟଙ୍କା ବ୍ୟାଗ୍‌ ଖୋଜିଥିଲେ । ହେଲେ ନିରାଶ ହୋଇଥିଲେ । ଶେଷରେ କେନ୍ଦ୍ରାପଡା ସଦର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ ।

ସେହି ଟଙ୍କା ବ୍ୟାଗ୍‌ଟି ପାଇଥିଲେ ରମାକାନ୍ତ । ହୋଣ୍ଡା ସୋ ରୁମ ପାଖରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ସହ ଏଟିଏମ୍‌ ଓ କିଛି କାଗଜପତ୍ର ପାଇଥଲେ ରମାକାନ୍ତ । ଘରକୁ ଯାଇ ବ୍ୟାଗ୍‌ ଦେଖିଥିଲେ । ସେଥିରେ ଥିବା କାଗଜପତ୍ରରୁ ସୁଧାଂଶୁଙ୍କ ଫୋନ ନମ୍ବର ପାଇଥିଲେ । ଉକ୍ତ ଫୋନ୍‌ ନମ୍ବରରେ ଯୋଗାଯୋଗ କରିବାରୁ, ସୁଧାଂଶୁ ସଦର ଥାନାରେ ଥିବା ଜାଣିବାକୁ ପାଇଥିଲେ ସେ । ଏହା ଜାଣିବା ପରେ ତୁରନ୍ତ ଥାନାକୁ ଆସି ସବୁ ଟଙ୍କା ସହ ସମସ୍ତ ଜରୁରୀ କାଗଜପତ୍ର ଥାନାବାବୁଙ୍କୁ ହସ୍ତାନ୍ତର କରିଥିଲେ । ଏହାପରେ ସୁଧାଂଶୁ ମଧ୍ୟ ନିଜର ସବୁ ଟଙ୍କା ଫେରିପାଇଥିଲେ । ରମାକାନ୍ତଙ୍କ ଏଭଳି ମହାନ ମାନବିକାତା ପୂର୍ଣ୍ଣ କାର୍ଯ୍ୟକୁ ନେଇ କେନ୍ଦ୍ରାପଡା ସାରା ଚର୍ଚ୍ଚାର ବିଷୟ ପାଲିଟିଛି ।

Leave a Reply