ରସଗୋଲା ଆମର କହି ସାରେଗାମାପା ଷ୍ଟେଜରେ ଓଡ଼ିଶାର ଦାବିକୁ ମଜବୁତ କରିଥିବା ସ୍ଥିତିପଦ୍ମାଙ୍କଠାରୁ ଶୁଣନ୍ତୁ ସେଠାରେ କ’ଣ ହୋଇଥିଲା

ଭୁବନେଶ୍ୱର: ଜୟ ଜଗନ୍ନାଥ, ରସଗୋଲା ଆମର। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜାତୀୟ ମଞ୍ଚରେ ଯେତେବେଳେ ଏହି ଦୁଇପଦ ଶୁଣିବାକୁ ମିଳିଲା, ସେତେବେଳେ ପ୍ରତିଟି ଓଡ଼ିଆଙ୍କ ଛାତି ଫୁଲି ଉଠିଥିଲା। ସମସ୍ତେ ଗର୍ବ କରିଥିଲେ ଓଡ଼ିଶାର ଗରିମାକୁ ନେଇ, ଗର୍ବ କରିଥିଲେ ନିଜ ପରମ୍ପରାକୁ ନେଇ। ସାରେଗାମାପାରେ ଏହି ଦୁଇପଦ କହି ସବୁ ଓଡ଼ିଆଙ୍କ ହୃଦୟ ଜିଣିଥିବା ଝିଅଟି ହେଉଛନ୍ତି ଆମ ଓଡ଼ିଶାର। କଟକର ଝିଅ ସ୍ଥିତିପଦ୍ମା ଦାସ।
ଏହି ଭିଡିଓ ଭାଇରାଲ ହେବା ପରେ ନନ୍ଦିଘୋଷ ଟିଭି ଷ୍ଟୁଡିଓକୁ ଆସିଥିଲେ ସ୍ଥିତିପଦ୍ମା। ସେ ତାଙ୍କର ସାରେଗାମାପାରେ ହୋଇଥିବା ସମସ୍ତ ଅନୁଭୂତିକୁ ବାଣ୍ଟିଥିଲେ ସମସ୍ତଙ୍କ ଆଗରେ। ସେ କହିଥିଲେ ସାରେଗାମାପାର ମଞ୍ଚ ଉପରକୁ ଯିବା ସମୟରେ ବହୁତ ନରଭସ ଥିଲି। କେମିତି ଓଡ଼ିଶାର ଟେକ ରଖିବି ସେହି କଥା ଭାବୁଥିଲି। ମଞ୍ଚ ଉପରକୁ ଯିବା କ୍ଷଣି ଯେତେବେଳେ ମେଣ୍ଟର ମାନେ ଜାଣିଲେ ମୁଁ ଓଡ଼ିଶାରୁ ଆସିଛି ବୋଲି ହଠାତ ହିମେସ ରେସମିୟା ସାର ସିଧା ପଚାରିଥିଲେ ରସଗୁଲା କାହାର ? ରସଗୁଲା ଓଡ଼ିଶାର ନା ବେଙ୍ଗଲର। ଏଭଳି ପ୍ରଶ୍ନ ଶୁଣିବା ପରେ ମୁଁ ଆଗ ଭାବିଥିଲି କ’ଣ କହିବି। କିଛି ସମୟ ଭାବିଲା ପରେ ମୁଁ କହିଥିଲି ଜୟ ଜଗନ୍ନାଥ ରସଗୋଲା ଆମର। ରସଗୁଲା ବେଙ୍ଗଲର ହୋଇଥାଇପାରେ ହେଲେ ରସଗୋଲା ହେଉଛି ଆମର ବୋଲି କହିଥିଲେ ସ୍ଥିତିପଦ୍ମା।
ମୁଁ କିଛି ସମୟ ଏଥିପାଇଁ ରହିଥିଲି କାରଣ ମୁଁ କେବେ ବି ଭାବି ନଥିଲି ମୋତେ ଏଭଳି ପ୍ରଶ୍ନ ପଚରାଯିବ ବୋଲି। ତାପରେ ମୋ ମୁହଁରୁ ଏମିତି ଉତ୍ତର ଶୁଣିବା ପରେ ପୁରା ମଞ୍ଚ ତାଳିମାଡ଼ରେ କମ୍ପି ଉଠିଥିଲା ବୋଲି ସ୍ଥିତିପଦ୍ମା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତିଯେ ତାଙ୍କୁ ତାଙ୍କ ସାଙ୍ଗମାନେ କହିଥିଲେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି ବୋଲି। ତେବେ ଭଡିଓ ଦେଖିବା ପରେ ନିଜକୁ ବହୁତ ଖୁସି ଅନୁଭବ କରୁଛନ୍ତି ବୋଲି ସ୍ଥିତିପଦ୍ମା କହିଛନ୍ତି। ସ୍ଥିତିପଦ୍ମା କହିଛନ୍ତି ମୁଁ ଯାହା କହିଛି ତାହା ଓଡ଼ିଶାର ପ୍ରତିଟି ଲୋକଙ୍କର ଶବ୍ଦ। ଓଡ଼ିଶାର ଯାହାକୁବି ପଚାରିବେ ସେ ସେହି ସମାନ କଥାହିଁ କହିବେ। ମୋତେ ଖାଲି ଗୋଟେ ସୁଯୋଗ ମିଳିଲା ଜାତୀୟ ମଞ୍ଚରେ କହିବା ପାଇଁ। ମୁଁ ମଧ୍ୟ ଚାହୁଁଥିଲି ଜାତୀୟ ମଞ୍ଚରେ ଏମିତି କିଛି ଓଡ଼ିଆ କହିବା ପାଇଁ ବୋଲି ସେ କହିଛନ୍ତି। ରସଗୋଲା ଖାଲି ଆମର କହିଲେ ଚଳିବନି। ସରଗୋଲା ହେଉଛି ଜଗାର ଆଉ କାଳିଆ ଠାକୁର ଜଗା ହେଉଛି ଆମର। ସେଥିପାଇଁ ଜୟ ଜଗନ୍ନାଥ ରସଗୋଲା ଆମର।
ମିଠାଯୁଦ୍ଧରେ ଓଡ଼ିଶା ଜିତିଥିଲେ ବି ରସଗୋଲା ବେଙ୍ଗଲର ନା ଓଡ଼ିଶାର, ଅନେକ ଏଥିରେ ସନ୍ଦେହରେ ରୁହନ୍ତି । ରସଗୋଲାକୁ ଜିଆଇ ଟ୍ୟାଗ ମିଳିଛି ସତ, ହେଲେ ଏବେବି ରସଗୋଲା କାହାର ବୋଲି ଅନେକ ପଚାରନ୍ତି । କିନ୍ତୁ ସଙ୍ଗୀତ ମଞ୍ଚରେ ରସଗୋଲାକୁ ନେଇ ଜଜ୍ ପଚାରିଥିବା ପ୍ରଶ୍ନର ଉତ୍ତମ ଜବାବ ଦେଇଥିଲେ କଟକର ଝିଅ ସ୍ଥିତିପଦ୍ମା । ଅନେକ ପ୍ରତିଯୋଗୀ ରସଗୋଲା କୋଲକାତା ଓ ପଶ୍ଚିମବଙ୍ଗର ବୋଲି କହିଥିଲେ । ସ୍ଥିତିପଦ୍ମା କିନ୍ତୁ କହିଥିଲେ ଜୟ ଜଗନ୍ନାଥ, ରସଗୋଲା ଆମର । ରସଗୋଲା ପ୍ରତିଟି ଓଡ଼ିଆଙ୍କର ପ୍ରିୟ । ପ୍ରତିଟି ଓଡ଼ିଆଙ୍କ ପରିଚୟ । ରସଗୋଲା କେବଳ ଓଡ଼ିଆଙ୍କ ହାଣ୍ଡିଶାଳ, ଦୋକାନ ବଜାର ଓ ପର୍ବପର୍ବାଣୀରେ ସୀମିତ ନୁହେଁ, ଏହା ଓଡ଼ିଶାର ଧର୍ମ, ସଂସ୍କୃତି , ପରମ୍ପରା ଓ ଇତିହାସର ଏକ ଅଭିନ୍ନ ଅଙ୍ଗ । ରସଗୋଲା ସ୍ଵାଦରେ ସମସ୍ତେ ବିଭୋର । ନୀଳାଦ୍ରି ବିଜେ ସମୟରେ ପ୍ରଭୁ ଜଗନ୍ନାଥ, ପ୍ରାଣପ୍ରିୟା ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବାର ପରମ୍ପରା ରହିଛି । ଏଥିପାଇଁ ରାଜ୍ୟରେ ପ୍ରତିବର୍ଷ ନୀଳାଦ୍ରି ବିଜେ ତିଥିରେ ରସଗୋଲା ଦିବସ ପାଳନ କରାଯାଏ ।