ଏସଟିଏଫର ‘ଅପରେସନ ପାଉ’

ଭୁବନେଶ୍ବର: ବ୍ରାଉନସୁଗର ବେପାରୀଙ୍କୁ ସାବାଡ଼ କରିବା ପାଇଁ ଆକ୍ସନ ମୋଡ଼ରେ ଏସଟିଏଫ । ଟାଙ୍ଗୀ ନିକଟରୁ ଏକ କେଜିରୁ ଅଧିକ ପାଉଡର ଜବତ କରିବା ସହ ଜଣଙ୍କୁ ବାନ୍ଧିଲା । ଅନ୍ୟପଟେ ଏହି ‘ଅପରେସନ ପାଉ’ ର ଚେର ଖୋଜିବା ପାଇଁ ଅନ୍ୟ ୩ଟି ସ୍ଥାନରେ ମଧ୍ୟ ଚାଲିଛି ଚଢ଼ାଉ ।

ଧଳା ଜହରର କଳା ଧନ୍ଦାରେ ଲଗାମ ଲଗାଇବାକୁ ଏସଟିଏଫର ‘ଅପରେସନ ପାଉ’ । ଗରାଖ ବେଶରେ ଚଢାଉ । ଆର୍ଯ୍ୟନ ଖାନଙ୍କ ଓଡିଶା ଲିଙ୍କ ପରେ ତତ୍ପର ପୋଲିସ ।

ସାଫିକୁଲ ଏସ୍. କେ ଓରଫ ଖୋକନ । ଘର, ପଶ୍ଚିମବଙ୍ଗର ମୁର୍ଷିଦାବାଦ । ଧନ୍ଦା ପାଉଡର ସପ୍ଲାଏ ।  ୧୬ ନମ୍ବର ଜାତୀୟ ରାଜପଥ ନିକଟ ଟାଙ୍ଗୀ ଛକଠାରେ ବ୍ରାଉନସୁଗର ନେଇ ଯାଉଥିବା ବେଳେ ମାଡି ବସିଲା ଏସଟିଏଫ । ତା ଠାରୁ ୧ କେଜି ୪୩ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି । ଅନ୍ୟ ସହଯୋଗୀଙ୍କୁ ଧରିବା ପାଇଁ ୩ଟି ସ୍ଥାନରେ ଚଢ଼ାଉ ମଧ୍ୟ ହୋଇଛି । ନିଶା ବେପାରୀଙ୍କ ବିରୋଧରେ ଜିରୋ ଟଲେରାନ୍ସ ଅନୁଯାୟୀ ୨୦୨୦ ମସିହାଠାରୁ ଆଜି ଯାଏଁ  ୪୧ କେଜି ବ୍ରାଉନସୁଗର ଓ ୮୬ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି । ଆଗକୁ ଏହି ଅପରେସନ ଆହୁରି ବ୍ୟାପକ କରାଯିବ ବୋଲି କହିଛନ୍ତି ଏସଟିଏଫ ଏସପି ତେଜରାଜ ପାଟିଲ ।

କମିଶନରେଟ ପୋଲିସ ମଧ୍ୟ ଏବର୍ଷ ୯୭ ଜଣ ନିଶା ବେପାରୀଙ୍କୁ କାବୁ କରିଛି । ଏହାସହ ହ୍ଵାଇଟ ସ୍ପାଇଡ଼ର ଅପରେସନକୁ ବ୍ୟାପକ କରାଯାଇଛି । ଓଡିଶା ପଶ୍ଚିମବଙ୍ଗ ସୀମାରେ ଅନେକ ଗଳାବାଟ ଥିବାରୁ ସଂଖ୍ୟାଲଘୁ ଯୁବକଙ୍କ ଜରିଆରେ ଡ୍ରଗ୍ସ ଡିଲ ହେଉଛି । କିନ୍ତୁ ଅଭୟ ଡିଜିପି ଭାବେ କାର୍ଯ୍ୟରେ ଯୋଗ ଦେବା ପରେ ଏହି କାରବାର ବହୁ କମିଥିବା କହିଛନ୍ତି ବିଶେଷଜ୍ଞ ।

Leave a Reply