୯ ଲକ୍ଷ ଟଙ୍କାରେ ଜୀବନ୍ତ ବଜ୍ରକାପ୍ତା ଡିଲ୍: ବେପାରୀ ସାଜି ମାଡ଼ି ବସିଲା ଏସ୍‌ଟିଏଫ୍

1 min read

ଭୁବନେଶ୍ୱର: ପୁଣି ଏସଟିଏଫ କବଜାରେ ଜଙ୍ଗଲ ଶିକାରୀ । କୋରାପୁଟ ବୋରିଗୁମ୍ମା ରାସ୍ତା କଡ଼ରେ ଜୀବନ୍ତ ବଜ୍ରକାପ୍ତାକୁ ନେଇ ଡିଲ୍‌ ବେଳେ ମାଡ଼ି ବସିଲା ଏସଟିଏଫ । ଜୀବନ୍ତ ବଜ୍ରକାପ୍ତା ଧରିବା ଏବଂ ବିକ୍ରି କରିବା ଅଭିଯୋଗରେ ୨ ଜଣ ଅପରାଧୀଙ୍କୁ ଗିରଫ କରିବା ସହିତ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ ।

ଅପରେସନ ଜଙ୍ଗଲ ତସ୍କରୀ । ଏସଟିଏଫ କବଜାରେ ୨ ଶିକାରୀ । ୯ ଲକ୍ଷରେ ହୋଇଥିଲା ଜୀବନ୍ତ ବଜ୍ରକାପ୍ତା ଡିଲ୍‌ । ଛଦ୍ମ ବେଶରେ ବେପାରୀ ସାଜି ମାଡି ବସିଲା ଏସଟିଏଫ । ଟଙ୍କା ଲୋଭରେ ନିରୀହ ପଶୁଙ୍କ ଜୀବନ ନେଉଛନ୍ତି ବନ୍ୟ ଜନ୍ତୁ ମାଫିଆ । କେତେବେଳେ ଶିକାର କରି ବାଘ ଛାଲ କରୁଛନ୍ତି ଚୋରା ଚାଲାଣ ତ ଆଉ କେତବେଳେ ଜୀବନ୍ତ ବଜ୍ରକାପ୍ତାକୁ ବିକୁଛନ୍ତି ଲକ୍ଷ ଲକ୍ଷ ଟଙ୍କାରେ । ଓଡିଶାରୁ ଚାଇନା ପର୍ଯ୍ୟନ୍ତ ଲମ୍ବିଛି ଚେର । କୋରାପୁଟ-ବୋରିଗୁମା ରାସ୍ତାରେ ବେପାରୀଙ୍କୁ ଦେବାକୁ ଜଗି ଥିବା ବେଳେ କୋରାପୁଟ ବନ ଅଧିକାରୀଙ୍କ ସହାୟତାରେ ମାଡି ବସିଥିଲା ଏସଟିଏଫ । ଗିରଫ ଅପରାଧୀ ହେଲେ ମାଧବ ପରଜା ଓ ଜଗବନ୍ଧୁ ପରଜା । କେବେ ଠାରୁ କାରବାର କରୁଥିଲେ ? କେତୋଟି ଶିକାର କରିଛନ୍ତି ? କେଉଁ ବେପାରୀକୁ ଦେଉଥିଲେ ? ସେନେଇ ଛାନଭିନ କରୁଛି ଏସଟିଏଫ ।

୨୦୨୦ରୁ ବନ୍ୟଜନ୍ତୁ ଅପରାଧୀଙ୍କ ବିରୋଧରେ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ କରାଯାଇଛି । ଏବ ସୁଦ୍ଧା ୨୫ ଟି ବାଘ ଛାଲ, ୧୩ ଟି ହାତୀ ଦାନ୍ତ, ୭ଟି ହରିଣ ଛାଲ, ୧୧ଟି ଜୀବନ୍ତ ବଜ୍ରକାପ୍ତା ଏବଂ ୧୬ କିଲୋଗ୍ରାମରୁ ଅଧିକ ବଜ୍ରକାପ୍ତା କାତି ଜବତ କରାଯାଇଛି । ମୋଟ୍ ୫୭ ଟି ବନ୍ୟଜନ୍ତୁ ଅପରାଧୀଙ୍କୁ ଗିରଫ କରିଛି ଏସଟିଏଫ । ବଜ୍ରକାପ୍ତା ଚୋରା ଚାଲାଣ ପଛରେ ଆନ୍ତଃରାଜ୍ୟ ଓ ଅନ୍ତର୍ଜାତୀୟ ସ୍ତରରେ ରାକେଟ କାମ କରୁଛି । ହେଲେ ମାଷ୍ଟର ମାଇଣ୍ଡ ପାଖରେ ପହଞ୍ଚିପାରୁନି ଏସଟିଏଫ । ସେପଟେ ବନ ବିଭାଗର କାର୍ଯ୍ୟକାରିତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।

ଏଥିସହିତ ପଢ଼ନ୍ତୁ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ସମିତ୍ୟ ସଭ୍ୟ ନେଇ ପ୍ରାର୍ଥୀ ହୋଇଛନ୍ତି ଗୋଟିଏ ପରିବାରର ୭ ସଦସ୍ୟ

Leave a Reply