ଦୁର୍ଦ୍ଦାନ୍ତ ଅପରାଧୀ ମୁନୁକୁ ଗିରଫ କଲା STF, ୨୦୧୪ରୁ ଥିଲା ଫେରାର୍

ଭୁବନେଶ୍ୱର: ଏସଟିଏଫ୍ ହାତରେ କୁଖ୍ୟାତ ଅପରାଧୀ କିଶୋର କୁମାର ମହାରଣା ଓରଫ୍ ମୁନୁ ଧରା ପଡ଼ିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଆଜି ରେଡ୍ କରିଥିଲା । କଟକ ସଦର ଅଞ୍ଚଳରେ ରେଡ୍ ବେଳେ କିଶୋ ଓରଫ୍ ମୁନୁ ଧରା ପଡ଼ିଛି । ତା’ ଠାରୁ ଏସଟିଏଫ୍ ଗୋଟିଏ ୯ ଏମ୍ଏମର ପିସ୍ତଲ୍ ସହ ୫ ରାଉଣ୍ଡ ଗୁଳି ଏବଂ ଅନ୍ୟ ଅପରାଧିକ ସାମଗ୍ରୀ ଜବତ ହୋଇଛି । ୨୦୧୪ରେ ଅନ୍ୟ ସାଥୀଙ୍କ ସହ ଚଣ୍ଡିଖୋଲ ବଜାରରେ ଜଣଙ୍କୁ ହତ୍ୟା ପରେ ମୁନୁ ଫେରାର୍ ଥିଲା ।
୨୦୧୪ରେ ଚଣ୍ଡିଖୋଲ ବଜାରରେ ମୁନୁ ଅନ୍ୟ ସହଯୋଗୀଙ୍କ ସହ ମିଶି ଦୀପକ ନାଏକକୁ ହତ୍ୟା କରିଥିଲା । ଘଟଣାରେ ୩ ଜଣଙ୍କ ସମ୍ପୃକ୍ତି ରହିଥିବା ବେଳେ ଯାଜପୁରର ଶେଷଦେବ ସ୍ୱାଇଁ ଓରଫ୍ ବୁବାକୁ ଗିରଫ କରାଯାଇଥିଲା । ଏହି ହତ୍ୟାକାଣ୍ଡ ଛଡ଼ା ମୁନୁ ନାଁରେ କେନ୍ଦ୍ରାପଡ଼ା ଥାନାରେ ମଧ୍ୟ ମାମଲା ରହିଛି । ୨୦୨୦ରୁ ଏସଟିଏଫ୍ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିଛି । ଏବେ ଯାଏ ଏସଟିଏଫ୍ ୬୮ଟି ବନ୍ଧୁକ ସହ ୧୪୬ ରାଉଣ୍ଡ ଗୁଳି ଜବତ କରିଛି ।