ପ୍ରୟାଗରାଜରେ ମହାକୁମ୍ଭ ପରିଦର୍ଶନ କରିବେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ: ଲୌରେନ ପାଓ୍ବେଲ ଜବ୍ସଙ୍କୁ ମିଳିଲା ନୂଆ ନାଁ ‘କମଲା’

1 min read

ପ୍ରୟାଗରାଜ: ଜାନୁଆରୀ ୧୩ ତାରିଖରୁ ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ମହାକୁମ୍ଭ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ସେଠାରେ ବିଭିନ୍ନ ସ୍ଥାନରେ ସନାତନ ପରମ୍ପରାର ଝଲକ, ସମର୍ପଣ ଓ ଶ୍ରଦ୍ଧା ଦେଖିବାକୁ ମିଳିଛି । ଦେଶ-ବିଦେଶରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଆଗମନ ଦେଖିବାକୁ ମିଳିଛି । ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଅନେକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହା ମଧ୍ୟରେ ଆପଲର ସହ-ପ୍ରତିଷ୍ଠାତା ଷ୍ଟିଭ ଜବ୍ସଙ୍କ ପତ୍ନୀ ଲୌରେନ ପାଓ୍ବେଲ ଜବ୍ସ ମଧ୍ୟ ଭାରତରେ ପହଞ୍ଚି ସାରିଛନ୍ତି । ସେ ପ୍ରୟାଗରାଜରେ ମହାକୁମ୍ଭ ପରିଦର୍ଶନ କରିବେ । ତେବେ ଏହା ମଧ୍ୟରେ ଲୌରେନଙ୍କୁ ଏକ ନୂଆ ନାଁ ମିଳିଛି । ଲୌରେନଙ୍କୁ ଏକ ହିନ୍ଦୁ ନାଁ ’କମଲା’ ଦିଆଯାଇଛି । ନିରଞ୍ଜନୀ ଅଖାରେର କୈଲାଶାନନ୍ଦ ଗିରି ମହାରାଜ ଏ ବାବଦରେ ସୂଚନା ଦେଇଛନ୍ତି ।

ମହାକୁମ୍ଭ ଯିବା ପୂର୍ବରୁ ଷ୍ଟିଭ ଜବ୍ସଙ୍କ ପତ୍ନୀ ଲୌରେନ କାଶୀ ବିଶ୍ବନାଥଙ୍କ ଦର୍ଶନ କରିଛନ୍ତି । ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏକ ବାବା କାଶୀ ବିଶ୍ବନାଥଙ୍କ ଆଶିର୍ବାଦ ନେବା ପାଇଁ ବାରାଣସୀରେ ଲୌରେନ ଗୋଲାପୀ ଶୁଟ ଓ ପାରମ୍ପରିକ ଦୁପଟ୍ଟା ପରିଧାନ କରିଥିଲେ । ତାଙ୍କର ସୁରକ୍ଷା ପାଇଁ ପୋଲିସ କର୍ମୀଙ୍କ ନିୟୋଜିତ କରାଯାଇଥିଲା । ନିଜର ବ୍ୟକ୍ତିଗତ କାର୍ଯ୍ୟକ୍ରମ ପାଇଁ ଲୌରେନ ଏଠାକୁ ଆସୁଛନ୍ତି । ଲୌରେନ ମହାକୁମ୍ଭରେ ଧ୍ୟାନ କରିବା ସହ ସନାତନ ଧର୍ମକୁ ବୁଝିବାକୁ ପ୍ରୟାସ କରିବେ । ତାଙ୍କର ଗୁରୁଙ୍କ ସହ ସାକ୍ଷାତ କରିବାକୁ ସେ ଏଠାକୁ ଆସୁଛନ୍ତି ବୋଲି କୁହାଯାଇଛି । ସେ ଦ୍ବିତୀୟ ଥର ପାଇଁ ଭାରତ ଆସୁଛନ୍ତି ।  ଖୁବଶୀଘ୍ର ଲୌରେନଙ୍କ ନୂଆ ନାମ କମଲା ହୋଇଯିବ ଓ ସେ ଆଗାମୀ ୧୭ ଦିନ ପର୍ଯ୍ୟନ୍ତ ପ୍ରୟାଗରାଜରେ ନିରଞ୍ଜନୀ ଅଖାରେର ମହମଣ୍ଡଳେଶ୍ବର କୈଲାଶାନନ୍ଦ ଗିରିଙ୍କ କଥା ଶୁଣିବେ । ଏଥିସହିତ ସେ ୧୦ ଦିନ ପର୍ଯ୍ୟନ୍ତ କଳ୍ପବାସର ନିୟମର ପାଳନ କରିବେ ।