ସାବତ ବାପାକୁ ସାଙ୍ଗଙ୍କ ସହ ମିଶି ହତ୍ୟାକଲା ପୁଅ !

କେନ୍ଦୁଝର : ସାବତ ବାପାକୁ ସାଙ୍ଗଙ୍କ ସହ ମିଶି ହତ୍ୟାକଲା ନାବାଳକ ପୁଅ । ଏହି ଅଭାବନୀୟ ଘଟଣା ଘଟିଛି ଯୋଡ଼ା ପୌରାଞ୍ଚଳ ୧୦ ନଂ ୱାର୍ଡ଼ ହନୁମାନ ହଟିଂରେ ଅଞ୍ଚଳରେ । ମୃତକ ୪୫ ବର୍ଷିୟ ମନୋଜ କାଳନ୍ଦୀ ଓରଫ୍ ମନୋଜ ବେହେରା । ମନୋଜଙ୍କ ପ୍ରଥମ ସ୍ତ୍ରୀ ଗାଁ ରେ ରହୁଥିବାବେଳେ, ସେ ଜଣେ ବିଧବାଙ୍କୁ ୫ ବର୍ଷ ହେବ ସ୍ତ୍ରୀ କରି ଘରେ ରଖିଥିଲେ । ତାଙ୍କର ଏହି ଦ୍ୱିତୀୟ ପତ୍ନୀଙ୍କର ଜଣେ ୧୫ ବର୍ଷିୟ ନାବାଳକ ପୁଅ ମଧ୍ୟ ରହୁଥିଲେ । ତେବେ କିଛିନା କିଛି କାରଣକୁ ନେଇ ସାବତ ବାପା ସହ ପୁଅର ପଡୁନଥିଲା । ଅନେକ ସମୟରେ ଝଗଡ଼ା ଲାଗି ରହୁଥିଲା।
ଆଜି ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ମନୋଜ ସ୍କୁଟି ନେଇ ବାହାରକୁ ଜଳଖିଆ ପାଇଁ ଯାଉଥିବାବେଳେ, ତାଙ୍କ ଉପରକୁ ଅତର୍କିତ ଭାବରେ ଆକ୍ରମଣ ହୋଇଥିଲା । ନାବାଳକ ସାବତ ପୁଅ ସହ ତା’ର ୨ ସାଙ୍ଗ ମିଶି ସଂଘବଦ୍ଧ ଭାବରେ ପାଇପ୍ ଓ ଭୁଜାଲୀରେ ଆକ୍ରମଣ କରି ସେଠାରୁ ଫେରାର ହୋଇଯାଇଥିଲେ । ପରିବାର ଲୋକେ ମୂମୂର୍ଷ ଅବସ୍ଥାରେ ଉଦ୍ଧାର କରି ଏକ ଅଟୋ ଯୋଗେ ନିକଟସ୍ଥ ଟାଟା ହସପିଟାଲକୁ ନେଇଥିଲେ, ମାତ୍ର ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଖବର ପାଇବା ପରେ ଯୋଡ଼ା ପୋଲିସ ଘଟଣା ସ୍ଥଳକୁ ଯାଇ ଛାନଭିନ୍ ଆରମ୍ଭ କରିଛି । ମୃତଦେହକୁ ଜବତ୍ କରିବା ସହ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି ।