ସାବତ ବାପାର ସଇତାନୀ କାଣ୍ଡ; କାଶ ଔଷଧ ନାଁରେ ତିନି ବର୍ଷର ଶିଶୁ ପୁତ୍ରକୁ ଦେଇଦେଲା ବିଷ

ନବରଙ୍ଗପୁର: ସାବତ ବାପାର ସଇତାନୀ କାଣ୍ଡ । କାଶ ଔଷଧ ନାଁରେ ତିନି ବର୍ଷର ଶିଶୁ ପୁତ୍ରକୁ ଦେଇଦେଲା ବିଷ । ମେଡିକାଲରେ ଶିଶୁକୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଫେରାର ଉଦ୍ୟମ ବେଳେ ଅଭିଯୁକ୍ତକୁ ଗିରଫ କରି ଜେଲ ପଠାଇଲା ପୋଲିସ । ନବରଙ୍ଗପୁର ଜିଲ୍ଲା ଗଞ୍ଜପାରା ପଂଚାୟତ ଆମାବେଡା ଗାଁରୁ ଆସିଛି ଏହି ଅଭିଯୋଗ । ତିନି ମାସ ପୂର୍ବେ ଅମାବେଡା ଗାଁର ବିଶ୍ବନାଥ ଗଣ୍ଡଙ୍କୁ ପ୍ରେମ ବିବାହ କରିଥିଲେ କସକଙ୍ଗା ପଂଚାୟତ ଜଡ଼ାପାରାର ଗାୟତ୍ରୀ ଗଣ୍ଡ । କିନ୍ତୁ ପୂର୍ବରୁ ସେ ଅନ୍ୟ ଜଣେ ଯୁବକଙ୍କ ସନ୍ତାନର ମା’ ବନିସାରିଥିଲେ ।

ପୁଅକୁ ମଧ୍ୟ ତିନି ବର୍ଷ ହୋଇସାରିଥିଲା । ଏବେ କିନ୍ତୁ ପୂର୍ବ ସ୍ବାମୀଠାରୁ ଅଲଗା ହୋଇ ବିଶ୍ବନାଥଙ୍କୁ ଦ୍ବିତୀୟ ବିବାହ କରିଥିଲେ ଗାୟତ୍ରୀ । ପୂଅ ସହ ଶ୍ବଶୂର ଘର ଆସିଥିଲେ ଗାୟତ୍ରୀ । ଅନ୍ୟ ଜଣଙ୍କ ଠାରୁ ଜନ୍ମିତ ପୁଅକୁ ଗ୍ରହଣ କରିବାକୁ ରାଜି ନଥିଲା ବିଶ୍ବନାଥ । ଏନେଇ ଶିଶୁଟିକୁ ରାସ୍ତାରୁ ହଟାଇବାକୁ ଷଡଯନ୍ତ୍ର କରୁଥିଲା ବିଶ୍ବାନାଥ । ଆଜି ଶିଶୁଟିକୁ କାସ ହେବାରୁ ଗ୍ରାୟତ୍ରୀ ବିଶ୍ବାନାଥକୁ ଔଷଧ ଆଣିବାକୁ କହିଥିଲେ । ଏହାର ସୁଯୋଗ ନେଇ ବିଶ୍ବନାଥ ଔଷଧ ବଦଳରେ ବଜାରରୁ ବିଷ ଆଣି ଗାୟତ୍ରୀକୁ ଦେଇଥିବା ଅଭିଯୋଗ ହୋଇଛି ।

ଶିଶୁଟିକୁ ଗାୟତ୍ରୀ ଔଷଧ ଖୁଆଇବାର ମାତ୍ର କିଛି ସମୟ ପରେ ବାନ୍ତି ହୋଇଥିଲା । ହସ୍ପିଟାଲ ନେବାବେଳେ ଶିଶୁଟିର ମୃତ୍ୟୁ ଘଟିଥିଲା । ସ୍ବାମୀ ଶିଶୁଟିକୁ ଔଷଧ ବଦଳରେ ବିଷ ଦେଇଥିବା ଅଭିଯୋଗ ଆଣିଛନ୍ତି ସ୍ତ୍ରୀ । ସେପଟେ ଅଭିଯୁକ୍ତ ଆଗରୁ ଗ୍ରାମାଞ୍ଚଳରେ କ୍ବାକ କାମ କରୁଥିବା ବେଳେ ଏହାର ଫାଇଦା ଉଠାଇଥିବା କୁହାଯାଇଛି । ଘଟଣାର ତଦନ୍ତ ଆରମ୍ଭ କରି ଛତିଶଗଡ ସୀମାରୁ ବିଶ୍ଵନାଥକୁ ଗିରଫ କରିଛି ପୋଲିସ । ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି କୁହାଯାଇଛି ।