ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ

କଟକ: ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ । ସିଏମସିର ବିକାଶ ଭବନ ପରିସରରେ ଏକ ପରିତ୍ୟକ୍ତ ସ୍ଥାନରେ ପାଲ ଘୋଡାଇ ପ୍ଲାଷ୍ଟିକ ରସିରେ ଟେଲିଫୋନ ଖୁଣ୍ଟରେ ବାନ୍ଧି ରଖାଯାଇଛି ପ୍ରତିମୂର୍ତ୍ତି । ନେତାଜୀ ବସ ଟର୍ମିନାଲ ସମ୍ମୁଖରୁ ରାସ୍ତା ସଂପ୍ରସାରଣ ପାଇଁ ଏକ ବର୍ଷ ତଳେ ହଟାଯାଇ ଥିଲା । ସେବେଠାରୁ ଏଠାରେ ବାନ୍ଧି ରଖାଯାଇଛି । ଯାହାକୁ ବୁଦ୍ଧିଜୀବୀ ଓ ସମାଜ ସେବୀ ନନ୍ଦା କରିବା ସହ ତୁରନ୍ତ ସମ୍ମାନର ସହ ଏହାକୁ ସ୍ଥାନିତ କରିବାକୁ ଦାବି ହୋଇଛି ।

ଭଜନ ସମ୍ରାଟ ଭିକାରୀ ବଳଙ୍କୁ କିଏ ବା ନ ଜାଣେ । ତାଙ୍କ କଣ୍ଠରେ ମହାପ୍ରଭୁ ଜଗନ୍ନାଥଙ୍କ ଭଜନ ସାରା ବିଶ୍ବରେ ଲୋକପ୍ରିୟ । ପରିତାପର ବିଷୟ, ତାଙ୍କ ମୃତ୍ଯୁ ପରେ ସମ୍ମାନ ଦେବାକୁ ଭୁଲି ଯାଇଛନ୍ତି କର୍ତ୍ତୃପକ୍ଷ । ପୂର୍ବ ସରକାର ଏକ ବିରାଟ ସୁନ୍ଦର ପ୍ରତିମୂର୍ତ୍ତି କଟକ ନେତାଜୀ ବସ ଟର୍ମିନାଲ ସମ୍ମୁଖ କାଠଯୋଡି ନଦୀକୂଳ ପାର୍କରେ ସ୍ଥାପନ କରିଥିଲେ । ଏବେ କିନ୍ତୁ ଏହା ପ୍ଲାଷ୍ଟିକ ପଲିଥିନରେ ଘୋଡାଇ ରସିରେ ଟେଲିଫୋନ ଖୁଣ୍ଟିରେ ବାନ୍ଧି ପରିତ୍ୟକ୍ତ ସ୍ଥାନରେ ରଖାଯାଇଛି । ରାସ୍ତା ସଂପ୍ରସାରଣ ପାଇଁ ଏହାକୁ ସ୍ଥାନାନ୍ତର କରାଯାଇ ଥିଲେ ସୁଦ୍ଧା ଏହାକୁ ବିକାଶ ଭବନ ପରିସରରେ ଥିବା ପୁରୁଣା ଷ୍ଟକ ୟାର୍ଡରେ ରଖା ଯାଇଥିବାରୁ ନନ୍ଦା କରିଛନ୍ତି ସମାଜସେବୀ ।

ବିକାଶ ପାଇଁ କୌଣସି ଭିତ୍ତିଭୂମୀର ସ୍ଥାନାନ୍ତର ଏକ ସ୍ବଭାବିକ ପ୍ରକ୍ରିୟା । ତେବେ ପ୍ରତିଭା ପୂଜା ବଦଳରେ ଏପରି ଅବହେଳାକୁ ସମସ୍ତେ ନାପସନ୍ଦ କରିଛନ୍ତି । ବର୍ଷକ ଭିତରେ ମୂର୍ତ୍ତି ପ୍ରତିଷ୍ଠା ପାଇଁ ୪ ଫୁଟର ଜାଗାଟିଏ ପ୍ରଶାସନ ସ୍ଥିର କରି ପାରୁ ନଥିବା କହିଛନ୍ତି ଲୋକେ । ତୁରନ୍ତ ମୂର୍ତ୍ତିଟିକୁ ସମ୍ମାନର ସହ ସ୍ଥାପନ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।