ଭର୍ଚୁଆଲ୍ ବ୍ୟବସ୍ଥାରେ ବିଶିଷ୍ଟ ନାଟ୍ୟକାର ଓ ଚିତ୍ରଶିଳ୍ପୀ ଅସୀମ ବସୁଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର: ଗୁରୁବାର ପୂର୍ବାହ୍ନରେ ରାଜ୍ୟ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଭର୍ଚୁଆଲ୍‌ ମାଧ୍ୟମରେ ଦିବଙ୍ଗତ ଚିତ୍ରଶିଳ୍ପୀ, ଅଭିନେତା, ନିର୍ଦ୍ଦେଶକ, ନାଟ୍ୟକାର, କବି, କଥାଶିଳ୍ପୀ, ସ୍ତମ୍ଭକାର, କଳା ନିର୍ଦ୍ଦେଶକ ତଥା ମଞ୍ଚ କାରିଗର ଅସୀମ ବସୁଙ୍କର ପୂର୍ଣାବୟବ ଉନ୍ମୋଚିତ ହୋଇଛି । ସରକାରଙ୍କ କୋଭିଡ-୧୯ ନିୟମ ଅନୁଯାୟୀ କୌଣସି ସରକାରୀ କାର୍ଯ୍ୟକ୍ରମ କରିବାର ଅନୁମତି ନଥିବାରୁ ରାଜ୍ୟର ଅସଂଖ୍ୟ ସଂସ୍କୃତି ପ୍ରେମୀ ମାନଙ୍କ ଅନୁରୋଧରେ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସମସ୍ତ କୋଭିଡ ନିୟମ ପାଳନ କରାଯାଇ ଭର୍ଚୁଆଲ୍‌ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

 

ବିଭାଗ ତରଫରୁ ଆୟୋଜିତ ଏହି ଉତ୍ସବରେ ଭାଷା,ସଂସ୍କୃତି ଓ ସାହିତ୍ୟ ତଥା ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଭୁବନେଶ୍ୱର ଉତ୍ତର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ଦାଶ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ନାଟ୍ୟ ସଂଘର ସଭାପତି ହରେନ ସାହୁ, ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ଧୀର ମଲ୍ଲିକ, ମନୋଜ ପଟ୍ଟନାୟକ ତଥା ଅସୀମ ବସୁଙ୍କର ପରିବାର ତରଫରୁ ତାଙ୍କ ପୁତ୍ର ଗୌତମ ବସୁ, କନ୍ୟା ରାଜ୍ୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ ଭାସ୍ଵତୀ ବସୁ ତଥା ଅନ୍ୟତମ କନ୍ୟା ବିଶିଷ୍ଟ ଚିତ୍ରଶିଳ୍ପୀ ଅତସୀ ବସୁ ଆଦି ଉପସ୍ଥିତ ଥିଲେ ।

ଏହି ପରିପ୍ରେକ୍ଷୀରେ ଦିବଂଗତ ଚିତ୍ରଶିଳ୍ପୀ ଅସୀମ ବାସୁଙ୍କର ଜୀବନୀ ଉପରେ ଆଧାରିତ ବୃତ୍ତଚିତ୍ରର ପ୍ରଦର୍ଶନ କରାଯାଇଥିଲା । ଓଡ଼ିଆ ଭାଷା ଓ ସଂସ୍କୃତିକୁ ତାଙ୍କର ୫ ଦଶକର ଅବଦାନକୁ ମନ୍ତ୍ରୀ ଜ୍ୟୋତି ରଞ୍ଜନ ପାଣିଗ୍ରାହୀ, ଅଶୋକ ଚନ୍ଦ୍ର ପଣ୍ଡା ତଥା ବିଭାଗୀୟ ଅତିରିକ୍ତ ଶାସନ ସଚିବ ଆଦି ସ୍ମରଣ କରିଥିଲେ ।

 ଅପରପକ୍ଷରେ କିଛି ଅସୀମ ପ୍ରେମୀ ରବୀନ୍ଦ୍ରମଣ୍ଡପ ପରିସରରେ ପ୍ରିୟ ଦାଦାଙ୍କର ପ୍ରତିମୂର୍ତ୍ତି ନିକଟରେ ସମବେତ ହୋଇ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ବରିଷ୍ଠ ସ୍ତମ୍ଭକାର ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ କପିଳାସ ଭୂୟାଁ, ନାଟ୍ୟ ନିର୍ଦ୍ଦେଶକ ଅଭିନ୍ନ ରାଉତରାୟ, କବି ତଥା ପ୍ରାବନ୍ଧିକ ପବିତ୍ର ମୋହନ କର, ରବୀନ୍ଦ୍ର ମଣ୍ଡପର କର୍ମଚାରୀ ଶ୍ରୀ ବିଶ୍ୱାଳ, ଦାଦାଙ୍କର ଘନିଷ୍ଟ ସହଯୋଗୀ ପ୍ରଶାନ୍ତ ପାଣ୍ଡିଆ, ଯୁବ ନାଟ୍ୟ ନିର୍ଦ୍ଦେଶକ ଦେବଦତ୍ତ ପତି, ସାମ୍ବାଦିକ ତଥା ଦାଦାଙ୍କର ଜ୍ୱାଇଁ ବିଜୟ ମଣ୍ଡଳ, ନାଟ୍ୟ ନିର୍ଦ୍ଦେଶକ ପ୍ରକାଶ ମହାରଣା ଯୋଗଦେଇ ଦିବଂଗତ ଚିତ୍ରଶିଳ୍ପୀ ଅସୀମ ବସୁଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱର୍ଗତ ଅସୀମ ବାସୁଙ୍କର ପ୍ରତିମୂର୍ତ୍ତିର ଅନାବରଣ ଖବର ସାରା ନାଟ୍ୟଜଗତ ତଥା ଚିତ୍ରଶିଳ୍ପୀ ଓ ସାହିତ୍ୟିକମାନଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଛି  ।

ସ୍ୱର୍ଗତ ଅସୀମ ବସୁ କେବଳ ନାଟ୍ୟଜଗତର ନୁହନ୍ତି ସେ ଧର୍ମପଦ ପୁରସ୍କାର ପ୍ରାପ୍ତ ଚିତ୍ରଶିଳ୍ପୀ, ଅତୀତରେ ରାଜ୍ୟସ୍ତରୀୟ ତଥା ଜାତୀୟ ସ୍ତରୀୟ ଏବଂ ବିଦେଶରେ ମଧ୍ୟ ଦେଶ ଓ ରାଜ୍ୟର ବିଭିନ୍ନ ପ୍ରଦର୍ଶନୀମାନ ଆୟୋଜନ କରି ରାଜ୍ୟ ତଥା ଦେଶ ପାଇଁ ଅନେକ ଗୌରବ ଆଣିଦେଇଛନ୍ତି । ଅସୀମ ବସୁଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ପ୍ରଜ୍ଞାପନ ମେଢ଼ ଭାରତର ଗଣତନ୍ତ୍ର ଦିବସ, ତଥା ଜନରାଜ୍ୟ ଦିବସମାନଙ୍କରେ ଦିଲ୍ଲୀ ରାଜପଥରେ ପ୍ରଦର୍ଶିତ ହୋଇ ବିଭିନ୍ନ ସମୟରେ ପୁରସ୍କୃତ ହୋଇଛି ।

ତାଙ୍କ ରଚିତ ଆତ୍ମଜୀବନୀ ମୂଳକ ଉପନ୍ୟାସ “କଥାରେ କଥାରେ ” ଭାରତୀୟ ଭାଷା ସାହିତ୍ୟ ସଂସ୍ଥା ଦ୍ୱାରା ଅନ୍ୟତମ ଶ୍ରେଷ୍ଠ ଆତ୍ମଜୀବନୀମୂଳକ ଉପନ୍ୟାସ ଭାବରେ ପୁରସ୍କୃତ । ତାଙ୍କ ଜୀବଦ୍ଦଶାରେ “କାକଟସର ଫୁଲ” ନାମରେ ଏକ ଗଳ୍ପ ସଂକଳନ ପ୍ରକାଶିତ । ତାଙ୍କର ଅନ୍ୟାନ୍ୟ ବହୁ ଗଳ୍ପକୁ ନେଇ ଏକ ଗଳ୍ପ ସଂକଳନ ” ଜୀବନ ଯାହା ଯେମିତି” ପ୍ରକାଶିତ ହୋଇ ପାଠକ ଆଦୃତ୍ତି ଲାଭ କରିଛି । ଜପ୍ରମୁଖ ଓଡ଼ିଆ ଖବର କାଗଜ ପ୍ରେମୟରେ ନିୟମିତ ଲେଖୁଥିବା ସ୍ତମ୍ଭକୁ ନେଇ “ସାନକୁହା” ନାମରେ ଏକ ପ୍ରବନ୍ଧ ସଂକଳନ ମଧ୍ୟ ପ୍ରକାଶିତ ହୋଇଅଛି ।

Leave a Reply

ନଜର ପକାନ୍ତୁ