ବାଚସ୍ପତିଙ୍କୁ ଅସମ୍ମାନ ଘଟଣାରେ ସାରା ରାଜ୍ୟରେ ବିଜେପି ବିଧାୟକଙ୍କ ବିରୋଧରେ ପ୍ରତିବାଦ

ଭୁବନେଶ୍ୱର: ବାଚସ୍ପତିଙ୍କୁ ଅସମ୍ମାନ ଘଟଣାରେ ସାରା ରାଜ୍ୟରେ ବିଜେପି ବିଧାୟକଙ୍କ ବିରୋଧରେ ପ୍ରତିବାଦ । ଭୁବନେଶ୍ବରରୁ ବ୍ରହ୍ମପୁର, କଟକରୁ ସମ୍ବଲପୁର ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ କ୍ୟାଣ୍ଡେଲ ଶୋଭାଯାତ୍ରା କରିଛି ମହିଳା ବିଜୁ ଜନତା ଦଳ । ହଜାର ହଜାର ମହିଳା ମହମବତୀ ଶୋଭାଯାତ୍ରା କରି ବିଜେପି ବିଧାୟକଙ୍କ ଆଚରଣକୁ ନିନ୍ଦା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଶକ୍ତିକରଣକୁ ପ୍ରାଥମିକତା ଦେଉଛନ୍ତି । ସ୍ବାଧୀନତା ପରେ ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ଆସନରେ ବସାଇଛନ୍ତି ମୁଖ୍ୟମନ୍ତ୍ରୀ । ହେଲେ ମହିଳା ସଶକ୍ତିକରଣକୁ ଗ୍ରହଣ କରିପାରୁନାହିଁ ବିଜେପି ।

ବିଧାନସଭା ଭଳି ପବିତ୍ର ଗୃହରେ ବାଚସ୍ପତିଙ୍କୁ ଅସମ୍ମାନ କରି ବିଜେପି କଳା ଅଧ୍ୟାୟ ସୃଷ୍ଟି କରିଛି । ଗୃହର ଗରିମା ଭାଙ୍ଗି ମହିଳା ବାଚସ୍ପତିଙ୍କୁ ଯେଭଳି ଭାବରେ ଦୁଇ ବିଜେପି ବିଧାୟକ ଅସମ୍ମାନ କଲେ ତାହାକୁ ନିନ୍ଦା କରିଛି ବିଜେଡି । ହଜାର ହଜାର ମହିଳା ଏକତ୍ରିତ ହୋଇ ବିଜେପିର ଏଭଳି ଘୃଣ୍ୟ ଆଚରଣକୁ ସମାଲୋଚନା କରିଛନ୍ତି । ମହିଳାମାନେ କହିଛନ୍ତି ଗୋଟିଏ ପଟେ କେନ୍ଦ୍ର ସରକାର ସଂସଦରେ ୩୩ ପ୍ରତିଶତ ଆସନ ମହିଳାଙ୍କ ସଂରକ୍ଷଣ ବିଲକୁ ପାସ କରାଇଛନ୍ତି ହେଲେ ରାଜ୍ୟରେ ବିଜେପି ବିଧାୟକ ମହିଳା ବାଚସ୍ପତିଙ୍କୁ ଅସମ୍ମାନ କରୁଛନ୍ତି । ଯାହାକି ବିଜେପି ନେତାଙ୍କ ଅସଲ ଚେହେରା ବୋଲି ବିଜେଡି କହିଛି । ଏଭଳି ଆଚରଣ ପାଇଁ ଦୁଇ ବିଜେପି ବିଧାୟକ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ମହିଳା ।