ରାଜ୍ୟରେ ବଦଳିଲା ଆପାର୍ଟମେଣ୍ଟ ନିର୍ମାଣ ନିୟମ,ପୁରୁଣା ଘର ନବୀକରଣ ପାଇଁ ଦରକାର ନାହିଁ ଅନୁମତି

ଭୁବନେଶ୍ୱର: ରାଜ୍ୟରେ ବଦଳିଲା କୋଠାବାଡ଼ି ନିର୍ମାଣ ନିୟମ । କୋଠାବଡ଼ି ନିୟମ କୋହଳ କରିବା ପାଇଁ ଓଡ଼ିଶା ଡ଼େଭଲପମେଣ୍ଟ ଅଥୋରିଟି ପ୍ଲାନିଂ ଆଣ୍ଡ ବିଲଡ଼ିଂ ଷ୍ଟାଣ୍ଡାର୍ଡ଼ ରୁଲ ୨୦୨୦ ଆଣିଛନ୍ତି ରାଜ୍ୟ ସରକାର । ନୁଆ ନିୟମ ଅନୁସାେରେ ଏଣିକି ୮ଟି ଗୃହ ଥିବା ଅଟ୍ଟାଳିକାକୁ ଅପାର୍ଟମେଣ୍ଟ କୁହାଯିବ ।ଏହାସହ ପୁରୁଣା ଘର ନବୀକରଣ ପାଇଁ ଆଉ ଅନୁମତି ନେବାକୁ ପଡ଼ିବ ନାହିଁ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ସରକାରଙ୍କ ଏହି ନୂଆ ଯୋଜନା ରିଏଲିଷ୍ଟେଟ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ମନ୍ତ୍ରୀ କହିଛନ୍ତି । ଯାହାକୁ ସ୍ୱାଗତ କରିଛନ୍ତି ରିଏଲିଷ୍ଟେଟ ବ୍ୟବସାୟୀମାନେ ।

ଛୋଟ ଘର ନିର୍ମାଣ କରୁଛନ୍ତି କି ? ତେବେ ଆପଣଙ୍କୁ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ । ଘରର ମଡ଼େଲ ପ୍ଲାନ ପାଇଁ ଆଉ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ ସରକାରୀ କାର୍ଯ୍ୟାଳୟକୁ । ଆବଶ୍ୟକ ଅର୍ଥ ପୈଠ କରି ଘର ନିର୍ମାଣ କରି ହେବ । ସେହିପରି ପୁରୁଣା ଘରର ନବୀକରଣ ପାଇଁ ବି ଆଉ ଅନୁମିତି ନେବାକୁ ପଡ଼ିବ ନାହିଁ ଘର ନିର୍ମାତାକୁ । ଏଥିଲାଗି ଓଡ଼ିଶା ଡ଼େଭଲପମେଣ୍ଟ ଅଥୋରିଟି ପ୍ଲାନିଂ ଆଣ୍ଡ ବିଲଡ଼ିଂ ଷ୍ଟାଣ୍ଡାର୍ଡ଼ ରୁଲ ୨୦୨୦ ଆଣିଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା କୋଠାବାଡ଼ି ନିର୍ମାଣ ନିୟମ କୋହଳ କରାଯାଇଛି । ନିୟମ ଅନୁସାରେ ଏଣିକି ୪ଟି ଗୃହ ନୁହେଁ, ୮ଟି ଗୃହ ଥିବା ଅଟ୍ଟାଳିକାକୁ ଆପାର୍ଟମେଣ୍ଟ କୁହାଯିବ । ଏହାସହ ଉଚ୍ଚ ଅଟ୍ଟାଳିକା ନିର୍ମାଣ ପାଇଁ ପ୍ରତିବନ୍ଧକ ହେବନି ଫ୍ଲାଟ ସାଇଜ । କେବଳ ସେତିକି ନୁହେଁ, ବାହ୍ୟ ଭିତ୍ତିଭୂମି ଉନ୍ନତିକରଣ ଫି ଓ ଖରିଦ ଯୋଗ୍ୟ ଏଫଏଆର ଦେୟ କିସ୍ତିରେ ଦେବାର ବ୍ୟବସ୍ଥା ରହିଛି ଏହି ନୁଆ ନିୟମରେ । ଏହାସହ ବାସଗୃହ ପାଇଁ ଉଦ୍ଧିଷ୍ଟ କୋଠାବାଡ଼ି ବ୍ୟବସାୟୀ ପ୍ରତିଷ୍ଠାନ ରେ ବ୍ୟବହାର କରାଯାଇ ପାରବି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ରାଜ୍ୟ ସରକାରଙ୍କ ଏହି ନୂଆ ନିୟମ ଓଡ଼ିଶାରେ ରିଏଲିଷ୍ଟେଟ୍ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି । ଯେହେତୁ ଅଟ୍ଟାଳିକା ନିର୍ମାଣ ନିୟମ କୋହଳ କରାଯାଇଛି ତାହା ରିଏଲିଷ୍ଟେଟ୍ ବ୍ୟବସାୟୀଙ୍କୁ ସହାୟକ ହେବ । ବିଶେଷକରି ଗୃହ ନିର୍ମାଣ କ୍ଷେତ୍ରରେ ଅଧିକ ପୁଜିଂ ବିନିଯୋଗକୁ ଆକର୍ଷଣ କରିବା ପାଇଁ ରାସ୍ତା,ପାର୍କିଙ୍ଗ ଏବଂ ସେଟବ୍ୟାକ୍ ନିୟମ ମଧ୍ୟ କୋହଳ କରାଯାଇଛି । ଏହାସହ ଓଡ଼ିଶା ସହରାଂଚଳରେ ସମସ୍ତ ପାଇଁ ଘର ନୀତି ୨୦୧୫ରେ ବି ସଂଶୋଧନ କରାଯାଇଛି । ଏଫଏଆର ସୀମା ୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହା ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ କ୍ଷେତ୍ରରେ ସହାୟକ ହେବ । ଯାହା ସମଗ୍ର ଦେଶରେ ସବୁଠାରୁ ଅଧିକ । ତେବେ ରାଜ୍ୟ ସରକାରଙ୍କ ଏହି ନୂଆ ନିୟମକୁ ରିଏଲିଷ୍ଟେଟ୍ ବ୍ୟବସାୟୀମାନେ ସ୍ୱାଗତ କରିଛନ୍ତି ।

Leave a Reply