spot_img

Latest Posts

ବଜେଟ ଅଧିବେଶନ ପୂର୍ବରୁ ବୟାନ ଝଡ଼, ବାଚସ୍ପତିଙ୍କ ବୟାନକୁ ନେଇ ଘେରିଲେ ବିରୋଧୀ

ଭୁବନେଶ୍ବର : ବିରୋଧୀଙ୍କ ବିଶୃଙ୍ଖଳାକୁ କରାଯିବନି ବରଦାସ୍ତ। ବଜେଟ ଅଧିବେଶନର ପୂର୍ବରୁ ବିରୋଧୀ ଦଳଙ୍କୁ ବାଚସ୍ପତି ସୁରୁମା ପାଢ଼ୀଙ୍କ ଚେତାବନୀ ରାଜ୍ୟ ରାଜନୀତିରେ ନିଆଁ ଲଗାଇଛି। ମୁଖ୍ୟ ବିରୋଧୀ ବିଜେଡି କହିଛି, ବିଧାନସଭାରେ ବାଚସ୍ପତି ବିରୋଧୀଙ୍କ ସ୍ବରକୁ ଚପାଇ ଦେବାକୁ ନାଲିଆଖି ଦେଖାଉଛନ୍ତି । ଯାହା କେବେ ଗ୍ରହଣୀୟ ନୁହେଁ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ସରକାରଙ୍କ ଦୋଷ ଦୋଷ ତ୍ରୁଟିକୁ ଗୃହରେ ଉପସ୍ଥାପନ କରାଯିବ। ବାଚସ୍ପତି ନାଲି ଆଖି କି ଧମକ ଦେଖାଇ ବିରୋଧୀଙ୍କୁ  ସ୍ବରକୁ ବନ୍ଦ କରିପାରିବେ ନାହିଁ। ବିଜେଡି ଲୋକଙ୍କ ସ୍ବର ସାଜି ଗୃହରେ ଲୋକଙ୍କ କଥା ଉଠାଇବ। ତେଣୁ ବାଚସ୍ପତି ନିଜ ପଦ ମର୍ଯ୍ୟାଦା ରକ୍ଷା କରନ୍ତୁ ବୋଲି କହିଛନ୍ତି ପ୍ରମିଳା। ସେପଟେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ବାଚସ୍ପତିଙ୍କ ବୟାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପ୍ରଥମେ ବାଚସ୍ପତି ସବୁ ଦଳକୁ ସମାନ ଦୃଷ୍ଟିରେ ଦେଖନ୍ତୁ। ଯଦି ଗୃହରେ ବାଚସ୍ପତି ଶାସକ ଓ ବିରୋଧୀ ଦଳକୁ ସମାନ ଦୃଷ୍ଟିରେ ଦେଖିବେ ତେବେ ବିଶୃଙ୍ଖଳା ହେବ ନାହିଁ ବୋଲି କହିଛି କଂଗ୍ରେସ।

ବାଚସ୍ପତିଙ୍କ ବୟାନକୁ ନେଇ ଦଳୀୟ ରାଜନୀତି ବି ଉଷ୍ମ ହୋଇଛି। ବାଚସ୍ପତିଙ୍କ ଉକ୍ତି ହାସ୍ୟାସ୍ପଦ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ। ଯଦି ବିଧାନସଭାରେ ବିରୋଧୀ କୌଣସି ପ୍ରସଙ୍ଗ ଉଠାନ୍ତି, ତେବେ ଗୃହକୁ ସୁରୁଖୁରୁରେ ଚଳାଇବା ବାଚସ୍ପତିଙ୍କ ଦାୟିତ୍ୱ। ହଟ୍ଟଗୋଳ ଅଚଳାବସ୍ଥା ପାଇଁ ଦାୟୀ ରହିବେ ବାଚସ୍ପତି। ବିରୋଧୀ ଦଳର କଣ୍ଠରୋଧ କରି ସରକାରୀ ଦଳକୁ ପ୍ରାଧାନ୍ୟ ଦେଲେ ହଟ୍ଟଗୋଳ ହେବ ବୋଲି କହିଛନ୍ତି ପ୍ରତାପ ଦେବ। ଅନ୍ୟପଟେ ବିଜେପି କହିଛି, ସମସ୍ତେ ନିଜ ଦାୟିତ୍ବ ତୁଲାଇବା ସହ ଶୃଙ୍ଖଳା ରକ୍ଷା କରିବା ଦରକାର। ତେବେ ମହିଳା ବାଚସ୍ପତିଙ୍କୁ ବ୍ୟବହାର ନେଇ ବିଜେପି ପ୍ରଶ୍ନ ଉଠାଇଥିବା ବେଳେ, ଜବାବ ଦେଇଛି ବିଜେଡି।

ଫେବୃଆରୀ ୧୩ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ। ସରକାରଙ୍କ ବିଫଳତାକୁ ନେଇ ବିରୋଧୀ ଗୃହରେ ଘେରିବାକୁ ସଜବାଜ ହେଉଥିବା ବେଳେ, ବାଚସ୍ପତିକୁ ବୟାନକୁ ନେଇ ସୃଷ୍ଟି ହୋଇଛି ଝଡ଼। ଶାସକ ଦଳକୁ ଅକଳରେ ପକାଇବା ପାଇଁ ବିରୋଧୀ ତୟାର ଥିବା ବେଳେ, ବିରୋଧୀଙ୍କ ସ୍ବରକୁ ଚପାଇଦେବାକୁ ଏବେଠାରୁ ଉଦ୍ୟମ ଆରମ୍ଭ ହେବାକୁ ନେଇ ଉଷ୍ମ ହୋଇଛି ରାଜ୍ୟ ରାଜନୀତି।

Latest Posts

Don't Miss