ଲକଡାଉନ୍ ହେବ କି ନାହିଁ, ନିଷ୍ପତ୍ତି ନେବା ରାଜ୍ୟଙ୍କ ଉପରେ ଛାଡ଼ିଲା କେନ୍ଦ୍ର

State To Decide On Lockdown Said Amit Shah

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ପର୍ଯ୍ୟାୟ ଦେଶରେ ଆତଙ୍କ ସୃଷ୍ଟି କରିଛି । ହସ୍ପିଟାଲରେ ଶଯ୍ୟା ଅଭାବ, ଅକ୍ସିଜେନ୍ ଅଭାବ ଭିତରେ ଦେଶରେ ପୁଣିଥରେ ଲକଡାଉନ୍ ଲାଗୁ ହେବ କି ? ଏହି ପ୍ରଶ୍ନ ସବୁଠୁ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି । ଏହାରି ଭିତରେ ଲକଡାଉନ୍ ଲାଗୁ କରିବା ନିଷ୍ପତ୍ତି ରାଜ୍ୟ ସରକାର ନେବେ ଓ ସେମାନଙ୍କୁ ଏ ବାବଦରେ କ୍ଷମତା ଦିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ନିଜ ରାଜ୍ୟରେ ଲକଡାଉନ ଲାଗୁ କରିବା ପାଇଁ ରାଜ୍ୟ ସ୍ୱତନ୍ତ୍ର ବୋଲି ଅମିତ ଶାହ କହିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଗତ ତିନି ମାସ ଭିତରେ ଆମେ ରାଜ୍ୟ ସରକାରଙ୍କୁ ଲକଡାଉନ୍ ସମ୍ପର୍କିତ ଅନେକ କ୍ଷମତା ଦେଇଛୁ । ସେମାନେ ନିଜ ରାଜ୍ୟର ପରିସ୍ଥିତିକୁକୁ ଦେଖି ନିଷ୍ପତ୍ତି ନେଇ ପାରିବେ । କାରଣ ସବୁ ରାଜ୍ୟର ପରିସ୍ଥିତି ସମାନ ନୁହେଁ । ଏମିତିରେ ରାଜ୍ୟ ସରକାରଙ୍କୁ ନିଜ ରାଜ୍ୟର ସ୍ଥିତିକୁ ନେଇ ନିଷ୍ପତ୍ତି ନେବାକୁ ପଡ଼ିବ ।

State To Decide On Lockdown Said Amit Shah

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ପ୍ରଥମ ଥର ପାଇଁ ଲକଡାଉନ୍ ଲାଗୁ ହୋଇଥିଲା ସେତେବେଳେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଠିକ୍ ନଥିଲା । ହସ୍ପିଟାଲରେ ବେଡ୍ ଓ ଅକ୍ସିଜେନର ଅଭାବ ଥିଲା । ଏବେ କିନ୍ତୁ କେନ୍ଦ୍ର ସରକାରଙ୍କ ସାହାଯ୍ୟରେ ଭିତ୍ତିଭୂମିର ବିକାଶ ହୋଇ ପାରିଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ନିଜର ସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ ଓ କେନ୍ଦ୍ର ରାଜ୍ୟ ସରକାରଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବେ ।

କରୋନା କାଳରେ କୁମ୍ଭକୁ ନେଇ କ’ଣ କହିଲେ ଅମିତ ଶାହ ?

କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କୁମ୍ଭ ମେଳା ଆୟୋଜନ ଉପରେ ଉଠୁଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନିଜେ ସାଧୁ ସନ୍ଥଙ୍କ ସହ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ମାନି କୁମ୍ଭ ମେଳାକୁ କେବଳ ପ୍ରତିକାତ୍ମକ କରିବାକୁ ସେମାନେ ରାଜି ହୋଇଛନ୍ତି । ଏପରିକି ୧୩ ଆଖଡ଼ା ମଧ୍ୟରୁ ୧୨ ଆଖଡା ଶାହି ସ୍ନାନ ଶେଷ ବାବଦରେ ଘୋଷଣା ମଧ୍ୟ କରିଲେଣି । ଏବେ କୁମ୍ଭ ମେଳାରେ ଭକ୍ତଙ୍କ ଭିଡ଼ କମିବାରେ ଲାଗିଛି ।

ଦୈନିକ ୨ ଲକ୍ଷ ସଂକ୍ରମଣ

କରୋନାର ପ୍ରଥମ ଆକ୍ରମଣ ତୁଳନାରେ ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ସଂଖ୍ୟକ ବ୍ୟକ୍ତି ସଂକ୍ରମିତ ହେଉଛନ୍ତି । ଗତ କିଛି ଦିନ ଧରି ଦୈନିକ ୨ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା ଚିନ୍ତା ଅଧିକ ବଢାଇ ଦେଇଛି ।

Leave a Reply