କଟକଣା ଭିତରେ ପାଳନ ହେବ ସ୍ୱାଧୀନତା ଦିବସ, ଟିଭିରେ ଆସିବ ପୁରା କାର୍ଯ୍ୟକ୍ରମ

ଭୁବନେଶ୍ୱର: କୋଭିଡ୍‌ କଟକଣା ମଧ୍ୟରେ ପାଳିତ ହେବ ସ୍ୱାଧୀନତା ଦିବସ । ସାରା ବିଶ୍ୱରେ ଏବେ କରୋନା କାୟା ବିସ୍ତାର କରିଥିବା ବେଳେ ଦେଶ ତଥା ରାଜ୍ୟରେ ମଧ୍ୟ କରୋନାର କାୟା ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ କୌଣସି ସ୍ଥାନରେ ଏକାଠି ହେବା ପାଇଁ କଟକଣା ଲାଗୁ କରାଯାଇଛି । କାରଣ ଏକାଧିକ ଲୋକ ଏକାଠି ହେଲେ କରୋନା ସଂକ୍ରମଣର ଅଧିକ ଆଶଙ୍କା ରହିଥାଏ । ଏହି କରୋନା ସଂକ୍ରମଣ ଭୟରେ ଦେଶରେ ତଥା ରାଜ୍ୟରେ ବଡ଼ ବଡ଼ ପାରମ୍ପରିକ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି । ଏମିତିକି ବିନା ଭକ୍ତରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନେକ କଟକଣା ସହ ସମାପନ କରଯାଇଛି । ସେହି କରାେନା କାୟାକୁ ଦୃଷ୍ଟିରେ ରଖି ଏବେ କେନ୍ଦ୍ର ସରକାର ତଥା ରାଜ୍ୟ ସରକାର କଟକଣା ମଧ୍ୟରେ ସ୍ୱାଧୀନତା ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଚଳିତବର୍ଷ କୋଭିଡ୍ କଟକଣା ଭିତରେ ପାଳିତ ହେବ ସ୍ୱାଧୀନତା ଦିବସ । କଟକଣା ଅନୁପାଳନ ଭିତରେ ପ୍ରସ୍ତୁତି ଚୁଡାନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ସ୍ୱାଧୀନତା ଦିବସ ପ୍ରସ୍ତୁତି ନେଇ ଲୋକସେବା ଭବନରେ ଏକ ବୈଠକ ବସିଥିଲା । ଜନ ସ୍ୱାସ୍ଥ୍ୟ ଉପରେ କରୋନାର ପ୍ରଭାବକୁ କମ୍ କରିବା ପାଇଁ ସ୍ୱତନ୍ତ୍ର ନିୟମ ଓ କଟକଣାମାନ ଜାରି କରାଯାଇଛି ।

ସ୍ୱାଧୀନତା ଦିବସ ଏକ ଗୌରବମୟ ଜାତୀୟ ଦିବସ ହୋଇଥିବାରୁ କଟକଣା ମଧ୍ୟରେ ଏହାର ପାଳନ ପାଇଁ ବୈଠକରେ ସ୍ଥିର ହୋଇଛି । ପ୍ରସ୍ତୁତି ଓ ପାଳନ ସମୟରେ ଯଥା ସମ୍ଭବ ସାମାଜିକ ଦୂରତା ଓ ସ୍ୱଚ୍ଛତାର ନିୟମ ଅନୁପାଳନ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ବର୍ଷ ଭୁବନେଶ୍ୱର ୩ ନମ୍ବର ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ସ୍ୱାଧୀନତା ଦିବସ ପାଳନ କରାଯିବ । କରୋନା କଟକଣା ଦୃଷ୍ଟିରୁ ପୂର୍ବ ବର୍ଷମାନଙ୍କ ପରି ପ୍ୟାରେଡ୍ ପ୍ରଦର୍ଶନୀ ଅନୁଷ୍ଠିତ ହେବନାହିଁ । ପୋଲିସ୍ ବ୍ୟାଣ୍ଡ ପାର୍ଟି ଜାତୀୟ ସଂଗୀତ ପରିବେଷଣ କରିବେ । ବ୍ୟାଣ୍ଡ ପାର୍ଟି ସହ ୩ ଟି ପୋଲିସ୍ ବାହିନୀର ଟ୍ରୁପ୍ ମାନେ ଜାତୀୟ ପତାକା ଏବଂ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବେ । କୋଭିଡ୍ ଯୋଦ୍ଧାମାନଙ୍କ ସହ ସୀମିତ ସଂଖ୍ୟକ ଲୋକଙ୍କୁ ସାମିଲ କରି ଏହି ଦିବସ ପାଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ପ୍ୟାରେଡ୍ ବେଳର ଦୃଶ୍ୟ ଟିଭିରେ ଦେଖିପାରିବ ଦର୍ଶକ । ଅନୁଷ୍ଠିତ ବୈଠକରେ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜିବ ଚୋପ୍ରା ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ଶାସନ ସଚିବ ସଂଜୟ କୁମାର ସିଂ ଉପସ୍ଥିତ ରହିଥିଲେ ।

Leave a Reply