ରାଜ୍ୟରେ ଖୁବଶୀଘ୍ର ବିଶ୍ବସ୍ତରୀୟ ମ୍ୟୁଜିୟମ୍ କଂପ୍ଲେକ୍ସ

ଭୁବନେଶ୍ବର: ରାଜ୍ୟରେ ଖୁବଶୀଘ୍ର ଏକ ବିଶ୍ବସ୍ତରୀୟ ମ୍ୟୁଜିୟମ୍ କଂପ୍ଲେକ୍ସ ଖୋଲିବ । ଏଥିପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଜାରି ହୋଇଛି । ଏହା ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ଇତିହାସକୁ ଅଧିକ ରୁଦ୍ଧିମନ୍ତ କରିବ । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ଗୁରୁବାର କଳିଙ୍ଗ ଆର୍ଟ ଗ୍ୟାଲେରୀ ସହ ଆଉ ୫ଟି ଆର୍ଟ ଗ୍ୟାଲେରୀ ଉଦଘାଟନ କରିଛନ୍ତି । ରାଜ୍ୟ ସଂଗ୍ରହାଳୟ ପରିସରରେ ଉଦ୍‌ଘାଟିତ କଳିଙ୍ଗ ଆର୍ଟ ଗ୍ୟାଲେରୀ ହେଉଛି ରାଜ୍ୟର ସର୍ବବୃହତ୍ ଆର୍ଟ ଗ୍ୟାଲେରୀ । ଏହାଛଡ଼ା ଛତ୍ରପୁର, ପୁରୀ, ବାଲେଶ୍ୱର, ସମ୍ବଲପୁର ଓ କୋରାପୁଟରେ ୫ଟି ଗ୍ୟାଲେରୀ ଉଦଘାଟିତ ହୋଇଯାଇଛି । ଓଡ଼ିଶା ଲଳିତ କଳା ଏକାଡେମୀ ସହଭାଗିତାରେ ଏହା ପ୍ରତିଷ୍ଠା କରାଯାଇଛି ।

ଭର୍ଚୁଆଲରେ ଏହି ଆର୍ଟ ଗ୍ୟାଲେରୀ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ, ଓଡ଼ିଶା ହେଉଛି କଳା, ସଂସ୍କୃତି ଓ ଐତିହ୍ୟର ରାଜ୍ୟ । ପେଣ୍ଟିଂ, ହସ୍ତକଳା ଆଦି ହେଉଛି ଆମର ବଡ଼ ପୁଂଜି । ଆମ କଳାକୃତିର ସଂରକ୍ଷଣ ସହ ସୁରକ୍ଷା ଦିଗରେ ଏ ଆର୍ଟ ଗ୍ୟାଲେରୀ ସହଯୋଗ କରିବ । କଳିଙ୍ଗ ଆର୍ଟ ଗ୍ୟାଲେରୀ ଆମ ରାଜ୍ୟର କଳା ଓ ଶିଳ୍ପୀମାନଙ୍କ ପାଇଁ ଏକ ପାୱାର ହାଉସ୍ ଭଳି କାମ କରିବ । ଶିଳ୍ପୀମାନେ ତାଙ୍କ କଳାକୃତୀର ପ୍ରଦର୍ଶନ ପାଇଁ ବଡ଼ ସୁଯୋଗ ଦେବ । ପର୍ଯ୍ୟଟକମାନେ ମଧ୍ୟ ଆମ ରାଜ୍ୟର କଳା ସଂସ୍କୃତି ବିଷୟରେ ଅଧିକ ଅବଗତ ହୋଇପାରିବେ ।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ ଟି)ଭି କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ସ୍ୱାଗତ ଭାଷଣ ଦେଇଥିଲେ ।

Leave a Reply