ବାଣଫୁଟା ପ୍ରଦୂଷଣକୁ ନିୟମନ୍ତ୍ର କରି ଦେଲା ବର୍ଷା

1 min read

ଭୁବନେଶ୍ବର:ଗତକାଲି ଦୀପାବଳିରେ ବାଣ ଫିଟିବା ଯୋଗୁଁ ବଢ଼ଇ ଯାଇଥିଲା ପ୍ରଦୂଷଣ । ବିଗିଡ଼ି ଯାଇଥିଲା ବାୟୁର ମାନ । ହେଲେ ଆଜି ହୋଇଥିବା ବର୍ଷା ସ୍ଥିତିକୁ ନିୟନ୍ତ୍ରଣ କରିପାରିଛି । ଏଭଳି କହିଛନ୍ତି ରାଜ୍ଯ ପ୍ରଦୂଷଣ ବୋର୍ଡର ସଦସ୍ଯ ସଚିବ କେ. ମୁରୁଗେସନ ।

ସେ କହିଛନ୍ତି, ଗତକାଲି ବାଣ ଫୁଟା ଯୋଗୁଁ ଭୁବନେଶ୍ୱରରେ ବାୟୁ ମାନ-ଏକ୍ଯୁ ଖରାପ ହୋଇଥିଲା । ବୁଧବାର ସକାଳେ ଏହା ୬୦-୭୦ ଏକ୍ଯୁ ଥିଲା । ଯାହା ସନ୍ତୋଷଜନକ ଥିଲା । ସନ୍ଧ୍ୟାରେ ଏହା ବଢ଼ି ଶହେ ଏକ୍ଯୁ ହୋଇଯାଇଥିଲା । ସନ୍ଧ୍ୟାରେ ବାଣ ଫୁଟାରୁ ଏହା ବଢ଼ି ୨୩୦-୨୪୦ ଏକ୍ଯୁ ହୋଇଯାଇଥିଲା । ଆଜି ସକାଳେ ଭୁବନେଶ୍ୱରରେ ବର୍ଷା ହେବାରୁ ଏହା ୧୩୩ ଏକ୍ଯୁକୁ ଖସି ଆସିଥିଲା, ଏହା ଆହୁରି କମିଯିବ ।

ସେପଟେ ବାଲେଶ୍ୱର, ରାଉରକେଲା, ତାଳଚେର ଶହେ ଏକ୍ଯୁ ଉପରେ ଥିଲା । ବାଲେଶ୍ୱର ଓ ରାଉରକେଲାରେ ବାୟୁ ମାନ ବର୍ତ୍ତମାନ ୧୩୦-୧୪୦ ଏକ୍ଯୁ ପାଖରେ ଅଛି । ହେଲେ ତାଳଚେରରେ ଏହା ଢେର ଅଧିକ ୨୫୬ ଏକ୍ଯୁ ଅଛି । ଦିନେ ଦୁଇ ଦିନରେ ଏହା କମିଯିବ ।

ଉତ୍ତର ଭାରତରେ ବାୟୁ ମାନକ ୩ ଶହ ଏକ୍ଯୁ ହୋଇଥିଲା । ଗାଙ୍ଗେୟ ଅଞ୍ଚଳରେ ସ୍ଥିତି ଖରାପ ହେବାରୁ ତାହାର ପ୍ରଭାବ ପଶ୍ଚିମବଙ୍ଗ, ରାଉରକେଲା, ବାଲେଶ୍ୱରରେ ପଡୁଛି । କଟକ ଭଲ ସ୍ଥିତିରେ ଅଛି । ଗତକାଲି ତାଳଚେର ଓ ଭୁବନେଶ୍ୱରରେ ମାତ୍ରା ଅଧିକ ଥିଲା ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ବାଣଫୁଟା ଗାଇଡଲାଇନ ଜାରି କରାଯାଇଥିଲା । ହେଲେ ଲୋକେ ନ ମାନିଲେ କ’ଣ କରାଯାଇ ପାରିବ ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ମୁରୁଗେସନ । ବାଣ ଫୁଟିଲେ ଯଦି ପବନ ବହିବ, ପ୍ରଦୂଷଣ ସ୍ତର କମିଯାଏ । ଦକ୍ଷିଣ ଭାରତର ମଦୁରାଇରେ ପବନ ହୁଏ । ତେଣୁ ବାଣ ଫୁଟାରୁ ପ୍ରଦୂଷଣର ମାତ୍ରା କମ ଥାଏ । ନଭେମ୍ବର ୩ ତାରିଖ ଯାଏଁ ବାୟୁ ସ୍ଥିତି ସମୀକ୍ଷା କରି କେନ୍ଦ୍ରକୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ମୁରୁଗେସନ ।