spot_img

Latest Posts

ଉଦଯାପିତ ହୋଇଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’

ଭୁବନେଶ୍ୱର : ତିନି ଦିନ ଧରି ଚାଲିଥିବା ଶିଶୁ ମହୋତ୍ସବ ସୁରଭି ଉଦଯାପିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କୁ ନିଜ ଚିନ୍ତାଧାରାକୁ ଉଚ୍ଚ କରିବାକୁ ପ୍ରେରଣା ଦେଇଛନ୍ତି। କଠିନ ପରିଶ୍ରମ କର, ଚିନ୍ତାଧାରାକୁ ବଡ କର, ନିଜର ସାମର୍ଥ୍ୟକୁ ବିଶ୍ୱସ୍ତରକୁ ନେବା ପାଇଁ ଉଦ୍ୟମ କଲେ ହିଁ ଅସୀମ ସଫଳତା ମିଳିବ। ପିଲାଙ୍କ ଭବିଷ୍ୟତ ଖୁବ ଉଜ୍ଜ୍ବଳ ହେବ । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ତାଙ୍କ ସାଥିରେ ରହିଛି ଓ ରହିବ ବୋଲି ନବୀନ କହିଛନ୍ତି। ଓଡିଶାର ରୂପାନ୍ତର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ରୂପାନ୍ତରର ଯୁଗ ପିଲାଙ୍କ ସ୍କୁଲରୁ ହିଁ ଆରମ୍ଭ ହୋଇଛି । ପିଲାମାନେ ଏବେ ଡିଜିଟାଲ୍ ଟେକ୍ନୋଲୋଜି ଜରିଆରେ ପାଠ ପଢୁଛନ୍ତି । ସ୍କୁଲର ପରିବେଶ ମଧ୍ୟ ବେଶ୍ ସୁନ୍ଦର ହୋଇଯାଇଛି । ସୁନ୍ଦର ଖେଳ ପଡିଆ ମଧ୍ୟ ହୋଇଛି । ପିଲାମାନେ ଏବେ କାହା ଠାରୁ କମ୍ ନୁହେଁ । ସୁରଭିରେ ମିଳିଥିବା ଅଭିଜ୍ଞତା ସାରା ଜୀବନ ପିଲାମାନଙ୍କୁ ପ୍ରେରଣା ଦେଇ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ୩ହଜାର ୫୪୯ ପିଲାଙ୍କୁ ‘ଓଡିଆ ଭାଷା ବୃତ୍ତି’ ପୁରସ୍କାର ଦିଆଯାଇଛି । ଏଥିରେ ପ୍ରତ୍ୟେକ ପିଲାଙ୍କୁ ୫ହଜାର ଟଙ୍କାର ଏକକାଳୀନ ବୃତ୍ତି ଦିଆଯାଇଛି।

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ଓଡିଆ ଭାଷାରେ ଅଧିକ ନମ୍ବର ରଖିଥିବା ପିଲାମାନଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଇଛି। ରାଜ୍ୟସ୍ତରରେ ପ୍ରଥମ ପାଞ୍ଚଜଣକୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ୩ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ସୁରଭି ପୁରସ୍କାର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ। କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋ ସ୍କୁଲ କଫି ଟେବୁଲ୍ ବୁକ୍ ଏବଂ ଏକ ନିୟୁଜ ଲେଟର ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Latest Posts

Don't Miss