ଦେବାଳିଆ ସ୍ଥିତି ନେଇ ରାଜ୍ୟ ସରକାରଙ୍କ ଆକଳନକୁ RBI କରିଥିଲା ନା

ଭୁବନେଶ୍ୱର: ୟେସ୍ ବ୍ୟାଙ୍କକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି । ପ୍ରସଙ୍ଗ ବିହୀନ ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ କାଠଗଡାରେ ଛିଡ଼ା କରିବାକୁ ଚେଷ୍ଟା କରୁଛନ୍ତି । ହେଲେ, ଏହି ପ୍ରସଙ୍ଗରେ ନନ୍ଦିଘୋଷ ଟିଭିକୁ ମିଳିଛି ଏକ୍ସକ୍ଲୁସିଭ ଦସ୍ତାବିଜ୍ । ୟେସ୍ ବ୍ୟାଙ୍କକୁ ଏବେ ରିଜର୍ଭ ବ୍ୟାଙ୍କ ଦେବାଳିଆ ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ବହୁ ଆଗରୁ ଏହାର ସୁରାକ ପାଇ ସାରିଥିଲେ । ଅର୍ଥ ବିଭାଗ ସବୁ ଅଧିକାରୀଙ୍କୁ ଏନେଇ ସତର୍କ କରିସାରିଥିଲେ । ହେଲେ ରାଜ୍ୟ ସରକାରଙ୍କ ହାତ ବାନ୍ଧିଦେଲେ ନିଜେ ରିଜର୍ଭ ବ୍ୟାଙ୍କ ।

ବ୍ୟାଙ୍କଗୁଡିକୁ ସୁରକ୍ଷା ଦେବା ଆଳରେ ରାଜ୍ୟ ସରକାରଙ୍କ ହାତ ବାନ୍ଧି ପକାଇଲା ରିଜର୍ଭ ବ୍ୟାଙ୍କ । ଆଉ ଏବେ ଘାଣ୍ଟି ହେଉଛନ୍ତି ରାଜ୍ୟ ସରକାର । ୨୦୧୯ ଅକ୍ଟୋବର ୨୧ ତାରିଖରେ ଅର୍ଥ ସଚିବ ଅଶୋକ ମୀନା ସବୁ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖିଥିଲେ । ଏଥିରେ ସେ ସ୍ପଷ୍ଟ ଭାବେ ସତର୍କ କରାଇଦେଇଛନ୍ତି ଯେ, ଅର୍ଥ ବିଭାଗ ଦ୍ଵାରା ଏନପ୍ୟାନେଲ ହୋଇଥିବା ୧୨ଟି ପବ୍ଲିକ ସେକ୍ଟର, ୮ଟି ଘରୋଇ, ଗୋଟିଏ କ୍ଷୁଦ୍ର ଆର୍ଥିକ ଅନୁଷ୍ଠାନ, ୨ଟି ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଏବଂ ଗୋଟିଏ ସମବାୟ ବ୍ୟାଙ୍କର ଆର୍ଥିକ ସ୍ଥିତି ସୁସ୍ଥ ନୁହେଁ । ଏହିସବୁ ବ୍ୟାଙ୍କରେ ସରକାରୀ ଅର୍ଥ ଜମା ସୁରକ୍ଷିତ ନୁହେଁ ବୋଲି ଅର୍ଥ ବିଭାଗ ସତର୍କ କରାଇ ଦେଇଥିଲା ।

ହେଲେ ଅର୍ଥ ସଚିବଙ୍କ ଏହି ଚିଠି ବିଭାଗୀୟ ମୁଖ୍ୟଙ୍କୁ ସତର୍କ କରାଯିବା ପରେ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଥିଲା ରିଜର୍ଭ ବ୍ୟାଙ୍କ । ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ୱଚ୍ଛଳତାକୁ ନେଇ ସନ୍ଦେହ ପ୍ରକାଶ ନକରିବାକୁ ସିଧାସଳଖ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଲିଲି ଭଦେରା । କେବଳ ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ବ୍ୟାଙ୍କ ଗୁଡ଼ିକର ଆର୍ଥିକ ସ୍ଥିତି ଉପରେ ସନ୍ଦେହ ପ୍ରକଟ କରାଯିବା ଉଚିତ ନୁହେଁ ବୋଲି କହିଥିଲା ଆରବିଆଇ । ଅର୍ଥ ସଚିବଙ୍କ ସତର୍କସୂଚକ ଚିଠି ସାଧାରଣରେ ବ୍ୟାଙ୍କଗୁଡିକ ପ୍ରତି ନକରାତ୍ମକ ଧାରଣା ସୃଷ୍ଟି କରିବ । ବ୍ୟାଙ୍କଗୁଡିକ ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ସହଯୋଗ କରୁଥିବା ବେଳେ ବିଭିନ୍ନ ସରକାରୀ ଯୋଜନାରେ ସହଯ଼ୋଗ କରିଥାନ୍ତି । ଅର୍ଥ ସଚିବଙ୍କ ଚିଠି ପରେ ବ୍ୟାଙ୍କଗୁଡିକର ଆର୍ଥିକ ସ୍ଥିତି ପ୍ରଭାବିତ ହେବ ବୋଲି ଆରବିଆଇ ଉଦବେଗ ପ୍ରକାଶ କରିଥିଲେ ।

ରିଜର୍ଭ ବ୍ୟାଙ୍କର ଏଭଳି ଉଦବେଗକୁ ଦୃଷ୍ଟିରେ ରଖି ଅର୍ଥ ବିଭାଗ ପୁଣି ଥରେ ସବୁ ବିଭାଗୀୟ ମୁଖ୍ୟଙ୍କୁ ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ ହୋଇଥିଲା । ବ୍ୟାଙ୍କଗୁଡିକ ରିଜର୍ଭ ବ୍ୟାଙ୍କର କ୍ଷମତା ପରିସରରେ ଆସୁଥିବାରୁ କୌଣସି ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ନେଇ ଆତଙ୍କିତ ହେବା ଉଚିତ୍ ନୁହେଁ ବୋଲି ଅର୍ଥ ସଚିବ ଅକ୍ଟୋବର ୩୦ ତାରିଖରେ ଆଉ ଥରେ ଚିଠି ଲେଖିଥିଲେ ।

ଆରବିଆଇର ଉଦବେଗ ଆଧାରରେ ଅର୍ଥ ବିଭାଗ ଦ୍ଵାରା ଏମପ୍ୟାନେଲ ହୋଇଥିବା ବ୍ୟାଙ୍କରେ ସରକାରୀ ଅର୍ଥ ଜମାରେ ସମସ୍ୟା ନାହିଁ ବୋଲି ଅର୍ଥ ବିଭାଗ ସ୍ପଷ୍ଟୀକରଣ ଦେଇଥିଲା । ରିଜର୍ଭ ବ୍ୟାଙ୍କର ଏଭଳି ଦୋମୁହାଁ ନୀତିର ଇନ୍ଦ୍ରଜାଲରେ ରାଜ୍ୟ ସରକାର ଛନ୍ଦି ହୋଇଯାଇଛନ୍ତି ।

Leave a Reply