ପର୍ଯ୍ୟଟନସ୍ଥଳୀର ବିକାଶ ସହ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ବ୍ଲୁପ୍ରିଣ୍ଟ

ଭୁବନେଶ୍ୱର: ରାଜ୍ୟରେ ବ୍ୟାପକ କରାଯିବ ଟୁରିଜିମ୍ ପୋଲିସିଂ ବ୍ୟବସ୍ଥା । କଡ଼ାକଡ଼ି ହେବ ପର୍ଯ୍ୟଟକଙ୍କ ସୁରକ୍ଷା । ପୋଲିସକୁ ଏଥିପାଇଁ ସ୍ୱତନ୍ତ୍ର ତାଲିମ୍‌ ଦିଆଯିବ । ଏବେ ପିକ୍‌ନିକ୍‌ ଋତୁରେ ସବୁ ପର୍ଯ୍ୟଟନସ୍ଥଳୀରେ ଭିଡ଼ ଜମୁଥିବା ବେଳେ ଅସାମାଜିକ କାର୍ଯ୍ୟକଳାପ ଅଭିଯୋଗ ଆସୁଛି । ତେଣୁ, ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।ଓଡ଼ିଶାରେ ୩୦୦ରୁ ଅଧିକ ପର୍ଯ୍ୟଟନସ୍ଥଳୀ ରହିଛି । କେଉଁଠି ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ତ ଆଉ କେଉଁଠି ମନ୍ଦିରର କାରୁକାର୍ଯ୍ୟ ପାଲଟିଛି ଆକର୍ଷଣ । କିଛି ସ୍ଥାନରେ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଛି । କିନ୍ତୁ ସବୁ ପର୍ଯ୍ୟଟନସ୍ଥଳୀରେ ଆବଶ୍ୟକ ସଂଖ୍ୟକ ସୁରକ୍ଷାକର୍ମୀ ନାହାନ୍ତି ।ପର୍ଯ୍ୟଟନସ୍ଥଳୀର ବିକାଶ ସହ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଟୁରିଜିମ୍ ପୋଲିସିଂକୁ ବ୍ୟାପକ ଓ ଅଧିକ ସକ୍ରିୟ କରାଯିବ । ପର୍ଯ୍ୟଟକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ପାଇଁ ସେମାନଙ୍କୁ ବିଭିନ୍ନ ବିଭାଗର ସମନ୍ୱୟରେ ପ୍ରଶିକ୍ଷଣ ଦିଆଯାଉଥିବା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି ।ଓଡ଼ିଶାରେ ଟୁରିଷ୍ଟ ପୋଲିସିଂ ୨୦୧୫ରୁ ଆରମ୍ଭ ହୋଇଛି । ଟୁରିଷ୍ଟ ପୋଲିସ ବ୍ୟବସ୍ଥା କିପରି କାର୍ଯ୍ୟ କରିବ, ସେନେଇ ରିପୋର୍ଟ ପ୍ରଦାନ ପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିଥିଲେ । ଏବେ ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ ।

Leave a Reply