ଅର୍ଥନୀତିକୁ ବାଟକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ପ୍ଲାନ୍ ‘ଇକୋ ଭିଲେଜ୍‌’

Eco Village

ଭୁବନେଶ୍ୱର: ପ୍ରଥମେ ଇକୋ ରିଟ୍ରିଟ ଆଉ ଏବେ ଇକୋ ଭିଲେଜ । ଗ୍ରାମାଞ୍ଚଳରେ ଅସଜଡା ହୋଇଥିବା ଅର୍ଥନୀତିକୁ ସଜାଡିବା ପାଇଁ ସରକାର ଆରମ୍ଭ କରିଛନ୍ତି ବଡ଼ ଯୋଜନା । ଇକୋ ଭିଲେଜରେ ଯୋଡି ହେବେ ସାଧାରଣ ଲୋକେ । ଏହାଫଳରେ ଗାଁ ଗାଁ ରେ ଅର୍ଥନୀତି ସୁଦୃଢ ହେବା ସହ ପର୍ଯ୍ୟଟନର ବିକାଶ ବି ହୋଇପାରିବ । ଏନ୍‌ଆର୍‌ଇଜିଏସ୍‌ ଫଣ୍ଡ ଏବଂ ଜିଲ୍ଲା ସ୍ତରର କିଛି ସ୍ୱତନ୍ତ୍ର ଫଣ୍ଡ ସହାୟତାରେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଆରମ୍ଭ ହୋଇଛି ଏହି କାର୍ଯ୍ୟ । ଇକୋ ଭିଲେଜରେ ରହିଛି ସମସ୍ତ ସୁବିଧା । ଯାହାକୁ ସ୍ୱାଗତ କରିଛନ୍ତି ଟୁର ଅପରେଟର ।

କରୋନା ଉଜାଡି ଦେଇଛି ଅର୍ଥନୀତିର ମେରୁଦଣ୍ଡ । ଏହାକୁ ଟ୍ରାକ୍ ଲାଇନକୁ ଆଣିବା ପାଇ ପର୍ଯ୍ୟଟନ କ୍ଷେତ୍ର ହେବ ମାଇଲଖୁଣ୍ଟ । ଏନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ସରକାର ଆରମ୍ଭ କରିଛନ୍ତି ଏହି ଇକୋ ଭିଲେଜ୍‌ ଯୋଜନା । ଗ୍ରାମାଞ୍ଚଳ ଲୋକଙ୍କୁ ସିଧାସଳଖ ଏହି ପ୍ରକ୍ରିୟାରେ ସାମିଲ କରିବା ପାଇଁ ଆରମ୍ଭ ହୋଇଛି କମ୍ୟୁନିଟି ଡ୍ରିଭେନ ଟୁରିଜିମ୍‌ ଇନିସିଏଟିଭ୍‌ ।

ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ଏହି ଯୋଜନାର ନାଁ ରହିଛି ‘ଇକୋ ଭିଲେଜ’ । ସାତକୋଶିଆ ମହାନଦୀ ଅବବାହିକାରେ ଇକୋ ଭିଲେଜ ଆକାରରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ବାଲିପୁଟ ଅଂଚଳର ବହୁ ଯୁବକ ସାମିଲ ହୋଇଛନ୍ତି । ଇକୋ ଭିଲେଜରେ ରହିବ ୭ଟି ଟେଣ୍ଟ, ଯେଉଁଥିରେ ୨୭ଟି ରୁମ୍‌, ମିନି କନଫରେନସ୍‌ ହଲ୍‌ ଡର୍ମିଟୋରୀ ମଧ୍ୟ ରହିଛି । ଜିଲ୍ଲା ପ୍ରଶାସନ ସହାୟତାରେ ଲୋକେ ଏହାକୁ ଚଳାଇବା ସହ ଆଗକୁ ସାରା ରାଜ୍ୟରେ ଏହି କାର୍ଯ୍ୟକ୍ରମ କରାଯିବା ବୋଲି ଲକ୍ଷ୍ୟ ରଖାଯାଇଛି ।

ଇକୋ ଭିଲେଜେରେ ଯୋଡି ହୋଇପାରିବେ ନିମ୍ନ ଓ ମଧ୍ୟବିତ୍ତ ବର୍ଗର ଲୋକେ । ଏଠାରେ ବଣଭୋଜି ସେଣ୍ଟର କରାଯାଇଛି । ସାଧାରଣ ଲୋକେ ଅଳ୍ପ ଖର୍ଚ୍ଚରେ ଏହାର ଉପଭୋଗ କରିପାରିବେ । ଆଗକୁ ଡେ’ ଟୁରିଜିମ୍‌ ଏବଂ ଏକ ସାଇନସ ପାର୍କ ମଧ୍ୟ କରାଯିବାର ଯୋଜନା ରହିଛି । ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଟୁର୍‌ ଅପରେଟର । ଏହି ଉଦ୍ୟମ ଫଳରେ ଗ୍ରାମୀଣ ଅର୍ଥନୀତି ସୁଦୃଢ ହେବା ସହ ପର୍ଯ୍ୟଟନ ଓ ଜଂଗଲର ସୁରକ୍ଷା ହୋଇପାରିବ ବୋଲି କୁହାଯାଇଛି ।

Leave a Reply