ରାଜ୍ୟର ଏମ୍ଏସ୍ଏମ୍ଇଙ୍କ ଏକ୍ସକ୍ଲୁସିଭ୍ ଉତ୍ପାଦ କିଣିବେ ସରକାର

1 min read

ଭୁବନେଶ୍ବର: ଆଉ ରହିବନି ଏମ୍ଏସ୍ଏମ୍ଇ ବିପଣନ ସମସ୍ୟା । ରାଜ୍ୟର ଏମ୍ଏସ୍ଏମ୍ଇଙ୍କ ଏକ୍ସକ୍ଲସିଭ୍ ଉତ୍ପାଦ କିଣିବେ ରାଜ୍ୟ ସରକାର । ଯେଉଁମାନଙ୍କର ଏକ୍ସକ୍ଲୁସିଭ୍ ଉତ୍ପାଦ ନଥିବ ସେମାନେ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇପାରିବେ । ଗତ ୨୨ ତାରିଖରେ କ୍ଯାବିନେଟ ଜନସାଧାରଣ କ୍ରୟ ଅଗ୍ରାଧିକାର ନୀତି-୨୦୨୩କୁ ଅନୁମୋଦନ କରିଛି । ଯାହାକୁ ସ୍ବାଗତ କରିଛନ୍ତି ଓଡ଼ିଶା ଶିଳ୍ପ ସଂଘ ସମୂହ । ଏଣିକି ୧ ଲକ୍ଷ ଟଙ୍କାରୁ ୫୦ କୋଟି ଟଙ୍କାର ପର୍ଯ୍ୟନ୍ତ ଟର୍ଣ୍ଣ ଓଭର କରୁଥିବା ୟୁନିଟ୍ ସରକାରଙ୍କ ସହ ବିକ୍ରି ବଟା କରିପାରିବେ ।

ଆଉ ବାହାର ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରିବେନି ଓଡ଼ିଶା ଏମ୍ଏସ୍ଏମ୍ଇ ୟୁନିଟ୍ । ରାଜ୍ୟ ସରକାରଙ୍କ ଓଡ଼ିଶା ଜନସାଧାରଣ କ୍ରୟ ଅଗ୍ରାଧିକାର ନୀତି ବା ପବ୍ଲିକ୍ ପ୍ରୋକ୍ୟୋରମେଣ୍ଟ୍ ପଲିସି ୨୦୨୩କୁ ଓଡ଼ିଶା ଶିଳ୍ପ ସଂଘ ସମୂହର ପ୍ରଶଂସା । ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଉପକୃତ ହେବେ ରାଜ୍ୟରେ ୧ ଲକ୍ଷ ଏମ୍ଏସ୍ଏମ୍ଇ ୟୁନିଟ୍ । ଯଦି ରାଜ୍ୟର ୟୁନିଟ୍ ଏକ୍ସକ୍ଲୁସିଭ ଭାବେ ଗୋଟିଏ କିମ୍ବା ଏକାଧିକ ଉତ୍ପାଦ ପ୍ରଚୁର ପରିମାଣରେ କରୁଛନ୍ତି ତା’ହେଲେ ସରକାର ବିନା ଟେଣ୍ଡରରେ ସେସବୁ ୟୁନିଟରୁ ଉତ୍ପାଦ କିଣିବେ । ଏହାସହିତ ପରଚେଜ୍ ପ୍ରିଫରେନ୍ସ୍ ଓ ପ୍ରାଇସ୍ ପ୍ରିଫରେନ୍ସ୍ ଜରିଆରେ ଟେଣ୍ଡରରେ ଭାଗ ନେଇପାରିବେ । ଯଦି ଓଡ଼ିଶାର ଏମ୍ଏସ୍ଏମ୍ଇ ୟୁନିଟ୍ ଏକ୍ସକ୍ଲୁସିଭ୍ ଉତ୍ପାଦନ କରୁନାହାନ୍ତି ତା’ହେଲେ ବାହାର ରାଜ୍ୟର ଏଲ୍-୧ ବିଡିଂ ଆଧାରରେ ୨୫ ପ୍ରତିଶତ ଅର୍ଡର୍ ଓଡ଼ିଶା ୟୁନିଟସକୁ ମିଳିବ । ଏହାଛଡ଼ା କୌଣସି ଏମ୍ଏସ୍ଏମ୍ଇ ୟୁନିଟ୍ ଏଲ୍-୨  ବିଡିଂରେ ଏଲ-ଓ୍ବାନ୍ ବିଡିଂର ୧୦ ପ୍ରତିଶତ ଭିତରେ ଟେଣ୍ଡର ପକାଇଥିଲେ ସେମାନଙ୍କୁ ୧୫ ପ୍ରତିଶତ ଅର୍ଡର ପାଇଁ ପ୍ରିଫରେନ୍ସ୍ ଦିଆଯିବ ।

ପୂର୍ବରୁ ୨୦୧୫ରେ ପ୍ରୋକ୍ୟୋରମେଣ୍ଟ୍ ପଲିସି ଥିଲା । କିନ୍ତୁ ଏଥିରେ ଏଭଳି ସୁବିଧା ଦିଆଯାଇ ନଥିଲା । ଏବେ ନୂଆ ନୀତି ବଳରେ ୧ ଲକ୍ଷରୁ ୫୦ କୋଟି ଟର୍ଣ୍ଣଓଭର କରୁଥିବା ଏମ୍ଏସ୍ଏମ୍ଇ ୟୁନିଟ୍ ସରକାରଙ୍କୁ ବିକ୍ରିବଟା କରିପାରିବେ ।

ଏମ୍ଏସ୍ଏମ୍ଇ ୟୁନିଟ୍ ଏକ୍ସକ୍ଲୁସିଭ ଭାବେ ୮୦ଟି ଉତ୍ପାଦ ସରକାରଙ୍କୁ ବିକ୍ରି କରିପାରିବେ । ଏ ନେଇ ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି । ସବୁଠୁ ଅଧିକ ରୋଜଗାର ସୃଷ୍ଟି କରୁଥିବା ଏମ୍ଏସ୍ଏମ୍ଇ ଉଦ୍ୟୋଗ ପାଇଁ ସରକାରଙ୍କ ଏହି ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।