ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ପାଇଁ ନବୀନଙ୍କ ବଡ଼ ପଦକ୍ଷେପ
1 min read
ଭୁବନେଶ୍ୱର: ଋଷ-ୟୁକ୍ରେନ ମଧ୍ୟରେ ଦୁଇ ଦିନ ଧରି ଜାରି ରହିଛି ଯୁଦ୍ଧ । ଗତକାଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଯୁଦ୍ଧ ନେଇ ଘୋଷଣା କରିବା ପରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରିଛି ଋଷ । ତିନିପଟୁ ୟୁକ୍ରେନକୁ ଘେରି ଆକ୍ରମଣ କରୁଛି ଋଷ । ୟୁକ୍ରେନ ରାଜଧାନୀ କିଭ୍ ସହ ବିଭିନ୍ନ ସହରରେ ବାଲାଷ୍ଟିକ୍ ଓ କ୍ରୁଜ୍ ମିଜାଇଲାରେ ଆକ୍ରମଣ କରୁଛି ଋଷ । ୟୁକ୍ରେନରେ ଯୁଦ୍ଧ ଫଳରେ ସେଠାରେ ୧୬ ହଜାର ଭାରତୀୟ ନାଗରିକ ଫସି ରହିଛନ୍ତି । ୟୁକ୍ରେନରେ ବହୁ ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକ ମଧ୍ୟ ଏବେ ଫସି କରି ରହିଛନ୍ତି ।
ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ଫେରାଇ ଆଣିବାକୁ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁକ୍ରେନରେ ଫସିଥିବା ଓଡ଼ିଶାର ଛାତ୍ର ଓ ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି । ସେହିପରି ୟୁକ୍ରେନର ଛାତ୍ର ଓ ଶ୍ରମିକମାନଙ୍କ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିବା ଏବଂ ଏହି ସଙ୍କଟ ସମୟରେ ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ ପ୍ରଭାବଶାଳୀ ସମନ୍ୱୟ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କଥା ହୋଇଥିଲେ। ଛାତ୍ର ଓ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ ପରେ ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି । ସେ କହିଛନ୍ତି କି ଭାରତ ସରକାର ୟୁକ୍ରେନ ସରକାରଙ୍କ ସହ ଯୋଗଯୋଗରେ ରହିଛନ୍ତି ଏବଂ ଶୀଘ୍ର ୟୁକ୍ରେନରୁ ଛାତ୍ର ଓ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ କାର୍ଯ୍ୟ କରୁଛନ୍ତି ।