ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ: ସ୍ପଷ୍ଟୀକରଣ ଦାଖଲ କଲେ ରାଜ୍ୟ ସରକାର

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ୨୦୨୦କୁ କାର୍ଯ୍ୟାକାରୀ କରିବାକୁ କେନ୍ଦ୍ର ସରକାର ମାଗିଥିବା ସ୍ପଷ୍ଟୀକରଣକୁ ଦାଖଲ କଲେ ରାଜ୍ୟ ସରକାର । ଏନେଇ କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଅଧ୍ୟାଦେଶ କାର୍ଯ୍ୟକାରୀ କରିବାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ବିହିତ ପଦକ୍ଷେପ ନେବାକୁ ଏହି ଚିଠିରେ ଉଲ୍ଲେଖ ରହିଛି । ଅନୁମୋଦନ ମିଳିବା ପରେ ମହାପ୍ରଭୁଙ୍କ ନୀତିକାନ୍ତି ବ୍ୟବସ୍ଥିତ ଢଙ୍ଗରେ କରିବାରେ ସହାୟକ ହେବେ ରାଜ୍ୟପାଳ ।

ଗତ ବର୍ଷ ଜଗନ୍ନାଥ ମନ୍ଦିର ଆଇନ ପରି ଶ୍ରୀଲିଙ୍ଗରାଜ ମନ୍ଦିର ଆଇନ ଆଣିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀଲିଙ୍ଗରାଜ ସେବାୟତଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହାକୁ ଆଇନ କରିବା ପାଇଁ କ୍ୟାବିନେଟ ମୋହର ବାଜିବା ପରେ ବିଧାନସଭାରେ ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା । ଏହାପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଏହାକୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯାଇଥିଲା । ତେବେ କେନ୍ଦ୍ର ସରକାର ଏହି ଅଧ୍ୟାଦେଶର ବିଭିନ୍ନ ଦିଗକୁ ନେଇ ସ୍ପଷ୍ଟୀକରଣ ମାଗିଥିଲେ । ୬ଟି ସ୍ପଷ୍ଟୀକରଣ ସହ କେନ୍ଦ୍ର ଗୃହ ସଚିବଙ୍କୁ ଚିଠି କରିଛନ୍ତି ରାଜ୍ୟ ସରକାର । ଏହି ଆଇନ ଆସିଲେ, ଶ୍ରୀମନ୍ଦିର ପରି ଶ୍ରୀଲିଙ୍ଗରାଜ ମନ୍ଦିରର ସ୍ବତନ୍ତ୍ର ପ୍ରଶାସକ ରହିବେ । ମନ୍ଦିର କାର୍ଯ୍ୟରେ ବିଭ୍ରାଟ ଘଟିଲେ, ମନ୍ଦିର ପ୍ରଶାସକ ଜରିମାନା ପକାଇବାର ବି କ୍ଷମତା ପାଇପାରିବେ ।