ପୁରୀ ଗ୍ରୀନଫିଲ୍ଡ ଏୟାର ପୋର୍ଟ କାମ ଆରମ୍ଭ ପାଇଁ ଡିପିଆର ରିପୋର୍ଟ ଦାଖଲ କର: କେନ୍ଦ୍ର

ନୂଆଦିଲ୍ଲୀ: ପୁରୀରେ ଗ୍ରୀନଫିଲ୍ଡ ଏୟାର ପୋର୍ଟ କାମ ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କୁ ଡିପିଆର ବା ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଦାଖଲ କରିବାକୁ ପଡିବ । ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ଏହା କହିଛନ୍ତି ।

୨୦୨୩ ସେପ୍ଟେମ୍ବର ୨୨ରେ କେନ୍ଦ୍ର ସରକାର ପୁରୀରେ ଗ୍ରୀନଫିଲ୍ଡ ଏୟାରପୋର୍ଟ ପାଇଁ ସାଇଟ୍ କ୍ଲିୟରାନ୍ସ ଦେଇଥିଲେ । ୨୦୦୮ ଗ୍ରୀନଫିଲ୍ଡ ଏୟାରପୋର୍ଟ ନୀତି ଅନୁଯାୟୀ ରାଜ୍ୟମାନଙ୍କୁ ଏଥିପାଇଁ ନିଜସ୍ବ ବ୍ୟୟ ବରାଦ କରିବାକୁ ପଡିବ । ଏଥିସହିତ ରାଜ୍ୟମାନେ ଜମି ଅଧିଗ୍ରହଣ ଓ ଥଇଥାନ କାର୍ଯ୍ୟ କରିବେ । ତେଣୁ ପୁରୀରେ ଗ୍ରୀନଫିଲ୍ଡ ଏୟାରପୋର୍ଟ ପାଇଁ ଇନପ୍ରିନ୍ସିପିଲ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କୁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ସହ ପ୍ରକଳ୍ପ ଖର୍ଚ୍ଚ, ପ୍ରକଳ୍ପ ସାରିବାକୁ ସମୟ ସୀମା, ଆନୁମାନିକ ବିମାନ ଟ୍ରାଫିକ ସମ୍ପର୍କରେ କେନ୍ଦ୍ରକୁ ବିଦ୍ଧିବଧ ଭାବେ ଅବଗତ କରିବା ଆବଶ୍ୟକ । ଡିପିଆର ମିଳିବା ପରେ ହିଁ କେନ୍ଦ୍ର ସରକାର ଇନପ୍ରିନ୍ସିପୁଲ ଅନୁମୋଦନ ପ୍ରଦାନ କରିବେ ।