spot_img

Latest Posts

କ୍ୟାବିନେଟରେ ସରକାରଙ୍କ ସଂକଳ୍ପ; ଚାଷୀଙ୍କ ଆୟ ବୃଦ୍ଧିକୁ ଗୁରୁତ୍ୱ

ଭୁବନେଶ୍ୱର: ସର୍ବସମ୍ମତି କ୍ରମେ ରାଜ୍ୟ କ୍ୟାବିନେଟରେ ପାରିତ ହୋଇଛି ପ୍ରସ୍ତାବ। ଚାଷୀଙ୍କୁ ପ୍ରାଧାନ୍ୟ ଦେଇ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ସଂକଳ୍ପ । ଚାଷୀ ଏବଂ କୃଷିକୁ ନେଇ ସମଗ୍ର ଦେଶରେ ଏକପ୍ରକାର ନିଆଁ ଜଳୁଥିବାବେଳେ ରାଜ୍ୟ ସରକାର କୃଷିଙ୍କ ହିତ ସାଧନରେ କୃଷି ନୀତି ୨୦୨୦ ସମୃଦ୍ଧିକୁ ଦେଇଛନ୍ତି ମଞ୍ଜୁରୀ । ଏହି ସଂକଳ୍ପରେ କୃଷକଙ୍କ ପାଇଁ ରାଜ୍ୟ ସରକାର ଏମଏସପି ଦେଢ ଗୁଣା ଦାବି କରିଛନ୍ତି । ସ୍ୱାମିନାଥନ କମିଶନ ଅନୁସାରେ ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ମୂଲ୍ୟ ବଢାଇବାକୁ ଦାବି ରଖିଛନ୍ତି ରାଜ୍ୟ ସରକାର । ସେହିପରି ଚାଷୀଙ୍କ ଆୟ ଦେଢଗୁଣା କରିବା ନେଇ ପୂର୍ବରୁ ରାଜ୍ୟ ସରକାର ୨ ଥର ଜଣାଇଛନ୍ତି ଦାବି ।

 

ସରକାର ସଂକଳ୍ପରେ କହିଛନ୍ତି, ଗତ ୧୬ ବର୍ଷ ମଧ୍ୟରେ ରାଜ୍ୟରେ ମୋଟ ଘରୋଇ କୃଷି ଉତ୍ପାଦନ ଦୁଇ ଗୁଣ ହୋଇଥିବା ବେଳେ ଅଭିବୃଦ୍ଧି ହାର ୪.୫ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ କୃଷି କ୍ଷେତ୍ରରେ ଜାତୀୟ ଅଭିବୃଦ୍ଧି ହାର ୩.୧ରେ ସୀମିତ ରହିଅଛି । କୃଷିର ବିକାଶ ତଥା କୃଷକର କଲ୍ୟାଣ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର କୃଷି କ୍ୟାବିନେଟ ଗଠନ ଠାରୁ ଆରମ୍ଭ କରି ସ୍ୱତନ୍ତ୍ର କୃଷି ବଜେଟ କାର୍ଯ୍ୟକାରୀ କରୁଥିବା ବେଳେ କାଳିଆ ଯୋଜନା ପରି ଐତିହାସିକ ପଦକ୍ଷେପ ଗ୍ରହଣ କରି ସାରା ଭାରତର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ।

ସେହିପରି ଆଦିବାସୀ ଅଞ୍ଚଳର ଚାଷୀ ମାନଙ୍କ କଲ୍ୟାଣ ପାଇଁ ଆରମ୍ଭ ହୋଇଥିବା ମାଣ୍ଡିଆ ମିଶନ ରୋଜଗାର ବୃଦ୍ଧିରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ପରିଗଣିତ ହୋଇଥିବା ଉଲ୍ଲେଖ କରିଛନ୍ତି ରାଜ୍ୟ ସରକାର । ନିକଟ ଅତୀତରେ ଭୂମିହୀନ ଏବଂ ଛୋଟ ଚାଷୀ ଯେପରି ସୁବିଧାରେ ଋଣ ପାଇପାରିବେ, ସେଥିପାଇଁ ମଧ୍ୟ ରାଜ୍ୟ ସରକାର ବଳରାମ ଯୋଜନା ଆରମ୍ଭ କରିଛନ୍ତି। ରାଜ୍ୟର ୪୦ଟି ପଛୁଆ ବ୍ଲକ୍‌ରେ ଏଗ୍ରୀ କ୍ଲଚର ପ୍ରଡକ୍ସନ କମିଟି ମଧ୍ୟ କାର୍ଯ୍ୟକାରୀ କରାଯାଉଛି । ଏହି ପରିପ୍ରେକ୍ଷୀରେ ଚାଷୀଙ୍କ ରୋଜଗାରକୁ ବୃଦ୍ଧି କରିବା ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟକୁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବରେ ବିଚାର କରିଛନ୍ତି । ତେଣୁ ସ୍ୱାମୀନାଥନ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବା ସହ ଚାଷୀଙ୍କ ଆଯ ବୃଦ୍ଧିକୁ ଗୁରୁତ୍ୱ ଦେବାକୁ କହିଛନ୍ତି ସରକାର ।

ଚାଷୀ ଯେପରି ତାର ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ନ ହେବ, ସେଥିପ୍ରତି ଆମେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ । ଏହା ତାର ହକ୍‌ । ଭାରତ ପରି ଦେଶରେ ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀର ଅଧିକାର । ଚାଷୀ ଖରା ବର୍ଷା ସହି କ୍ଷେତରେ ଖଟିଲେ ସବୁ ପରିବାରର ରୋଷେଇ ଘରେ ଚୁଲି ଜଳେ। ତେଣୁ ଚାଷୀ ଯଦି ତାର ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପାଇବାରେ ସନ୍ଦେହରେ ରୁହେ, ତେବେ ଚାଷୀ ଓ ଚାଷ ସହିତ ଆମ ଅର୍ଥନୀତି ସଂକଟକୁ ଆସିଯିବ। ଚାଷୀର ସ୍ୱାର୍ଥକୁ ଅଣଦେଖା କରି ବିକାଶର ସ୍ୱପ୍ନ ଅବାସ୍ତବ। କରୋନା ସମୟରେ ଅର୍ଥନୀତିର ପ୍ରାୟ ସବୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ମାନ୍ଦା ଅବସ୍ଥାରେ ଥିବାବେଳେ, ଚାଷୀର ପରିଶ୍ରମ ହିଁ ସଂଜୀବନୀ ସଦୃଶ ଅର୍ଥନୀତିକୁ ବଞ୍ଚାଇ ରଖିଛି । ତେଣୁ ଅନ୍ୟ ସବୁ କ୍ଷେତ୍ରରେ ରୋଜଗାରରେ ଯେପରି ବୃଦ୍ଧି ଘଟୁଛି, ତା ସହିତ ତାଳ ଦେଇ ଚାଷୀର ରୋଜଗାର ମଧ୍ୟ ବଢିବା ଉଚିତ ବୋଲି ସଂକଳ୍ପରେ ପ୍ରସ୍ତାବ ରଖିଛନ୍ତି ରାଜ୍ୟ ସରକାର ।

Latest Posts

Don't Miss