୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ୧୦ ସଚିବଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ରାଜ୍ୟ ସରକାର ସଚିବ ସ୍ତରିୟ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି । ନୀତି ଆୟୋଗ ଦ୍ୱାରା ଚିହ୍ନଟ ହୋଇଥିବା ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜଳସେଚନ ଭଳି କ୍ଷେତ୍ରରେ ପଛୁଆ ଥିବା ୧୦ ଆକାଂକ୍ଷୀ ଜିଲ୍ଲାରେ ବିକାଶମୂଳକ କାମ ଅନୁଧ୍ୟାନ ପାଇଁ ୧୦ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି ।

ବାଣିଜ୍ୟ ପରିବହନ ସଚିବ ମଧୁସୂଦନ ପାଢୀଙ୍କୁ କନ୍ଧମାଳ ଏବଂ ଗଣଶିକ୍ଷା ଓ ଏମ୍ଏସ୍ଏମ୍ଇ ସଚିବ ସତ୍ୟବ୍ରତ ସାହୁଙ୍କୁ କଳାହାଣ୍ଡି ଜିଲ୍ଲା ଦାୟିତ୍ବ ଦିଆଯାଇଛି । ସେହିପରି ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ରାୟଗଡ଼ା, ଖଣି ଓ ଇସ୍ପାତ ସଚିବ ସୁରେନ୍ଦ୍ର କୁମାରଙ୍କୁ ବଲାଙ୍ଗୀର, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ସଚିବ ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ କୋରାପୁଟ ଏବଂ ଅନୁସୂଚିତ ଜାତି ଜନଜାତି ସଚିବ ରଞ୍ଜନା ଚୋପ୍ରାଙ୍କୁ ଢେଙ୍କାନାଳ ଦାୟିତ୍ବ ଦିଆାଯାଇଛି ।

ରାଜସ୍ବ ବିଭାଗ ସଚିବ ବିଷ୍ଣୁପଦ ସେଠୀଙ୍କୁ ନୂଆପଡ଼ା, ସାମାଜ କଲ୍ୟାଣ ବିଭାଗ ସଚିବ ଭାସ୍କରଜ୍ୟାତି ଶର୍ମାଙ୍କୁ ଗଜପତି, ଇପିକଲ ପରିଚାଳନା ନିର୍ଦ୍ଦେଶକ ନିତିନ ଭାନୁଦାସ ଜାଓ୍ବଲେଙ୍କୁ ମାଲକାନାଗିରି ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରଓ୍ବାଲଙ୍କୁ ନବରଙ୍ଗପୁର ଜିଲ୍ଲା ଦାୟିତ୍ବ ଦିଆଯାଇଛି ।

ଏହି ଅଧିକାରୀମାନେ ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ନିୟମିତ ଅନୁଧ୍ୟାଳନ କରିବେ । ଏପ୍ରିଲ ପହିଲାରୁ ଏମାନେ ଦାୟିତ୍ବ ନେବା ସହ ୩ ମାସ ପାଇଁ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବେ । ରାଜ୍ୟର ଏହି ୧୦ଟି ଜିଲ୍ଲା ପାଇଁ ନୀତି ଆୟୋଗ ମଧ୍ୟ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି । ଉଭୟ ଅଧିକାରୀ ଜିଲ୍ଲାରେ ସରକାରୀ ଯୋଜନାର କାର୍ଯ୍ୟକାରିତା ଅନୁଧ୍ୟାନ କରିବେ ।

Leave a Reply